Latest Odisha News

ମାଳି ପର୍ବତରୁ ଖଣି ଖନନ ସପକ୍ଷରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

କୋରାପୁଟ : କୋରାପୁଟରେ ଖଣି ସପକ୍ଷବାଦୀଙ୍କ ରାଲି । ମାଳି ପର୍ବତରୁ ବକ୍ସାଇଟ୍ ଖନନଜୁ ସମର୍ଥନ ଜଣାଇଛନ୍ତି ୪ଟି ପଞ୍ଚାୟତର ଲୋକେ । ତୁରନ୍ତ ଖଣି ଖନନ କରାଗଲେ ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ଲୋକେ ଦାବି କରିଛନ୍ତି । ଖଣି ଖନନ କରିବା ନେଇ ଜନ ଶୁଣାଣି କରିବାକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ବହୁ ସଂଖ୍ୟାରେ ଲୋକେ ଖଣି ଖନନ କରିବାକୁ ଚାହୁଁଥିବା ବେଳେ କିଛି ଲୋକଙ୍କ ବିରୋଧ ଯୋଗୁଁ ଖଣି ଖନନ ହୋଇପାରୁନାହିଁ । ଏଣୁ ସଂଖ୍ୟାଧିକ ଲୋକଙ୍କ ମତ ଓ ସ୍ବାର୍ଥକୁ ନେଇ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ଖଣି ସପକ୍ଷବାଦୀ ଦାବି କରିଛନ୍ତି । ଗତ ୨୨ ତାରିଖରେ ସେମିଳିଗୁଡା ଥାନା କଙ୍କଡା ଆମ୍ବଠାରେ ଖଣି ଖନନ ନେଇ ପରିବେଶ ବିଭାଗର ଜନ ଶୁଣାଣି ଆୟୋଜନ ହୋଇଥିଲା । ହେଲେ ଜନଶୁଣାଣିକୁ ମାଳି ପର୍ବତ ସୁରକ୍ଷା ସମିତିର ଶତାଧିକ ସମର୍ଥକ ବିରୋଧ କରିଥିଲେ । ଯେଉଁଥିପାଇଁ ଜନଶୁଣାଣିକୁ ଅଧାରେ ବନ୍ଦ କରିଥିଲା ପ୍ରଶାସନ ।

କୋରାପୁଟ ସେମିଳିଗୁଡା ଓ ପଟାଙ୍ଗି ତହସିଲର ଆଲିଗାଁ, ସୋରିଷ ପଦର, କଙ୍କଡା ଆମ୍ବ ଗ୍ରାମର ୨୬୮.୧୧ ହେକ୍ଟର ପରିମିତ ଅଞ୍ଚଳରେ ଥିବା ମାଳି ପର୍ବତରୁ ବାର୍ଷିକ ୦.୬ ନିୟୁତ ଟନ୍ ବକ୍ସାଇଟ ଉତ୍ତୋଳନ କରିବାକୁ ମେସର୍ସ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡକୁ ମିଳିଛି ଖଣି ଲିଜ୍ । କିନ୍ତୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଖଣି ଖନନ ସମ୍ଭବ ପର ହେଉନାହିଁ ।

Comments are closed.