Latest Odisha News

BREAKING NEWS

ବିଜେପି ବଦଳାଇବ ଟିକେଟ !

ଭୁବନେଶ୍ୱର: କୋଉଁଠି ବିରୋଧ ତ କେଉଁଠି ବିଦ୍ରୋହ । କେଉଁଠି ଚାପା ଗୁଞ୍ଜରଣ ତ କେଉଁଠି ଖୁଲମଖୁଲା ପ୍ରତିବାଦ । ଉପକୂଳରୁ ଉପାନ୍ତ, ଉତ୍ତରରୁ ପଶ୍ଚିମ-ଅନେକ ଜାଗାରେ ବିଜେପି ଘୋଷଣା କରିଥିବା ବିଧାନସଭା ପ୍ରାର୍ଥୀ ପାଇଁ ଅସନ୍ତୋଷ ହିଁ ଅସନ୍ତୋଷ । ଦଳ ଭିତରେ ଦଳ ପ୍ରତି ରଣହୁଙ୍କାର । ଆଉ କିଛି ବିଧାନସଭା ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ରାଜ୍ୟ ବିଜେପି ମୁଖ୍ୟାଳୟରେ ମଧ୍ୟ ଅଳ୍ପଦିନ ତଳେ ଦେଖିବାକୁ ମିଳିଥିଲା ପିଟାପିଟି, ହାତାହାତି, ଧସ୍ତାଧସ୍ତି । ଉଡ଼ିଥିଲା ଚେୟାର, ଶୁଭିଥିଲା ଗର୍ଜନ।

ଖୁବଶୀଘ୍ର ହୋଇପାରେ ବିଜେପିର ଚୂଡାନ୍ତ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା । ବେଳ ରତରତ । ଚୂଡାନ୍ତ ଘୋଷଣା ପରେ ବଣ୍ଟା ହେବ ଟିକେଟ୍ । ତେବେ ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ପରେ ହିଁ କୁହୁଳିଥିଲା ଅସନ୍ତୋଷର ନିଆଁ । ଧର୍ମଶାଳା, କୋରେଇ, ସୋରୋ, ଜୟଦେବ, ବାଙ୍କୀ, କବିସୂର୍ଯ୍ୟନଗର, ବ୍ରହ୍ମପୁର, ଫୁଲବାଣୀ, ଦଶପଲ୍ଲା, ବୌଦ୍ଧ, ବଡ଼ମ୍ବା, ରଣପୁର, ବସ୍ତା, ଭଂଜନଗର, ପୋଲସରା, ପଟ୍ଟାଙ୍ଗି ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଆରମ୍ଭ ହୋଇ ଯାଇଥିଲା ପ୍ରତିବାଦର ସ୍ବର, ଉଠିଥିଲା ବିଦ୍ରୋହର ନିଆଁ । ପାଖାପାଖି ୬୦ ଆସନରୁ ଶୁଭିଥିଲା ବିରୋଧର ଦୁଲଦୁଲି । ଅନେକେ ସିଧାସଳଖ ବାଢିଲେ ଅଭିଯୋଗ ‘ଗେମ୍ ଚେଞ୍ଜ୍ କଲା କିଏ ?’ ଘୋଷଣା ମୁଆଁ ହାତେଇଥିବା ପ୍ରାର୍ଥୀଙ୍କ ବିପକ୍ଷରେ ବହୁ ଆଶାୟୀଙ୍କ ସମର୍ଥକ ଥୋଇଲେ ଗଣ୍ଡା ଗଣ୍ଡା ଅଭିଯୋଗର ଫର୍ଦ୍ଦ । ରାଜ୍ୟ ନେତୃତ୍ବଙ୍କ ଠାରୁ ଜବାବ୍ କଲେ ସୁଆଲ ‘କାହିଁକି କଲ, କୋଉ ହିସାବରେ କଲ !’ ‘ଖଟିବୁ ଆମେ, ପାଇବେ ସେମାନେ ?’ ସେହିପରି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବିଧାନସଭା ଆସନ ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ, ପ୍ରାର୍ଥୀ ଘୋଷଣା କରିବା ସମୟରେ ବିଜେପି ଅନୁସୂଚୀତ ଜାତିର ଚୈତନ୍ୟ ହନ୍ତାଳଙ୍କୁ ଭୁଲ୍ ଭାବେ ପ୍ରାର୍ଥୀ କରିଛି ।

ଖାଲି ବିଧାନସଭା ନୁହଁ ଆସିକା, କନ୍ଧମାଳ, ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଉଠିଥିଲା ସମାନ ଧରଣର ପ୍ରତିବାଦର ସ୍ବର । ଆଉ ମାଳମାଳ ବିରୋଧ ପରେ ରାଜ୍ୟ ବିଜେପିର ଛାମୁଆ ନେତୃବୃନ୍ଦଙ୍କ ଅକଲ୍ ଗୁଡ଼ୁମ । କାହିଁକି ଏତେ ପ୍ରତିବାଦର ଉତ୍ତର ବି କାହା ପାଖରେ ନାହିଁ । ବିଜେପିର କିଛି ମୋର୍ଚ୍ଚାର ମଙ୍ଗୁଆଳ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ନେଇ ନାଖୁସ୍ । ବିଶ୍ବସ୍ତ ସୂତ୍ରର ଖବର, ଖୁବଶୀଘ୍ର ବଦଳିପାରେ କିଛି ପ୍ରାର୍ଥୀଙ୍କ ନାଁ । ନହେଲେ ବହୁ ଆଶାୟୀଙ୍କ ରୋଷକୁ କରି ହେବନି ଆୟତ୍ତ, ପରିସ୍ଥିତି ହୋଇପାରେ ଅସମ୍ଭାଳ । ସେଥିପାଇଁ କୁଆଡେ କବାଟକିଳା ବିଚାର ଆଉ ରୁଦ୍ଧଦ୍ବାର ଆଲୋଚନା ବି ସରିଛି । ଏସବୁ ଭିତରେ କଣ ହେଉଛି ଆଉ କଣ ନିଷ୍କର୍ଷ ଆସୁଛି ତାକୁ ନେଇ ଉତ୍କଣ୍ଠା ।

Comments are closed.