Latest Odisha News

BREAKING NEWS

ଦୃଷ୍ଟିହୀନ ଲୋକଙ୍କୁ ରେଳବାଇ ମାଗଣା ମାନବ ସହାୟତା ଯୋଗାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଦୃଷ୍ଟିହୀନ ଲୋକଙ୍କ ସୁବିଧା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ପ୍ରମୁଖ ଷ୍ଟେସନ ଗୁଡିକରେ ଦୃଷ୍ଟିହୀନଙ୍କୁ ମାଗଣାରେ ମାନବ ସହାୟତା ପ୍ରଦାନ କରିବାକୁ କୋର୍ଟ ରେଳବାଇକୁ କହିଛନ୍ତି । କାର୍ଯ୍ୟକାରୀ ପ୍ରଧାନ ବିଚାରପତି ମନମୋହନଙ୍କ ନେତୃତ୍ୱରେ ଏକ ବେଞ୍ଚ ରେଳଯାତ୍ରାରେ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ଏକ ଆବେଦନର ଶୁଣାଣି କରିଥିଲେ । ବେଞ୍ଚ ରେଳବାଇକୁ ନିଜେ କିମ୍ବା CSR (କର୍ପୋରେଟ୍ ସାମାଜିକ ଦାୟିତ୍ବ) ପଦକ୍ଷେପ ମାଧ୍ୟମରେ ପ୍ରଦାନ କରିବା ଉପରେ ବିଚାର କରିବାକୁ କହିଛନ୍ତି ।

ଏହି ପ୍ରସଙ୍ଗରେ ସରକରୀ ବରିଷ୍ଠ ଓକିଲ ଏସ୍.କେ.ରୁଙ୍ଗଟା କୋର୍ଟଙ୍କୁ କହିଛନ୍ତି ଯେ, ରେଳବାଇ ପକ୍ଷରୁ ଷ୍ଟେସନ ଗୁଡିକରେ ହ୍ୱିଲ୍ ଚେୟାର ଯୋଗାଇ ଦିଆଯାଇଛି, କିନ୍ତୁ ଦୃଷ୍ଟିହୀନଙ୍କୁ ମାଗଣା ଏସକର୍ଟ କିମ୍ବା ଆସିଷ୍ଟାଣ୍ଟ ଯୋଗାଇବାକୁ ମନା କରି ଦେଇଛି । ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ରୁଙ୍ଗଟା କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଜଷ୍ଟିସ୍ ମନମୋହନ ଏବଂ ଜଷ୍ଟିସ୍ ମନମିତ ପି ଏସ୍ ଅରୋରାଙ୍କ ବେଞ୍ଚ ସରକାରୀ ଓକିଲଙ୍କୁ କହିଛନ୍ତି, ‘ଦେଶରେ ଏତେ ବେକାରୀ ସମସ୍ୟା ରହିଛି । ସେମାନେ ସହାୟକ ଭାବେ ହ୍ୱିଲ୍ ଚେୟାର ଚଲାଇବେ । ଯଦି ଆର୍ଥିକ ସମସ୍ୟା ଥାଏ ତେବେ ଆପଣ କିଛି CSR ପଦକ୍ଷେପ ଆରମ୍ଭ କରିପାରନ୍ତି’।

ସରକାରୀ ଓକିଲ କହିଛନ୍ତି ଯେ, ‘ଦେଶରେ ୧୦ ହଜାରରୁ ଅଧିକ ରେଳ ଷ୍ଟେସନ ଅଛି ଏବଂ ମାଗଣା ମାନବ ସହାୟତା ଯୋଗାଇବାରେ ‘ବ୍ୟବହାରିକ ଅସୁବିଧା’ ରହିଛି । କୋର୍ଟ କହିଛନ୍ତି, ‘ଆପଣ ମହାନଗରରେ ଅଛନ୍ତି । ଦିଲ୍ଲୀ, କଲିକତା ଏପରି ବଡ ବଡ ଷ୍ଟେସନରୁ ଏହା ଆରମ୍ଭ କରନ୍ତୁ । କୋର୍ଟ ମାର୍ଚ୍ଚ ୨୦ କୁ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଭାବରେ ସ୍ଥିର କରିଛନ୍ତି ଏବଂ ରେଳବାଇକୁ ଅତିରିକ୍ତ ହଲଫନାମା ଦାଖଲ କରିବାକୁ କହିଛନ୍ତି’ ।

୨୦୧୭ ରେ ଏକ ଖବର ଆଧାରରେ କୋର୍ଟ ଏହି ପ୍ରସଙ୍ଗର ନିଜେ ଏହା ଉପରେ ତର୍ଜମା କରିଥିଲେ । ଖବର ଅନୁଯାୟୀ, ଦିବ୍ୟାଙ୍ଗଙ୍କ ପାଇଁ ଟ୍ରେନର ସ୍ୱତନ୍ତ୍ର ବଗିର ଦ୍ବାର ବନ୍ଦ କରିଦିଆଯାଇଥିଲା । ଫଳରେ ସେହି ବର୍ଷ ଜଣେ ଯୁବକ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏମଫିଲ୍ ପରୀକ୍ଷା ପାଇଁ ପହଞ୍ଚି ପାରିନଥିଲେ ।

Leave A Reply

Your email address will not be published.