Latest Odisha News

BREAKING NEWS

ଲେଡି ସାଇକୋ କିଲର୍: ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ୪ ଶିଶୁଙ୍କୁ ହତ୍ୟା

ଚଣ୍ଡିଗଡ଼: ଚର୍ଚ୍ଚାରେ ହରିୟାଣାର ଲେଡି ସାଇକୋ କିଲର୍। ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ କରୁଥିଲେ ଇର୍ଷା। ଆଉ ଏହି ଇର୍ଷା ଦିନେ ମହିଳାଙ୍କୁ କରିଦେଇଥିଲା ସାଇକୋ କିଲର୍। ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ। ଏଥିପାଇଁ କିଏ ବିଭିନ୍ନ ପ୍ରକାର କସମେଟିକ୍ ବ୍ୟବହାର କରିଥାଏ ତ ଆଉ କିଏ ପାର୍ଲର ଯାଏ। ହେଲେ ଆପଣ କେବେ ଶୁଣିଛନ୍ତି କି କିଏ ନିଜେ ସବୁଠୁ ସୁନ୍ଦର ଦିଶିବାକୁ ହତ୍ୟା କରିବା କଥା। ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ହରିୟାଣାର ପାନିପତ ଜିଲ୍ଲା ନୌଲ୍ଥା ଗ୍ରାମରୁ। ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ୪ ନିରୀହ ଶିଶୁଙ୍କୁ ହତ୍ୟା କରିଛି ମହିଳା। ଶେଷରେ ନିଜ ଭାଣେଜି ଓ ପୁଅକୁ ହତ୍ୟା କରିବାକୁ ମଧ୍ୟ ପଛେଇ ନାହିଁ।

ସୂଚନା ଅନୁସାରେ, ଏକ ବିବାହ ଉତ୍ସବ ହଠାତ୍ ଫିକା ପଡ଼ିଯାଇଥିଲା ଯେତେବେଳେ ଏକ ୬ ବର୍ଷର ଶିଶୁ କନ୍ୟାର ମୃତଦେହ ବାଥ୍ ଟବ୍ରୁ ମିଳିଥିଲା। ଏହା କୌଣସି ସାଧାରଣ ମୃତ୍ୟୁ ଘଟଣା ନଥିଲା। ବରଂ ଶିଶୁଟିର ମାଈଁ ହିଁ ତାଙ୍କୁ ହତ୍ୟା କରିଥିଲେ। ଏହାର କାରଣ ମଧ୍ୟ ଚକିତ କଲା ଭଳି ଥିଲା। ଶିଶୁଟି ସୁନ୍ଦର ପୋଷାକ ପିନ୍ଧି ସଜବାଜ ହୋଇଥିବା ଦେଖି ତାହାକୁ ସହି ପାରି ନଥିଲା ଅଭିଯୁକ୍ତ ପୁନମ। ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ଏହି ନିରୀହ ଶିଶୁଟିକୁ ହତ୍ୟା କରିଥିଲା। ହେଲେ ଏହା ପୁନମର ପ୍ରଥମ ନାରକୀୟ କାଣ୍ଡ ନଥିଲା। ଏହା ପୂର୍ବରୁ ସେ ଆହୁରି ୩ ଶିଶୁଙ୍କ ଜୀବନ ନେଇସାରିଥିଲା। ସେହି ଶିଶୁଙ୍କ ଭିତରେ ତା ନିଜ ପୁଅ ମଧ୍ୟ ରହିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ପାନିପତ ପୋଲିସ ବୁଧବାର ପୁନମକୁ ଗିରଫ କରିଛି।

ପାନିପତରେ ରହୁଥିବା ଶିଶୁ କନ୍ୟା ବିଧି ପରିବାର ସହ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ଆସିଥିଲେ। ନାଥୁଲାରେ ବିବାହ ପ୍ରୋସେସନ ଚାଲିଥିବାବେଳେ ବିଧିଙ୍କ ବାପା ସନ୍ଦୀପଙ୍କୁ ଘର ଲୋକେ ଫୋନ କରି କହିଥିଲେ ଯେ ବିଧିଙ୍କର ପତ୍ତା ମିଳୁନି। ଖୋଜାଖୋଜି କରିବା ପରେ ବିଧି ଏକ କୋଠରିରେ ଥିବା ବାଥ୍ ଟବ୍‌ରେ ମୁହଁ ମାଡ଼ି ପଡ଼ିଥିବା ତାଙ୍କ ଜେଜେ ମା’ ଦେଖିବାକୁ ପାଇଥିଲେ । ବିଧିଙ୍କୁ ହସ୍ପିଟାଲରେ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ତରଫରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସର ସନ୍ଦେହ ପୁନମଙ୍କ ଉପରକୁ ଯାଇଥିଲା। ପଚରାଉଚରା ପରେ ସେ ଅପରାଧ ସ୍ୱୀକାର କରିଥିଲା। ସୁନ୍ଦର ଦେଖାଯାଉଥିବା ପିଲାଙ୍କୁ ସେ ଟାର୍ଗେଟ କରୁଥିଲା। କେହି ତାଠାରୁ ଅଧିକ ସୁନ୍ଦର ଦେଖାଯାଆନ୍ତୁ ବୋଲି ସେ ଚାହୁଁ ନଥିଲା।

୨୦୨୩ରେ ସେ ତା ଝିଆରୀକୁ ହତ୍ୟା କରିଥିଲା। ସେହିବର୍ଷ ସେ ନିଜ ପୁଅକୁ ମଧ୍ୟ ହତ୍ୟା କରିଥିଲା। ଗତ ବର୍ଷ ପୁନମ ସମାନ କାରଣରୁ ସିୱାହ ଗ୍ରାମର ଜଣେ ଝିଅକୁ ହତ୍ୟା କରିଥିଲା। ଏ ସବୁ ହତ୍ୟାକାଣ୍ଡକୁ ଦୁର୍ଘଟଣା ଭଳି ଦେଖାଇବା ଲାଗି ସେ ସମସ୍ତଙ୍କୁ ସମାନ ଢଙ୍ଗରେ ପାଣିରେ ବୁଡ଼ାଇ ମାରିଥିଲା। ତେଣୁ ତାର ଏହି କାଣ୍ଡ ବାବଦରେ କେହି ଜାଣିପାରି ନଥିଲେ। ବିଧି ହତ୍ୟାକାଣ୍ଡ ପରେ ଏହା ଉପରୁ ପରଦା ଉଠିଛି।

Leave A Reply

Your email address will not be published.