Latest Odisha News

ପଟିଆ ରେଳ ଷ୍ଟେସନ ଓ ଗାଡ଼କଣ ରାସ୍ତା ପାଇଁ ଜନ ଶୁଣାଣି ଅନୁଷ୍ଠିତ

ଭୁବନେଶ୍ୱର: ପଟିଆ ରେଳ ଷ୍ଟେସନ ଓ ଗୁରୁ କେଳୁଚରଣ ମହାପାତ୍ର ପାର୍କ, ଗାଡ଼କଣକୁ ସଂଯୋଗ କରୁଥିବା ସିଡିପି ରାସ୍ତା ନିର୍ମାଣ ପାଇଁ ପଟିଆ ସ୍ଥିତ କନକ ଦୁର୍ଗା ମନ୍ଦିରରେ ଜନଶୁଣାଣି କରାଯାଇଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହି ସଡ଼କ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ସଂସ୍ଥା ।

ଭୁବନେଶ୍ୱର ଉପଜିଲ୍ଲାପାଳ ଚିନ୍ମୟ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ଜନଶୁଣାଣି ହୋଇଥିଲା । ବୈଠକରେ ବିଡିଏ ସଚିବ କବିନ୍ଦ୍ର କୁମାର ସାହୁ, ବିଡିଏର ଜମି ଅଧିଗ୍ରହଣ ଅଧିକାରୀ ପ୍ରତୀକ ପଟ୍ଟନାୟକ, ଖୋର୍ଦ୍ଧା ଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣ କୁମାର ଜେନା, ୩ ଓ ୯ ନମ୍ବର ୱାର୍ଡର ସ୍ଥାନୀୟ କର୍ପୋରେଟରମାନେ ଉପସ୍ଥିତ ଥିଲେ ।

ନିୟମ ଅନୁଯାୟୀ ବାଧ୍ୟତାମୂଳକ ଜନଶୁଣାଣିରେ ପ୍ରକଳ୍ପର ଡ୍ରାଫ୍ଟ ସାମାଜିକ ପ୍ରଭାବ ଆକଳନ ରିପୋର୍ଟ ସମ୍ବନ୍ଧୀୟ ଆପତ୍ତିର ସମାଧାନ କରାଯାଇଥିଲା । ଏହି ପ୍ରୟାସକୁ ସ୍ଥାନୀୟ ବାସିନ୍ଦା ସମର୍ଥନ ଜଣାଇଛନ୍ତି ।

୧୫୦ ଫୁଟ୍ ପ୍ରସ୍ଥ ବିଶିଷ୍ଟ ଏହି ପ୍ରସ୍ତାବିତ ରାସ୍ତା ପଟିଆ ରେଳ ଷ୍ଟେସନକୁ ଯୋଡିବା ସହ ନନ୍ଦନକାନନ-ପଟିଆ ରାସ୍ତାରେ ଭିଡ଼ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପଟିଆ, ଗାଡ଼କଣ ଓ ଚନ୍ଦ୍ରଶେଖରପୁର ର ତିନୋଟି ମୌଜାରେ ୧୮.୪୫୩ ଏକର ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ୩ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

୨.୬୫ କିଲୋମିଟର ଦୀର୍ଘ ଏହି ରାସ୍ତା କେବଳ ସ୍ଥାନୀୟ ଗମନାଗମନକୁ ବଢ଼ାଇବ ନାହିଁ ବରଂ ପଟିଆ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ତ୍ୱରାନ୍ୱିତ କରିବ ବୋଲି ଅଧିକାରୀମାନେ ଗୁରୁତ୍ୱାରୋପ କରିଛନ୍ତି । କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ।

୧୯୮୩ ମସିହାରେ ବିଡିଏ ପ୍ରତିଷ୍ଠା ହେବା ପରେ ପ୍ରଥମ ଥର ପାଇଁ ବିଡିଏ ଏକ ସଡ଼କ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିଛି । ନିରନ୍ତର ନଗର ଉନ୍ନୟନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶୃତିବଦ୍ଧତା ପ୍ରଦର୍ଶନ କରି ବିଡିଏ ଅଭିନବ, ଲୋକାଭିମୁଖୀ ରଣନୀତି ମାଧ୍ୟମରେ ଯୋଜନାବଦ୍ଧ ଅଭିବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।

Comments are closed.