ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନିରଂତର ଆତ୍ମ-ସମୀକ୍ଷା
କଲେ ମିଳେ ଉତ୍ତମ ଶିକ୍ଷା
ସେ ଶିକ୍ଷା ହୁଏ ଯେବେ ଦୀକ୍ଷା
ଭାଷାଟେ ପାଇଥାଏ ରକ୍ଷା
ନିଜେ ନିଜ ରଚନା ପଢ଼ି
ତହିଁରୁ ତ୍ରୁଟି ଖୋଜି, କାଢ଼ି
କରିଲେ ନିଜେ ସଂଶୋଧନ
ଲେଖାରେ ରହେନାହିଁ ଖୁଣ
ଲେଖକ ନିମଂତେ ଆଳସ୍ୟ
ହୁଅଇ ସଦା ଉପହାସ୍ୟ
ସିଏ ନ କଲେ ପରିଶ୍ରମ
ଲେଖାରେ ଲାଖିରହେ ଭ୍ରମ
ଅଯଥା ଧାରାଚ୍ୟୁତ ହୋଇ
ଯେ କେହି ଯାହା ବି ଲେଖଇ
ଖାପଛଡ଼ା ହୋଇଲେ ତାହା
ସାହିତ୍ୟ ପାଏନାହିଁ ରାହା
ଭାଷା ତ ସମୂହ ସଂପତ୍ତି
ତହିଁରେ ବ୍ୟକ୍ତିର ବିକୃତି
ଦିଶିବା ନୁହେ ସମୀଚୀନ
ଏ ସତ୍ୟ ପ୍ରତି ଦେଉଁ ଧ୍ୟାନ
ତ୍ରୁଟ୍ୟାଦି ଭୂତାଣୁ ସଦୃଶ
ଘଟାଂତି ଭାଷାର ବିନାଶ
ଅବହେଳା ଅକ୍ଷମଣୀୟ
ବୁଝିବା ଅଟେ ସ୍ପୃହଣୀୟ
ଶବ୍ଦର ବନାନଗୁଡ଼ିକ
ବିଶୁଦ୍ଧ ହେବା ଆବଶ୍ୟକ
ଲେଖାରେ ରହେ ଯଦି ତ୍ରୁଟି
ଭାବନା ପାରେନି ଉକୁଟି