Latest Odisha News

BREAKING NEWS

Arrested Public Servants: ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ୪୮ ଘଣ୍ଟାରୁ ଅଧିକ ଜେଲ୍‌ରେ ରହିଲେ ସରକାରୀ କର୍ମଚାରୀ ହେବେ ସ୍ୱତଃ ନିଲମ୍ବିତ!

ନୂଆଦିଲ୍ଲୀ: ସରକାରୀ ଚାକିରି କରୁଥିବା କୌଣସି କର୍ମଚାରୀ ଅପରାଧିକ ମାମଲାରେ ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ସମୟ ନ୍ୟାୟିକ ହେପାଜତରେ ରହିଲେ, ସେ ସ୍ୱତଃ ନିଲମ୍ବିତ ହେବେ। ଏଥିପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ପୃଥକ ଭାବେ ନିଲମ୍ବନ ଆଦେଶ ଜାରି କରିବା ଆବଶ୍ୟକ ନାହିଁ। ଏକ ମାମଲାର ଶୁଣାଣି ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ଆଇନଗତ ସ୍ଥିତି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ୍ ଜେ.ବି. ପାର୍ଡିୱାଲା ଏବଂ ଜଷ୍ଟିସ୍ ମନମୋହନଙ୍କ ଖଣ୍ଡପୀଠ ପାଟନା ହାଇକୋର୍ଟଙ୍କ ଏକ ରାୟ ବିରୋଧରେ ଦାଖଲ ଆବେଦନର ଶୁଣାଣି କରୁଥିଲେ। ଏହି ମାମଲା ବିହାରର ସମସ୍ତିପୁର ସଦର ହସ୍ପିଟାଲର ପରିଚାଳକ ବିଶ୍ୱଜିତ ସିଂହଙ୍କ ସହ ଜଡ଼ିତ। ତାଙ୍କୁ ମିଳିଥିବା ନିୟମିତ ଜାମିନକୁ ପାଟନା ହାଇକୋର୍ଟ ରଦ୍ଦ କରିଥିଲେ। ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ସେସନ୍ସ କୋର୍ଟ ପ୍ରଦାନ କରିଥିବା ଜାମିନକୁ ପୁନର୍ବାର ବଳବତ୍ତର ରଖିଛନ୍ତି।

ଶୁଣାଣି ସମୟରେ ଖଣ୍ଡପୀଠ କହିଥିଲେ ଯେ, କୌଣସି ସରକାରୀ କର୍ମଚାରୀ ୪୮ ଘଣ୍ଟାରୁ ଅଧିକ ସମୟ ନ୍ୟାୟିକ ହେପାଜତରେ ରହିଲେ ନିୟମ ଅନୁଯାୟୀ ତାଙ୍କ ନିଲମ୍ବନ ସ୍ୱତଃ ଲାଗୁ ହୋଇଯାଏ। ଏଥିପାଇଁ ବିଭାଗୀୟ ଆଦେଶର ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହି ମାମଲାରେ ବିଶ୍ୱଜିତ ସିଂହ ପ୍ରାୟ ୧୫ ଦିନ ଧରି ନ୍ୟାୟିକ ହେପାଜତରେ ରହିଥିଲେ। ତେଣୁ ତାଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।

ଏହି ମାମଲା ୨୦୨୫ ମସିହାର। ବିଶ୍ୱଜିତ ସିଂହଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୭(ବି) ଅନୁଯାୟୀ ଏକ ଏତଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ, ହସ୍ପିଟାଲର ଜଣେ ଠିକା କର୍ମଚାରୀଙ୍କ ୩୬ ହଜାର ୪୨୧ ଟଙ୍କାର ବକେୟା ଦରମା ମଞ୍ଜୁର କରିବା ବଦଳରେ ସେ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଅଭିଯୋଗରେ ଗିରଫ ହେବା ପରେ ସେସନ୍ସ କୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଅଭିଯୋଗକାରୀଙ୍କ ଆବେଦନ ଆଧାରରେ ୨୦୨୬ ଜୁଲାଇ ୧ ତାରିଖରେ ପାଟନା ହାଇକୋର୍ଟ ଉକ୍ତ ଜାମିନକୁ ରଦ୍ଦ କରିଦେଇଥିଲେ।ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଶେଷରେ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରି ସେସନ୍ସ କୋର୍ଟଙ୍କ ଜାମିନ ଆଦେଶକୁ ପୁନଃ କାର୍ଯ୍ୟକାରୀ କରିଛନ୍ତି।

Leave A Reply

Your email address will not be published.