Latest Odisha News

BREAKING NEWS

୨ ଘଣ୍ଟା କଥା ହେଲେ ଡୋଭାଲ, ୨ କିଲୋମିଟର ପଛକୁ ହଟିଲା ଚୀନ୍ ସେନା

ନୂଆଦିଲ୍ଲୀ: ଶେଷରେ ମୁଣ୍ଡ ନୁଆଁଇଲା ଡ୍ରାଗନ । ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ୍ ସେନା । ଭାରତ ସହ ଏଲଏସିରେ ବିବାଦ ମଧ୍ୟରେ ଚୀନ ସେନା କିଛି ମାତ୍ରାରେ ପଛକୁ ହଟିଛି । ଗଲୱାନ ଘାଟିର ଘଟଣାସ୍ଥଳରୁ ଚୀନ ସେନା ପ୍ରାୟ ଗୋଟିଏ କିଲୋମିଟରରୁ ୨ କିଲୋମିଟର ଯାଏଁ ପଛକୁ ହଟିଥିବା ଜଣାଯାଇଛି ।

ଦୁଇ ମାସରୁ ଅଧିକ ଦିନ ହେବ ଲାଗି ରହିଥିବା ବିବାଦରେ ହଠାତ୍ ବେଜିଂ ସେନା ୟୁ ଟର୍ଣ୍ଣ ମାରିବା ପଛରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ହାତ ରହିଛି ବୋଲି ଜଣାପଡ଼ିଛି । ଅଜିତ ଡୋଭାଲ ରବିବାର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ୨ ଘଂଟା କାଳ କଥା ହୋଇଥିଲେ। ଭିଡିଓ କନଫେରନ୍ସ ମାଧ୍ୟମରେ ହୋଇଥିଲା ଏହି ଆଲୋଚନା। ଏହାପରେ ବେଜିଂ ଦୁଇ କିଲୋମିଟର ପଛକୁ ଘୁଞ୍ଚିଥିବା ଜଣାପଡ଼ିଛି।

ଅଜିତ ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ବାର୍ତ୍ତାଳାପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଖବର ଅନୁସାରେ, ଦୁଇଦେଶ ମଧ୍ୟରେ କୌଣସି ହିଂସାର ପୁନରାବୃତି ନ କରିବାକୁ ଗଲୱାନ ଘାଟି ନିକଟରେ ଏବେ ବଫର ଜୋନ କରାଯାଇଛି । ଚୀନ ସେନା ନିଜର ଟେଂଟ, ଗାଡି ଓ ସୈନିକଙ୍କୁ ପଛକୁ ହଟାଇବା ଆରମ୍ଭ କରିଛି ।

ଗତ ମେ ମାସରୁ ହିଁ ଏଲଏସିରେ ଭାରତ-ଚୀନ ମଧ୍ୟରେ ଉତେଜନାମୂଳକ ସ୍ଥିତି ରହିଛି । ଲଦାଖ ସୀମାର ଗଲୱାନ ଘାଟିର ପେଙ୍ଗଙ୍ଗ ଲେକ ଯାଏଁ ଦୁଇଦେଶର ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଜୁନ ପ୍ରଥମ ସପ୍ତାହରେ ଦୁଇଦେଶ ମଧ୍ୟରେ ସୈନ୍ୟସ୍ତରୀୟ ବୈଠକ ହୋଇଥିଲା । କିନ୍ତୁ ୧୫ ଜୁନରେ ଦୁଇଦେଶ ମଧ୍ୟରେ ଗଲୱାନ ଘାଟିରେ ବିବାଦ ଦେଖାଦେଇଥିଲା ।

Leave A Reply

Your email address will not be published.