Latest Odisha News

BREAKING NEWS

ଗର୍ଭବତୀ ମହିଳାଙ୍କ ଲାଗି ଦେବଦୂତ ସାଜିଲେ ଡାକ୍ତରୀ ଦଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜଣେ ପ୍ରସୂତି ମହିଳାଙ୍କୁ ସାହାର୍ଯ୍ୟ କରି ଲୋକଲୋଚନକୁ ଆସିଛନ୍ତି ଜଣେ ଯୁବ ଡାକ୍ତର ଓ ତାଙ୍କ ଟିମ୍ । ଯାହା ଫଳରେ ତାଙ୍କ ପାଖକୁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ପ୍ରାପ୍ତ ସୂଚନାନୁଯାୟୀ, ଡ. ରାଧେଶ୍ୟାମ ଜେନାଙ୍କ ନେତୃତ୍ୱରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ପଲସ୍ ପୋଲିସ ଅଭିଯାନରେ ଗୋଡିଗାଣ୍ଡି ଗ୍ରାମକୁ ଯାଇଥିଲା । ଉକ୍ତ ଗ୍ରାମରେ ପହଞ୍ଚିବା ପରେ ଜଣେ ଗର୍ଭବତୀ ମହିଳା ସଙ୍କଟାପନ୍ନ ସ୍ଥିତିରେ ଥିବା ନେଇ ସମ୍ପୃକ୍ତ ଡାକ୍ତରୀ ଟିମ ଜାଣିବାକୁ ପାଇଥିଲେ ।

ସଙ୍ଗେସଙ୍ଗେ ଡାକ୍ତର ଜେନା ଓ ତାଙ୍କ ଟିମ୍ ପ୍ରସୂତି ମହିଳାଙ୍କ ଘରେ ପହଞ୍ଚିବା ସହ ସଫଳତାର ସହ ତାଙ୍କର ପ୍ରସବ କରାଇଥିଲେ । ତେବେ ମହିଳାଙ୍କ ଗର୍ଭରେ ଆଉ ଗୋଟିଏ ଶିଶୁ ଥିବା ଜାଣିପାରି ଡାକ୍ତରୀ ଦଳ ଏକ ଖଟିଆ ସାହାର୍ଯ୍ୟରେ ସମ୍ପୃକ୍ତ ମହିଳାଙ୍କୁ ନେଇ ଦୀର୍ଘ ୮ ଘଣ୍ଟା ସମୟ ଚାଲି ଚାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ।

ପରେ ଚିକିତ୍ସାଧୀନ ଅବସ୍ଥାରେ ମହିଳା ଜଣକ ଆଉ ଗୋଟିଏ ଶିଶୁକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ସମୟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.