Latest Odisha News

BREAKING NEWS

ସନ୍ତାନ ପ୍ରାପ୍ତି ପାଇଁ ମହିଳାଙ୍କୁ ମଣିଷ ହାଡ଼ଗୁଣ୍ଡ ଖାଇବାକୁ ବାଧ୍ୟ କରୁଥିଲେ ଶ୍ୱଶୁର ଘର ଲୋକେ, ୭ ଜଣଙ୍କ ନାଁରେ ମାମଲା

 

ପୁଣେ: ଆଧୁନିକତାର ଚାକଚକ୍ୟରେ ସଫଳତା ପାଇଁ ମଣିଷ ପୁଣି ହଜୁଛି ଗୁଣିଗାରେଡ଼ିର ଅନ୍ଧାର ଗଳିରେ। ଭାଗ୍ୟ ବଦଳାଇବାର ପ୍ରୟାସରେ ବିଜ୍ଞାନ ଯୁଗରେ ମଣିଷ ବାହିରିଛି ତାନ୍ତ୍ରୀକର ସନ୍ଧାନରେ। ତାନ୍ତ୍ରୀକ ତନ୍ତ୍ର ମନ୍ତ୍ର ଦେଇ ବଦଳାଇ ଦେବ ଭାଗ୍ୟ। ଏହି ଆଶାରେ ଶାଶୂଘର ଲୋକେ ବୋହୂକ ଖୁଆଇଲେ ମଣିଷ ହାଡ଼ଗୁଣ୍ଡ। ସନ୍ତାନପ୍ରାପ୍ତୀ ଆଶାରେ ମହିଳାଙ୍କୁ ଶାଶୂଘର ଲୋକେ ଜବରଦସ୍ତି ମଣିଷହାଡ଼ ଗୁଣ୍ଡ ଖୁଆଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେର।

ଏହି ଘଟଣାରେ ବୁଧବାର ପୁଲିସ ୭ ଜଣଙ୍କର ନାଁରେ ମାମଲା ରୁଜୁ କରିଛି। ଶାଶୂ, ସ୍ୱାମୀ ଓ ଅନ୍ୟମାନଙ୍କ ସହ ତାନ୍ତ୍ରୀକ ନାଁରେ ବି ମାମଲା ହୋଇଛି। ମାମଲା ସମ୍ପର୍କରେ ସୂଚନା ଦେଇ ପୁଣେ ସିଟିପି ପୁଲିସ ଡିସିପି ସୁହେଲ ଶର୍ମା କହିଛନ୍ତି “ ପୁଲିସ ଆପିସି ଧାରା ୪୯୮ଏ, ୩୨୩, ୫୦୬ ଓ ମହାରାଷ୍ଟ୍ର ଗୁଣିଗାରେଡ଼ି ନିରୋଧୀ ଆଇନ୍ ଧାରା ୩ ଅନୁସାରେ ୭ ଜଣଙ୍କ ନାଁରେ ମାମଲା ହୋଇଛି।”

ଏଏନ୍‌ଆଇର ସୂଚନା ଅନୁସାରେ, ମହିଳା ଜଣଙ୍କ ଏହି ଘଟଣାରେ ଦୁଇଟି ଅଲଗା ଅଲଗା ମାମଲା କରିଛନ୍ତି। ମହିଳାଙ୍କ ଅଭିଯୋଗ କ୍ରମେ ୨୦୧୯ରେ ବାହାଘର ସମୟରେ ଶ୍ୱଶୁର ଘର ଲୋକେ, ନଗଦ ଟଙ୍କା, ସୁନା ଓ ରୁପା ଗହଣା ଯୌତୁକ ମାଗିଥିଲେ। ଏହି ଅଭିଯୋଗରେ ପୁଲିସ ମାମଲା ରୁଜୁ କରିବା ସହ ଗୁଣିଗାରେଡ଼ି ନେଇ ଦ୍ୱିତୀୟ ମାମଲା ରୁଜୁ କରିଥିଲା।

ପୁଲିସର ସୂଚନା ଅନୁସାରେ ପ୍ରତି ଅମାବାସ୍ୟାରେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଏକ ଅଜଣା ମଶାଣିକୁ ନେଇଯାଉଥିଲେ। ସେଠାରେ ତାଙ୍କୁ ମଣିଷହାଡ଼ ଗୁଣ୍ଡ ଖାଇବାକୁ ବାଧ୍ୟ କରାଯାଉଥିଲା। କେବଳ ସେତିକୁ ନୁହେଁ ମହାରାଷ୍ଟ୍ରର କୋନକନ ଅଞ୍ଚଳରେ ଥିବା ଏକ ଜଳପ୍ରପାତ ଭିତରେ ବସି ତନ୍ତ୍ରକାର୍ଯ୍ୟ କରିବାକୁ କୁହାଯାଉଥିଲା।

ଏପଟେ ଭିଡିଓ କଲ୍‌ରେ ତାନ୍ତ୍ରୀକ ମହିଳାଙ୍କୁ ନିର୍ଦ୍ଦେଶ ଦେଉଥିଲେ। ନିର୍ଦ୍ଦେଶ ଅନୁସାରେ ମହିଳା ଜଳପ୍ରପାତ ଭିତରେ ବସି ତନ୍ତ୍ର ବିଧି କରୁଥିଲେ। ଘଟଣାର ଗୁରୁତ୍ୱକୁ ନେଇ ଅଭିଯୋଗରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଖୁବଶୀଘ୍ର ଦୋଷୀମାନଙ୍କୁ ଗିରଫ କରାଯିବ। ଜଣେ ଏସିପି ରାଙ୍କର ଅଫିସର ଏହାର ତଦନ୍ତ କରିବେ ବୋଲି ଡିସିପି ଶର୍ମା ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ମହିଳାଙ୍କ ପରିବାର ଉଚ୍ଚଶିକ୍ଷିତ। ତଥାପି ଏମାନେ ତାନ୍ତ୍ରମନ୍ତ୍ର ମୟାରା ଛନ୍ଦି ହୋଇ ଏପରି କରୁଛନ୍ତି ବୋଲି ପୁଲିସ କହିଛି।

Leave A Reply

Your email address will not be published.