Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ତାଜୁବ ହୋଇଗଲା ମୀନାକ୍ଷି । ବାଳକଟିର ମୁଖରେ ଚନ୍ଦ୍ରଭାନୁଙ୍କ ଚେହେରା ସୁସ୍ପଷ୍ଟ । ତା’ର ମନ-ମସ୍ତିଷ୍କ କ୍ରମଶଃ ସ୍ଥିରତା ହରାଉଥିଲା । ସମସ୍ତ ପ୍ରମାଣ ଲୋକଲୋଚନକୁ ଆସି ଯାଇଥିବା ହୃଦ୍‌ବୋଧ କରି ଆଉ
ଲୁକ୍‌କାୟିତ କରିବା ପାଇଁ ପଦ୍ମିନୀର ଧୌର୍ଯ୍ୟ ନଥିଲା । ଅତି କଷ୍ଟରେ ତା’ ମୁହଁରୁ ବାହାରିଲା କେତୋଟି ଶବ୍ଦ, ତୋର ସନ୍ଦେହ ହେଉଛି ନା ମୀନାକ୍ଷି ? ଏଇ ପୁଅ ଚନ୍ଦ୍ରଭାନୁଙ୍କର… !

ତେବେ ୟା’ର ମା’…?
– ତୋ ସୁଖରେ ।
– ହ୍ୱାଟ ! କ୍ଷୀଣ ଚିତ୍କାର କରିଉଠିଲା ମୀନାକ୍ଷି । ସତ କହୁଛୁ ପଦ୍ମିନୀ… ?
– କେତେ ଆଉ ମିଛ କହିବି ମୀନାକ୍ଷି । କାହା ଆଗରେ ଆଉ ମିଛ କହିବି ? ବାରମ୍ବାର ଚାକିରି ବଦଳାଇ… ପ୍ରତି ଚାରି, ଛ’ ମାସରେ ଘର ବଦଳାଇ… ମିଛ କହି କହି ମୁଁ ଥକି ଗଲିଣିରେ…. ।

ମାନସିକ ସ୍ତରରେ ଖୁବ୍ କ୍ଳାନ୍ତ ହୋଇଯାଇଥିବା ପଦ୍ମିନୀର ଆଖି ଛଳଛଳ ହୋଇ ଆସିଲା । ମୀନାକ୍ଷୀ କିନ୍ତୁ ଏବେ ମଧ୍ୟ ଜିଜ୍ଞାସୁ ଥିଲା । ତା’ ମନରେ ଅଜସ୍ର ପ୍ରଶ୍ନ ଉଙ୍କି ମାରୁଥିଲେ । ପଦ୍ମିନୀ ଉଦ୍ଦେଶ୍ୟରେ ପୁଣି ତା’ର ପ୍ରଶ୍ନ ମୁହଁରୁ ବାହାରି ଆସିଲା ।

– ଏ ସବୁ କେମିତି ସମ୍ଭବ ହେଲା ?
– ଏବେ ମୁଁ କିଛି କହି ପାରିବିନି ମୀନାକ୍ଷି… ତୁ ଆଉ ଦିନେ ଆ.. ମୁଁ ମନରେ କିଛିଟା ଧୈର୍ଯ୍ୟ ସଂଗ୍ରହ କରିଥିବି … କଥା ହେବା… ବିଶ୍ୱାସ କର, ତତେ କିଛି ବି ଲୁଚାଇବିନି…. ।
– ଆଉ ଦିନେ ନୁହେଁ ପଦ୍ମିନୀ ! ମୁଁ କାଲି ଏଇ ସମୟରେ ଆସିବି ।

ଚନ୍ଦ୍ରଭାନୁ ସହ ତୋ’ର କି ଭଳି ସମ୍ପର୍କ ଥିଲା, ମୁଁ ଜାଣିନି । କିନ୍ତୁ ତୁ ନିଶ୍ଚିତ ଭାବରେ ପରିତ୍ୟକ୍ତା, ଏଥିପାଇଁ ତୋ ମନ ଭିତରେ ଆଜି ଯେଉଁ ଦୁଃଖର ନିଆଁ ଜଳି ଉଠୁଛି, ସ୍ୱାମୀର ଅତୀତ କଳଙ୍କକୁ ନିଜ ଆଖିରେ ଦେଖି ମୁଁ ମଧ୍ୟ କିଛି କମ୍ ଦୁଃଖୀ ନୁହେଁ । ମୁଁ ତେବେ ଆସୁଛି…. ।

ଯେମିତି ଝଡ଼ଭଳି ଆସିଥିଲା, ସେମିତି ତୋଫାନର ଗତି ନେଇ ଲେଉଟି ଗଲା ମୀନାକ୍ଷି । ପଛରେ ଛାଡ଼ି ଦେଇଗଲା ଅସରନ୍ତି ଦୁଃଖର ପୃଷ୍ଠାପରେ ପୃଷ୍ଠା । ଅବସର ଦେଇଗଲା ପଦ୍ମିନୀକୁ, ବାଧ୍ୟ ହୋଇ ଓଲଟାଇବାକୁ ଜୀବନ ପାଞ୍ଜିର ହସ ଲୁହଭରା ବର୍ଷ, ମାସ, ଦିନ, ସବୁକୁ… ।

କ୍ରମଶଃ

Leave A Reply

Your email address will not be published.