ଚଣ୍ଡିଗଡ଼: ଆମ ଆଦମୀ ପାର୍ଟି (ଆପ୍) ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ କ୍ରିକେଟର ତଥା ରାଜ୍ୟ ସଭା ସାଂସଦ ହରଭଜନ ସିଂ । ଏହାପରେ ହରଭଜନଙ୍କ ସୁରକ୍ଷା ବ୍ୟବସ୍ଥାକୁ ପଞ୍ଜାବ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ରବିବାର ହରଭଜନଙ୍କ ବାସଭବନରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ହଟାଇ ଦିଆଯାଇଛି ।
ଶନିବାର ଦିନ ଲୁଧିଆନା ଏବଂ ଜଲନ୍ଧରରେ ଆମ ଆଦମୀ ପାର୍ଟିର କର୍ମୀମାନେ ହରଭଜନ ସିଂ, ଅଶୋକ ମିତ୍ତଲ ଏବଂ ରାଜିନ୍ଦର ଗୁପ୍ତାଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉତ୍ତ୍ୟକ୍ତ କର୍ମୀମାନେ ସାଂସଦମାନଙ୍କ ଘର କାନ୍ଥରେ ’ଗଦ୍ଦାର’ (ବିଶ୍ୱାସଘାତକ) ବୋଲି ଲେଖିବା ସହ ‘ପଞ୍ଜାବର ଗଦ୍ଦାର’ ବୋଲି କହି ସ୍ଲୋଗାନ ଦେଇଥିଲେ । ପଞ୍ଜାବ ଜନତାଙ୍କ ସହ ଏହି ସାଂସଦମାନେ ବିଶ୍ୱାସଘାତକତା କରିଥିବା ’ଆପ’ କର୍ମୀମାନେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ, ଏହି ଘଟଣାର ମାତ୍ର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ତାଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳୟ ଯୋଗାଇ ଦେଇଛନ୍ତି । ଏବେ ଦିଲ୍ଲୀ ଓ ପଞ୍ଜାବରେ ସିଆରପିଏଫ କମାଣ୍ଡୋମାନେ ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ । ରବିବାର ସକାଳୁ ଜଲନ୍ଧର ସ୍ଥିତ ତାଙ୍କ ବାସଭବନ ବାହାରେ ସିଆରପିଏଫ ଯବାନମାନଙ୍କୁ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ନିକଟରେ ରାଘବ ଚଡ୍ଡାଙ୍କ ସହିତ ଆପ୍ ର ୭ ଜଣ ରାଜ୍ୟସଭା ସାଂସଦ ପାର୍ଟି ଛାଡିଛନ୍ତି । ତେବେ ଆପ୍ ର ୭ ସାଂସଦ ଛାଡିବା ପରେ ପାର୍ଟି ବେଶ୍ ଚିନ୍ତାରେ ରହିଛି । ରାଘବ ଚଡ୍ଡା, ହରଭଜନ ସିଂ, ସ୍ବାତି ମାଲିୱାଲ, ଅଶୋକ ମିତ୍ତଲ, ରାଚିନ୍ଦର ଗୁପ୍ତା ସହ ଅନେକ ସାଂସଦ ପାର୍ଟି ଛାଡିଛନ୍ତି । ସାଂସଦ ମାନଙ୍କର ଏହି ଦଳବଦଳକୁ ନେଇ ଆପ୍ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।