ରାୟପୁର; ଛତିଶଗଡ଼ସ୍ଥିତ ବୃହତ ଓଡ଼ିଆ ସମାଜର ସଭାପତି ରୂପେ ବିଶିଷ୍ଟ ସମାଜସେବୀ ପୁରନ୍ଦର ମିଶ୍ର ନିର୍ବାଚିତ ହୋଇଛନ୍ତି। ଏହି ବୃହତ ସମାଜ ଅଧୀନରେ ପ୍ରଦେଶର ୩୫ ଲକ୍ଷ ଓଡ଼ିଆ ନିବାସୀଙ୍କୁ ପ୍ରତିନିଧିତ୍ଵ କରୁଥିବା ୨୪ଟି ସମାଜକୁ ସାମିଲ କରାଯାଇଛି । ଏମାନେ ହେଲେ ବ୍ରାହ୍ମଣ, କୋଲତା, ସୌରାଂ, ଗୌଡ଼, ମହାକୂଳ, ଗାଡା, ଘାସି, ଯାଦବ, ଧୋବା, କୈବର୍ତ୍ତ, ମେହେର, ତେଲି, ବଣିଆ, ଶୋଢ଼ି, ମାଳି, ଭଣ୍ଡାରି, ଖଡ଼ିୟ, ବିଂଝାଭର, ଖରରା, କୁମ୍ଭାର, କଂସାଇ, କୋଡ଼ା, ଭୂୟାଁ ଓ ମହାନ୍ତି ଆଦି ସମାଜ ।
ନିକଟରେ ରାୟପୁରର ଗାୟତ୍ରୀ ନଗରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମଗ୍ର ଛତିଶଗଡ଼ରେ ବସବାସ କରୁଥିବା ଓଡ଼ିଆ ଅଧିବାସୀ ମାନଙ୍କର ଏକ ମହାସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଦେଶର ଓଡ଼ିଆ ବାସିନ୍ଧା ମାନଙ୍କର ଗର୍ବ ଏବଂ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା, ସେମାନଙ୍କର ବୃହତ୍ତର ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ତଥା ଓଡ଼ିଆ ସମ୍ପ୍ରଦାୟର ସର୍ବାଙ୍ଗୀନ ଉନ୍ନୟନ ସାଧନକୁ ସମ୍ଭବପର କରିବା ଲକ୍ଷ୍ୟରେ ଏଠାକାର ସମସ୍ତ ଓଡ଼ିଆ ସମାଜକୁ ଗୋଟିଏ ଛାମୁଆ ସଂଗଠନର ଅଧୀନରେ ଏକଜୁଟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୃହତ ଓଡ଼ିଆ ସମାଜର ମୁଖିଆ ରୂପେ ଛତିଶଗଡ଼ ବ୍ରାହ୍ମଣ ସମାଜର ସଭାପତି ଏବଂ ରାୟପୁରଠାରେ ରାଜ୍ୟର ସବୁଠୁ ବଡ଼ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।
ସଭାପତି ଆସନ ଗ୍ରହଣ କରିବା ପରେ ପୁରନ୍ଦର ମିଶ୍ର, ସଭାକୁ ସମ୍ବୋଧନ କରି ଛତିଶଗଡ଼ର ମୂଳ ବାସିନ୍ଦା ଭାବେ ପ୍ରାୟ ୩୫ ଲକ୍ଷ ଓଡ଼ିଆ ଭୋଟଦାତାଙ୍କର ୧୦ଟି ଜିଲ୍ଲାର ୩୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଶେଷ ପ୍ରଭାବ ରହିଥିବା ପ୍ରକାଶ କରିଥିଲେ। ଏହି ଦୃଷ୍ଟିରୁ ଛତିଶଗଡ଼ ରାଜନୀତିରେ ଓଡ଼ିଆ ସମ୍ପ୍ରଦାୟର ନିର୍ଣ୍ଣାୟକ ଭୂମିକା ରହି ଆସିଥିଲେ ହେଁ, ଏମାନଙ୍କୁ ସବୁ ଦିଗରେ ଅବହେଳା ଓ ଅଣଦେଖା ପ୍ରଦର୍ଶନ କରାଯାଉଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଛତିଶଗଡ଼ର ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ସମୃଦ୍ଧି କ୍ଷେତ୍ରରେ ଓଡ଼ିଆ ସମାଜର ବଳିଷ୍ଠ ଯୋଗଦାନ ରହିଥିବା ବେଳେ, ସେମାନଙ୍କୁ ଉଚିତ ମାନ୍ୟତା ମିଳୁନଥିବାରୁ ଶ୍ରୀ ମିଶ୍ର ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ନବଗଠିତ ବୃହତ ଓଡ଼ିଆ ସମାଜ ଛତିଶଗଡ଼ସ୍ଥିତ ସମସ୍ତ ଓଡ଼ିଆ ଅଧିବାସୀ ମାନଙ୍କର ନାଯ୍ୟ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସଂଗ୍ରାମ କରିବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ।
Comments are closed.