Latest Odisha News

BREAKING NEWS

ରଥଯାତ୍ରା ଲାଗି ପ୍ରଥମ ସମନ୍ବୟ ବୈଠକ :ଶ୍ରୀକ୍ଷେତ୍ରରେ ୧୫ ଲକ୍ଷ ଭକ୍ତ ସମାଗମକୁ ଆଖିରେ ରଖି ପ୍ରସ୍ତୁତି

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ‌‌ହୋଇଯାଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ, ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଓ ବିଭିନ୍ନ ନିଯୋଗର ସଦସ୍ୟ ଏଥିରେ ଉପସ୍ଥିତ ଥିଲେ। ‌ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଥଯାତ୍ରା ଅନୁଷ୍ଠିତ ହେବ।

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ରଥଯାତ୍ରାରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ୨ଟି କାର୍ଯ୍ୟପନ୍ଥା କରାଯାଇଛି । ପ୍ରଥମତଃ କୋଭିଡ ସଂକ୍ରମଣ ବଢ଼ିଲେ, କଟକଣା ସହିତ ମହାପ୍ରଭୁଙ୍କ ରଥଯାତ୍ରାର ଆୟୋଜନ କରାଯିବ। କୋଭିଡ଼ ସଂକ୍ରମଣ ବଢ଼ିଲେ କିଭଳି ଆୟୋଜନ କରାଯିବ ସେ ନେଇ ଆଲୋଚନା ହୋଇଛି। ଦ୍ବିତୀୟତଃ ସଂକ୍ରମଣ ନ ଥିଲେ ଅଥବା ନିୟନ୍ତ୍ରିତ ‌ଥଲେ ଏବଂ ଭକ୍ତଙ୍କୁ ଆସିବାକୁ ଅନୁମତି ମିଳିଲେ ତାକୁ ନଜରରେ ରଖି ବ୍ୟବସ୍ଥା କରାଯିବ।

ତେବେ ରଥଯାତ୍ରା ସମୟରେ କୋଭିଡ ସଂକ୍ରମଣ ଯଦି ସାଧ‌ାରଣ ଅବସ୍ଥାରେ ଥିବ ତା’ହେଲେ ୨୦୧୯ ରଥଯାତ୍ରା ତୁଳନାରେ ଅଧିକ ଶ୍ରଦ୍ଧାଳୁଙ୍କ ପୁରୀ ଆଗମନ ହୋଇପାରେ। ଦେଢରୁ ଦୁଇଗୁଣା ଅର୍ଥାତ ପାଖାପାଖି ୧୨ରୁ ୧୫ ଲକ୍ଷ ଭକ୍ତ ଏଥର ଘୋଷଯାତ୍ରାରେ ସାମିଲ ହୋଇପାରନ୍ତି । ତେଣୁ ଏତେ ସଂଖ୍ୟକ ଭକ୍ତ ଗହଳିକୁ ଆଖିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରଶାସନ ରଥଯାତ୍ରା ସମୟରେ କେବଳ ଦୁଇଟି ଡୋଜ ଟିକା ଓ ବୁଷ୍ଟର ଡୋଜ ନେଇଥିବା ଲୋକେ ପୁରୀ ଆସିବାକୁ ଆହ୍ୱାନ ଦେଇଛି।

କୋଭିଡ ସଂକ୍ରମଣ ସ୍ଥିତି ସ୍ୱାଭାବିକ ହେବା ପରେ ଏଥର ପ୍ରବଳ ଗହଳି ଭିତରେ ରଥଯାତ୍ରା ହୋଇପାରେ ।  ପ୍ରଥମ ସମନ୍ୱୟ ବୈଠକରେ ଭକ୍ତଙ୍କ ସମାଗମ ନେଇ ଆଲୋଚନା ହୋଇଛି। ଏଥିସହ ରଥ ନିର୍ମାଣ, ସ୍ବାସ୍ଥ୍ୟ, ସଫେଇ, ପାନୀୟ ଜଳ ବ୍ୟବସ୍ଥା, ଇଲେକ୍ଟ୍ରି, ପରିିବହନ, ରେଳଷ୍ଟେସନ, ପାର୍କିଂ, ଡ୍ରେନେଜ୍‌, ସ୍ବରେଜ, ‌ସୁରକ୍ଷା ବ୍ୟବସ୍ଥା, ଟେଲିଫୋନ୍‌, ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପ୍ରମୁଖ ପ୍ରସଙ୍ଗ ଚର୍ଚ୍ଚା ହୋଇଛି। କରୋନା ଯୋଗୁଁ ଦୁଇବର୍ଷ ହେଲା ରଥ ଯାତ୍ରାରେ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳି ନଥିଲା । ତେଣୁ ଆକଳନ କରାଯାଉଛି, ଏଥର ରଥଯାତ୍ରାରେ ନବକଳେବର ଭଳି ଭକ୍ତଙ୍କ ଗହଳି ହୋଇପାରେ ।

Leave A Reply

Your email address will not be published.