Latest Odisha News

BREAKING NEWS

National Highway: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥକୁ ୮ ଲେନ୍‌ କରାଯିବ: ମନ୍ତ୍ରୀ

ପୁରୀ: ୮ ଲେନ୍‌ ହେବ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ । ପୁରୀ-କୋଣାର୍କ, ପୁରୀ-ସାତପଡ଼ା ଏବଂ ପିପିଲି-କୋଣାର୍କ ରାଜପଥ ୪ ଲେନ୍‌ ବିଶିଷ୍ଟ କରାଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଥିପାଇଁ ନୀତିଗତ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଜାତୀୟ ଟୁର୍ ଅପରେଟର ସଂଘ ପକ୍ଷରୁ ଆୟୋଜିତ ବାର୍ଷିକ ସମ୍ମିଳନୀର ରବିବାର ଉଦଯାପନୀ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନର ବିକାଶ ପାଇଁ ଅଧିକ ଗୁରୁତ୍ବ ଦିଆଯିବ । ଜଗନ୍ନାଥଙ୍କ ଲୀଳାକ୍ଷେତ୍ରଗୁଡ଼ିକୁ ପର୍ଯ୍ୟଟନ ତାଲିକାରେ ସାମିଲ କରାଯିବ ।

ରାଜ୍ୟରେ ଥିବା ୫୭୨ କିମି ଉପକୂଳରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରାଯିବ। ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ନିମନ୍ତେ ଏକ ବୈଷୟିକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି । ସୋନାପୁର-ଗୋପାଳପୁର ବେଳାଭୂମି ନିକଟରେ ହୋଟେଲ ପ୍ରକଳ୍ପ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଭଳି ଆଉ କିଛି ସ୍ଥାନ ଚିହ୍ନଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ପୁରୀ ସମୁଦ୍ରକୂଳ ନିକଟରେ ଥିବା ଗୁରୁ ନାନକଙ୍କ ବାଉଳି ମଠର ପୁନରୁଦ୍ଧାର କରାଯିବ । ହିନ୍ଦୁ ଓ ବୁଦ୍ଧିଷ୍ଟ ସର୍କିଟ୍‌ ସମେତ ଶକ୍ତିପୀଠଗୁଡ଼ିକର ଆବଶ୍ୟକ ବିକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.