Latest Odisha News

BREAKING NEWS

ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ, ୨୧ ଦିନବ୍ୟାପୀ ଚାପ ଖେଳିବେ ମହାପ୍ରଭୁ

ପୁରୀ: ଆଉ କିଛି ଦିନ ପରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଆସନ୍ତା ମେ’ ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଦୀର୍ଘ ୨୧ ଦିନବ୍ୟାପୀ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଚାପ ଡଙ୍ଗାରେ ବସି ଜଳ କ୍ରୀଡ଼ା କରିବେ । ଏନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି ।

ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଥିବା ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ଭୋଇ ସେବକମାନେ ବାହାର କରିଛନ୍ତି । ମହାରଣା ସେବକ ମାନେ ଏହାକୁ ମରାମତି କରିବା ପରେ ଚାପ ଡଙ୍ଗା ଗୁଡ଼ିକ ପ୍ରସ୍ତୁତ ହେବ । ସେପଟେ ଚନ୍ଦନ ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି ।

ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଗତ ବର୍ଷ ଚନ୍ଦନ ଯାତ୍ରା ସମାପନ ପରେ ରଖା ଯାଇଥିବା ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ପାଣି ଭିତରୁ ବାହାର କରାଯାଇଛି । ପରମ୍ପରା ଅନୁଯାୟୀ ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବକ ନନ୍ଦା, ଭଦ୍ରା ଓ ବୈଜୟନ୍ତରୀ ସମୁଦାୟ ୫ଟି ଡଙ୍ଗାକୁ ପାଣି ଭିତରୁ କାଢ଼ିଛନ୍ତି । ଏହି ଡଙ୍ଗା ଗୁଡିକୁ ଖରାରେ ସୁଖାଯିବା ପରେ ପିଚୁ ରାଳ ଦିଆଯାଇ ମରାମତି କରାଯିବ ।

Leave A Reply

Your email address will not be published.