Latest Odisha News

BREAKING NEWS

ଗଜପତି ମହାରାଜାଙ୍କୁ କାହିଁକି କୁହାଯାଏ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ଠାକୁର ରାଜା ତଥା ଦାରୁବ୍ରହ୍ମଙ୍କର ପ୍ରଥମ ସେବକ ହେଲେ ପୁରୀ ଗଜପତି ମହାରାଜା । ପ୍ରାଚୀନ ସମୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନୀତି, ଯାନିଯାତ୍ରା ସହିତ ଗଜପତି ମହାରାଜା ପାରମ୍ପରିକ ରୀତିରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ।

ଏହି ସେବା ନୀତି ପୁରୀ ରାଜବଂଶର ବଂଶାନୁକ୍ରମିକ ଅଟେ । ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ରଥଯାତ୍ରା ଓ ଦଶମୀ ଦିନ ବାହୁଡ଼ା ଯାତ୍ରା ଅବସରରେ ରଥ ଉପରେ ଗଜପତି ମହାରାଜା ଛେରାପହଁରା ଓ ଯଥା ରୀତି ସେବା କରିଥାଆନ୍ତି।

ସମଗ୍ର ଉକ୍ରଳର ପରମାରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ତଥା ଆଦ୍ୟ ସେବକ ରୂପେ ପୁରୀ ଗଜପତି ମହାରାଜା ସୁପରିଚିତ। ଏପରିକି ପୁରୀ ଗଜପତି ମହାରାଜା ଉକ୍ରଳ ପ୍ରଦେଶରେ କାଳ କାଳରୁ ଆଜି ପର୍ଯ୍ୟନ୍ତ ଠାକୁର ରାଜା ତଥା ଚଳନ୍ତି ବିଷ୍ଣୁ ରୂପେ ସମ୍ମାନିତ ହୋଇଆସୁଛନ୍ତି ।

ଅତୀତରେ ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ରଥଯାତ୍ରାରେ ଗଜପତି ମହାରାଜାଙ୍କ ଛେରାପହଁରା ଲାଗି ପଟୁଆର ଓ ଶୋଭାଯାତ୍ରା ବହୁ ଆଡ଼ମ୍ବର ସହକାରେ ପାଳିତ ହେଉଥିଲା । ରାଜାମାନେ ସୁସଜ୍ଜିତ ହସ୍ତୀ ସହିତ ବର୍ଣ୍ଣାଢ୍ୟ ପଟୁଆରରେ ରଥ ନିକଟକୁ ଆସୁଥିଲେ । ରଥରେ ଛେରାପହଁରା ନୀତି ସମାପନ କରୁଥିଲେ ।

ବର୍ତ୍ତମାନର ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ । ସେ ରାଜାଭିଷେକ ହେବାର ପ୍ରଥମ କିଛିବର୍ଷ ମଧ୍ୟରେ ତାଙ୍କ ଜୀବନରେ କେତୋଟି ଦିବ୍ୟ ଅନୁଭୁତି ରହିଛି । ମହାପ୍ରଭୁ ରତ୍ନବେଦୀ, ବାଇସି ପାହାଚ ଅତିକ୍ରମ କଲାପରେ ସିଂହଦ୍ୱାର କୁମୁଟ ନିକଟରେ ପହଣ୍ଡିରେ ଅଟକି ଗଲେ । ପହଣ୍ଡିରେ ଆଉ ଆଗକୁ ଯାଇନପାରି ମହାପ୍ରଭୁ ସେଇଠି ଅଟକିଗଲେ ।

ସେବକ, ସେବାୟତ, ଦଇତାପତିମାନଙ୍କର ଟଣାଟଣି ଉଠାପକାରେ ମଧ୍ୟ ମହାପ୍ରଭୁ ତିଳେ ହେଲେ ହଲିଲେ ନାହିଁ ମଧ୍ୟ । କ’ଣ କରିବେ ଠାକୁର କିପରି ପହଣ୍ଡି କରି ଆଗକୁ ଯିବେ ସେହି ଚିନ୍ତା ସମସ୍ତଙ୍କୁ ଘାରିଲା । ପରେ ଏନେଇ ଗଜପତି ମହାରାଜାଙ୍କୁ ସୂଚନା ଦିଆଗଲା।

ଗଜପତି ମହାରାଜା ରାଜନହରରୁ ଝପଟି ଆସିଲେ । ବଡ଼ଦାଣ୍ଡର ଗହଳି ଭିତରେ ମହାପ୍ରଭୁଙ୍କ ସମ୍ମୁଖରେ ଲମ୍ବ ହୋଇ ଶୋଇପଡ଼ିଲେ । ମହାପ୍ରଭୁଙ୍କୁ ହାତଯୋଡ଼ି ପ୍ରଣିପାତ କରି ଆକୁଳ ନିବେଦନ କଲେ, ମଣିମା ଆପଣ ଚାଲନ୍ତୁ ମଣିମା…ବାସ୍ ତାପରେ ସେବାୟତମାନେ ମହାପ୍ରଭୁଙ୍କୁ ଟେକିବାରୁ ମହାପ୍ରଭୁ ପୁନର୍ବାର ପହଣ୍ଡିରେ ଆଗକୁ ଚାଲିଲେ । ଉପସ୍ଥିତ ଶହ ଶହ ଭକ୍ତମାନଙ୍କ ମୁହଁରୁ ସ୍ୱତଃପ୍ରବୃତ ଉଚ୍ଚାରିତ ହେଉଥିଲା । ‘ଜୟ ଜଗନ୍ନାଥ’, ‘ଜୟ ଜଗନ୍ନାଥ’, ‘ଜୟ ଜଗନ୍ନାଥ’।

ଗଜପତି ବଂଶର ପରମ୍ପରା ଅନୁସାରେ ଜେନାମଣିମାନେ ମହାରାଜା ପଦରେ ଅଭିଷିକ୍ତ ହେଲାପରେ କେବଳ ଚାରୋଟି ନାମରେ ନାମିତ କରାଯାଇଥାଏ । ଯଥା – ରାମଚନ୍ଦ୍ର ଦେବ, ବୀରକିଶୋରଦେବ, ଦିବ୍ୟସିଂହଦେବ ଓ ମୁକୁନ୍ଦ ଦେବ ।

ସେହିପରି ରାଣୀମାନଙ୍କର ନାମ ଯଥାକ୍ରମେ ଚନ୍ଦ୍ରମଣି ପାଟମହାଦେଇ, ସୂର୍ଯ୍ୟମଣି ପାଟମହାଦେଇ, ଲୀଳାବତୀ ହୋଇଥାଏ ।

Leave A Reply

Your email address will not be published.