Latest Odisha News

BREAKING NEWS

‘ନୀଳାଦ୍ରି ବିଜେ’: ୨୭ ଦିନ ପରେ ରତ୍ନବେଦୀକୁ ଫେରିବେ ଶ୍ରୀଜୀଉ, ସିଂହଦ୍ୱାରରେ ଭାବମୟ ପରିବେଶ

ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ହେଉଛି ଅନ୍ତିମ ପର୍ବ ତଥା ପବିତ୍ର ‘ନୀଳାଦ୍ରି ବିଜେ’। ଦୀର୍ଘ ୨୭ ଦିନ ଧରି ଖାଲି ପଡ଼ିଥିବା ଶ୍ରୀମନ୍ଦିରର ରତ୍ନବେଦୀ ଆଜି ପୁଣିଥରେ ଦିବ୍ୟ ଆଲୋକରେ ଉଜ୍ଜ୍ୱଳିତ ହୋଇଉଠିବ। ଆଜି ସନ୍ଧ୍ୟାରେ ରଥ ଉପରୁ ଗୋଟି ପହଣ୍ଡିରେ ଆସି ଗର୍ଭଗୃହରେ ବିରାଜମାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସ୍ନାନ ପୂର୍ଣ୍ଣିମାଠାରୁ ରତ୍ନବେଦୀ ଛାଡ଼ିଥିଲେ ଶ୍ରୀଜୀଉ। ସ୍ନାନ ମଣ୍ଡପରେ ମହାସ୍ନାନ, ଅନବସର ଘରେ ଗୁପ୍ତ ନୀତି, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଲୀଳାଖେଳା ସାରି ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ଏବେ ୧୨ଶ ଶତାବ୍ଦୀର ଏହି ପବିତ୍ର ମନ୍ଦିରର ଗର୍ଭଗୃହକୁ ଫେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ନୀଳାଦ୍ରି ବିଜେ ସମ୍ପନ୍ନ ହେବା ସହିତ ଚଳିତ ବର୍ଷର ବାର୍ଷିକ ରଥଯାତ୍ରା ଉତ୍ସବରେ ବିଧିବଦ୍ଧ ଭାବେ ପୂର୍ଣ୍ଣଚ୍ଛେଦ ପଡ଼ିବ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ଅପରାହ୍ଣ ୪ଟାରେ ଶ୍ରୀଜୀଉମାନଙ୍କର ବହୁ ପ୍ରତୀକ୍ଷିତ ପହଣ୍ଡି ବିଜେ ନୀତି ଆରମ୍ଭ ହେବ। ତିନି ରଥ ଉପରୁ ପ୍ରଭୁମାନେ ପାରମ୍ପରିକ ଶୋଭାଯାତ୍ରାରେ ଆସି ଗର୍ଭଗୃହରେ ନିଜ ନିଜର ଆସନ ଗ୍ରହଣ କରିବେ। ଶ୍ରୀଜୀଉଙ୍କ ଏହି ପ୍ରତ୍ୟାବର୍ତ୍ତନ ଦେଖିବା ପାଇଁ ସିଂହଦ୍ୱାର ସମ୍ମୁଖରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ଦୀର୍ଘ ଦିନ ପରେ ମହାପ୍ରଭୁ ଶ୍ରୀମନ୍ଦିର ଭିତରକୁ ଯାଉଥିବାରୁ ସିଂହଦ୍ୱାରରେ ଏକ ଆବେଗପୂର୍ଣ୍ଣ ତଥା ଭାବମୟ ପରିବେଶ ସୃଷ୍ଟି ହେବ।

ଅନ୍ୟପକ୍ଷରେ ଏହି ଭବ୍ୟ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିର ଭିତରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରତ୍ନସିଂହାସନକୁ ପରିଷ୍କାର କରାଯିବା ସହ ସୁସଜ୍ଜିତ କରାଯାଇଛି ଏବଂ ଏହା ଉପରେ ଏକ ସ୍ୱତନ୍ତ୍ର ଚାନ୍ଦୁଆ ଟଣାଯାଇଛି। ରଥ ଉପରେ ସନ୍ଧ୍ୟା ଧୂପ ନୀତି ସମ୍ପନ୍ନ ହେବା ପରେ ଚାରମାଳ ବନ୍ଧାଯିବ। ପୁଷ୍ପାଞ୍ଜଳି ପ୍ରଦାନ ପରେ ପାରମ୍ପରିକ ‘ବିଜେ କାହାଳୀ’ ବାଜିବ, ଯାହା ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭର ସଙ୍କେତ ଦେବ।

ପରମ୍ପରା ଅନୁଯାୟୀ, ପ୍ରଥମେ ପୁଷ୍ପାଳକ ସେବାୟତମାନେ ଶ୍ରୀମଦନମୋହନ ଏବଂ ରାମକୃଷ୍ଣଙ୍କୁ ଗର୍ଭଗୃହକୁ ବିଜେ କରାଇବେ। ଏହା ପରେ ପର୍ଯ୍ୟାୟକ୍ରମେ ଚକ୍ରରାଜ ସୁଦର୍ଶନ, ବଡ଼ଠାକୁର ବଳଭଦ୍ର, ମାତା ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ ରତ୍ନବେଦୀକୁ ବିଜେ କରିବାର ପରମ୍ପରା ରହିଛି।

Comments are closed.