Latest Odisha News

BREAKING NEWS

ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି…

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ଗଚ୍ଛିତ ସୁନା ଅଳଙ୍କାର, ମୂଲ୍ୟବାନ ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀର ତାଲିକା ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବା ନେଇ ସୂଚନା ଦିଆଯାଇଛି।

ତେବେ ଏନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଏକ ବିସ୍ତୃତ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି। ସମସ୍ତ ପ୍ରାରମ୍ଭିକ ଔପଚାରିକତା ସମାପ୍ତ ହୋଇସାରିଛି ଏବଂ ପ୍ରଶାସନ ଗଣତିମଣତି କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ମଧ୍ୟ ଅଧିକାରୀ ମାନେ ମତ ଦେଇଛନ୍ତି।

ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଆଇନ ବିଭାଗର ପ୍ରମୁଖ ସଚିବ ପବିତ୍ର ମୋହନ ସାମଲ ଏବଂ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମଧ୍ୟ ଉପସ୍ଥିତ ଥିଲେ।

ରତ୍ନ ଭଣ୍ଡାରର ବାହ୍ୟ ଏବଂ ଭିତର ପ୍ରକୋଷ୍ଠର ବ୍ୟାପକ ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଦ୍ୱାରା କରାଯାଇଛି। ତେବେ ପୁନରୁଦ୍ଧାର କାର୍ଯ୍ୟ ୯୫ ଦିନ ଧରି ଜାରି ରହିଥିଲା। ଯେଉଁଥିରେ ୩୩୩ ଘଣ୍ଟାର କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଥିବା କୁହାଯାଇଛି। ବର୍ତ୍ତମାନ ସଂରଚନାତ୍ମକ ଏବଂ ସଂରକ୍ଷଣ ପଦକ୍ଷେପ ସହିତ କର୍ତ୍ତୃପକ୍ଷ ପକ୍ଷରୁ ତାଲିକା ଆରମ୍ଭ କରାଯାଇଥିବା ନେଇ କୁହାଯାଇଛି।

ମନ୍ଦିର ପରିଚାଳନା କମିଟି ଦ୍ୱାରା ଏକ ବିସ୍ତୃତ ମାନକ କାର୍ଯ୍ୟ ପ୍ରଣାଳୀ (SOP) ପ୍ରସ୍ତୁତ କରାଯାଇଛି ଏବଂ ସରକାରୀ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି।

ତେବେ ରତ୍ନ ଭଣ୍ଡାରର ଶେଷ ତାଲିକା ୧୯୭୮ ମସିହାରେ ପ୍ରସ୍ତୁତ କରାଯାଇଥିଲା। ଆଗାମୀ କାର୍ଯ୍ୟକାଳରେ ଅଧିକାରୀ ମାନେ ନୂଆ ତାଲିକା ସହିତ ପୁରୁଣା ସମ୍ପତ୍ତିର ଗଣତିମଣତି କରିବେ ବୋଲି ମଧ୍ୟ କୁହାଯାଇଛି। ଏଥିସହିତ ଏକ ଡିଜିଟାଲ୍ କ୍ୟାଟଲଗ୍ ତିଆରି କରାଯିବ ଏବଂ ସଠିକ୍ ରେକର୍ଡ ରଖାଯିବା ପାଇଁ ଫଟୋଗ୍ରାଫି ମାଧ୍ୟମରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡକ୍ୟୁମେଣ୍ଟେସନ୍ କରାଯିବ ବୋଲି ମଧ୍ୟ ରିପୋର୍ଟରୁ ଜଣାପଡ଼ିଛି।

 

Leave A Reply

Your email address will not be published.