Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି: ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ

ପୁରୀ: ଶ୍ରୀମନ୍ଦିରରେ ପାଳିତ ହୋଇଛି ହେରା ପଞ୍ଚମୀ ନୀତି । ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ସମ୍ପନ୍ନ ପରେ ଚତୁର୍ଦ୍ଦଶୀ ତିଥିରେ ସ୍ନାନବେଦୀରେ ଏକାଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ଥିଲେ । ସୁସ୍ଥ ହେବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥଯାତ୍ରାରେ ଜନ୍ମବେଦୀ ବିଜେ କରିଛନ୍ତି । ନବ ବିବାହିତ ମା’ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଜଗନ୍ନାଥଙ୍କୁ ନଦେଖି ବ୍ୟସ୍ତ ବିବ୍ରତ ହୋଇ ପଡ଼ିଛନ୍ତି ।

ମାଆ ବିମଳାଙ୍କ ପରାମର୍ଶ କ୍ରମେ ହେରାପଞ୍ଚମୀରେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଥିଲେ । ସେଠାରେ ମହାପ୍ରଭୁଙ୍କ ଦର୍ଶନ ନପାଇ ଅଭିମାନୀ ମା’ ଲକ୍ଷ୍ମୀ ଅପମାନ ଓ ରାଗରେ ଜର୍ଜରିତ ହୋଇ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ଶ୍ରୀମନ୍ଦିର ବାହୁଡ଼ି ଆସିଥିଲେ ।

ପରମ୍ପରା ଅନୁସାରେ ଗତକାଲି ରାତିରେ ସ୍ୱତନ୍ତ୍ର ବିମାନରେ ସିଂହଦ୍ୱାର ଦେଇ ମା’ ଲକ୍ଷ୍ମୀ ଶୋଭାଯାତ୍ରାରେ ବାହାରି ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ । ନନ୍ଦିଘୋଷ ରଥ ନିକଟରେ ଦହିପଟି ମୋହଣୀ ନୀତି ସମ୍ପନ୍ନ ହୋଇଥିଲା । ସେଠାରୁ ସିଂହଦ୍ୱାର ଦେଇ ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରର ଜୟ-ବିଜୟ ଦ୍ୱାର ନିକଟରେ ପହଞ୍ଚିଥିଲେ । ସେତେବେଳେ ସନ୍ଧ୍ୟା ଧୂପ ଚାଲିଥିଲା । ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଧୂପ ଚାଲିଯିବାରୁ ଦୁଇଟିଯାକ ଦ୍ୱାର ବନ୍ଦ କରି ଦିଆଯାଇଥିଲା ।

ଏହାପରେ ଅପମାନ ଜର୍ଜରିତ ମା’ ଠାକୁରାଣୀ ନାକଟଣା ଦ୍ୱାର ଦେଇ ବାହାରି ଆସିବା ବେଳେ ରାଗରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦେଇଥିଲେ । ରାଗରେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ନଫେରି ନିରାଡମ୍ବରରେ ହେରାଗୋହିରୀ ସାହି ଦେଇ ଫେରିଥିଲେ । ଫେରିବା ବାଟରେ ବିଭିନ୍ନ ସ୍ଥାନରେ ମା’ ଲକ୍ଷ୍ମୀଙ୍କୁ ପନ୍ତି ଭୋଗ ଲାଗି ହୋଇଥିଲା । ବିଳମ୍ବିତ ରାତିରେ ପୁଣି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଫେରିଥିଲେ ମା’ ଲକ୍ଷ୍ମୀ ଠାକୁରାଣୀ ।

Leave A Reply

Your email address will not be published.