ପୁରୀ:ଆଜି ସୁନାବେଶ । ମହଣମହଣ ସୁନାରେ ସଜେଇ ହେବେ ତିନିଠାକୁର । ସ୍ୱର୍ଣ୍ଣାଳଙ୍କାର ବିଭୂଷିତ ହୋଇ ତିନିଠାକୁର ଯେମିତି ରାଜା ପରି ଦିଶିବେ । ମହାପ୍ରଭୁଙ୍କର ଏହି ଅପୂର୍ବରୂପ ଭକ୍ତ ଦେଖିବେ ରଥ ଉପରେ ।
ଜଗନ୍ନାଥଙ୍କ ଅନେକ ବେଶ ମଧ୍ୟରୁ ସୁନାବେଶ ଗୋଟିଏ । ଏମିତି ତିନିଠାକୁରଙ୍କ ଅଙ୍ଗରେ ଅନେକ ସୁନା ଲାଗିଥାଏ । ହେଲେ ଏ ସୁନାବେଶ ଟିକେ ନିଆରା । ବିଶେଷ କରି ଠାକୁରଙ୍କୁ ବାମନ ଜନ୍ମ, ରାଧାଦାମୋଦର ବେଶ, ଚାଚେରୀ ବେଶ ଇତ୍ୟାଦିରେ ସୁନାଲାଗି କରାଯାଇଥାଏ। ଏଇ ବେଶକୁ ବି ସୁନାବେଶ କହିଥାନ୍ତି । ହେଲେ ରଥ ଉପରେ ଏହି ସୁନାବେଶରେ ଯେପରି ମହଣ ମହଣ ସୁନା ଲାଗି କରାଯାଇଥାଏ ଏ ସୁନାବେଶରେ ସେପରି ହୋଇ ନ ଥାଏ । ରଥ ଉପରେ ଏହି ସୁନାବେଶକୁ କୁହାଯାଇଥାଏ ରାଜବେଶ ।
ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ରାଜବେଶ ବର୍ଷକୁ ୫ ଥର ହୁଏ। ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଏବଂ ରଥ ଉପରେ ବଡ଼ ଏକାଦଶୀ। ଆଜି ସେଇ ବଡ ଏକାଦଶୀ । ରଥ ଉପରେ ତିନିଠାକୁର ରାଜବେଶରେ ସଜେଇ ହେବେ । ଏହି ବେଶକୁ ବଡ ତଡାଉ ବେଶ ବି କହିଥାନ୍ତି । ଏଠି ତଡାଉର ଅର୍ଥ ସୁନା ।
ସବୁ ରାଜବେଶ ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନ ଉପରେ ହୁଏ। ହେଲେ ବର୍ଷକେ ଥରେ ଆଷାଢ ଶୁକ୍ଳ ଏକାଦଶୀରେ ତିନି ରଥ ଉପରେ ତିନି ଦିଅଁଙ୍କର ହୁଏ ରାଜବେଶ। ଏହି ବେଶର ଆଉ ଏକ ସ୍ୱତନ୍ତ୍ରତା ରହିଛି। ଏହି ରାଜବେଶରେ ପ୍ରଭୁ ଦୁଇଟି ଅଳଙ୍କାର ପିନ୍ଧି ନ ଥାନ୍ତି ଯାହା ଅନ୍ୟ ବେଶରେ ପିନ୍ଧିଥାନ୍ତି। ତାହା ହେଉଛି ରତ୍ନ ଚିତା ଏବଂ ରାହୁରେଖା। ରଥ ଉପରେ ଯାହା ପିନ୍ଧନ୍ତି ତାହା ହେଉଛି ସୋଲ ଚିତା। ଏହି ସୋଲ ଚିତା ଉପରେ ଅଳ୍ପ ସୁନାର ଆବରଣ ଦିଆଯାଇଥାଏ।
ଆଜି ତିନିଠାକୁର କେବଳ ସ୍ୱର୍ଣ୍ଣାଳଙ୍କରାରେ ବିମଣ୍ଡିତ ହେବେ । ଏଇ ସୁନାବେଶରେ ସବୁ ସୁନା ଭିତରେ ଠାକୁରଙ୍କର ଗୋଟିଏ ରୂପା ଅଳଙ୍କାର ଥାଏ । ସେ ରୂପା ଅଳଙ୍କାରଟି କ’ଣ ଜାଣନ୍ତି ? ତେବେ ଆସନ୍ତୁ ଜାଣିବା ଆଜି ଠାକୁର କି କି ସୁନା ଅଳଙ୍କାର ପିନ୍ଧିବେ ଏବଂ ତା ଭିତରେ ଏହି ରୂପା ଅଳଙ୍କାରଟି କ’ଣ ?
ରଥ ଉପରେ ରାଜବେଶର ତିନିଠାକୁର ପିନ୍ଧିବେ ଏସବୁ ଅଳଙ୍କାର
୧-ଶ୍ରୀ ପୟର-୪ (ଦେବୀ ସୁଭଦ୍ରାଙ୍କର ନାହିଁ) ଶ୍ରୀଭୁଜ-୪ (ଦେବୀ ସୁଭଦ୍ରାଙ୍କର ନାହିଁ)
୨-କୀରିଟ-୩ (ତିନିଠାକୁରଙ୍କର ଗୋଟିଏ ଲେଖାଏ)
୩-କାନ-୬ (ତିନିଠାକୁରଙ୍କର ୨ଟି ଲେଖାଏ)
୪-ତାବିଜ ମାଳି-୧(ଶ୍ରୀ ଜଗନ୍ନାଥ-୧)
୫-ହରିଡ଼ାକଦମ୍ବ ମାଳି-୧(ଶ୍ରୀ ଜଗନ୍ନାଥ-୧)
୬-ବାହାଡ଼ାମାଳି-୨(ଶ୍ରୀବଳଭଦ୍ର-୧, ଶ୍ରୀ ଜଗନ୍ନାଥ-୧)
୭-କଦମ୍ବ ମାଳି-୪(ଶ୍ରୀ ବଳଭଦ୍ର-୨ ଶ୍ରୀ ଜଗନ୍ନାଥ-୧, ଦେବୀ-୧)
୮-ବାଘନଖି ମାଳି-୧(ଶ୍ରୀ ଜଗନ୍ନାଥ-୧)
୯-ସେବତୀ ମାଳି-୩(ତିନିଠାକୁରଙ୍କର ଗୋଟିଏ ଲେଖାଏ)
୧୦-ହଳ ଓ ମୂଷଳ- (କେବଳ ଶ୍ରୀ ବଳଭଦ୍ରଙ୍କର)
୧୧-ଚକ୍ର-୧(ଶ୍ରୀଜଗନ୍ନାଥ)
୧୨-ତିଳକ-୨(ଶ୍ରୀବଳଭଦ୍ର-୧ ଶ୍ରୀଜଗନ୍ନାଥ-୧)
୧୩-ଆଡ଼କାନି-୪(ଶ୍ରୀବଳଭଦ୍ର-୨ ଶ୍ରୀ ଜଗନ୍ନାଥ-୨)
୧୪-ଚନ୍ଦ୍ରିକା-୨(ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧)
୧୫-ତଡ଼କୀ-୨(ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧)
୧୬-ଚନ୍ଦ୍ରସୂର୍ଯ୍ୟ-୬(ତିନିଠାକୁରଙ୍କର ଗୋଟିଏ ଲେଖାଏ)
୧୭-ଅଳକା-୩(ତିନିଠାକୁରଙ୍କର ଗୋଟିଏ ଲେଖାଏ)
ଓଡ଼ିଆଣୀ-୩(ତିନିଠାକୁରଙ୍କର ଗୋଟିଏ ଲେଖାଏ)
ଏ ସବୁ ତ ଗଲା ସୁନାଳଙ୍କାର । ତେବେ କ’ଣ ରୂପାର ଅଳଙ୍କାର ଧାରଣ କରନ୍ତି ପ୍ରଭୁ ? ଏହି ସୁନାବେଶରେ ପ୍ରଭୁ ଗୋଟିଏ ରୂପା ଅଳଙ୍କାର ଧାରଣ କରିଥାନ୍ତି । ତାହା ପୁଣି କେବଳ ଜଗନ୍ନାଥଙ୍କ ପାଖରେ ଦେଖିବାକୁ ମିଳିଥାଏ । ତାହା ହେଉଛି ଶଙ୍ଖ । ଏହି ଶଙ୍ଖଟି କେବଳ ରୂପା ।
Comments are closed.