ପୁରୀ: ରତ୍ନଭଣ୍ଡାର ଗଣତି ମଣତି SOP ନେଇ ଆଇନମନ୍ତ୍ରୀ ଦେଲେ ପ୍ରତିକ୍ରିୟା। ରତ୍ନଭଣ୍ଡାର ଗଣତି ମଣତି ନେଇ SOP ଫାଇନାଲ୍ ଷ୍ଟେଜ୍ରେ ପହଞ୍ଚିଛି। ଉଚ୍ଚସ୍ତରୀୟ କମିଟିରେ ଏନେଇ ଆଲୋଚନା ହୋଇଛି। କମିଟି ଏକ ପୂର୍ଣ୍ଣ୍ରାଙ୍ଗ SOP ସରକାରଙ୍କ ପାଖକୁ ପଠାଇବେ। ସରକାରଙ୍କ ପାଖରୁ SOP ଆସିଲେ ଗଣତି ମଣତିର ବାଟ ଖୋଲିବ। ରଥଯାତ୍ରା ପୂର୍ବରୁ ଗଣତି ମଣତି ସାରିବାକୁ କମିଟି ନିଷ୍ପତ୍ତି ନେଇଛି। ଦର୍ଶନ ଏବଂ ନୀତିକାନ୍ତିକୁ ଧ୍ୟାନରେ ରଖି ଗଣତି ମଣତି କରାଯିବ।
ସେପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କିଭଳି କରାଯିବ ସେନେଇ ଏକ ଏସଓପି ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ଆଗାମୀ ରଥଯାତ୍ରା ପୂର୍ବରୁ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବାର ସମ୍ଭାବନା ରହିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ନେଇ ଏସଓପି ସମ୍ପର୍କୀତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ରତ୍ନଭଣ୍ଡାର ସମ୍ପର୍କୀତ ଉଚ୍ଚସ୍ତରୀୟ କମିଟିର ଏହି ବୈଠକରେ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସ୍ପି, ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ ଏବଂ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ପ୍ରାଧିକୃତ ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।
ତେବେ ଶନିବାର ବୈଠକରେ ୧୧ ପୃଷ୍ଠା ସମ୍ବଳିତ ଏକ ଏସଓପି ପ୍ରସ୍ତୁତ କରାଯାଇଛି । ଏହାକୁ ପରିଚାଳନା କମିଟିରେ ଅନୁମୋଦିତ କରାଯିବା ପରେ ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ । ପରେ ଉକ୍ତ ଏସଓପି ଅନୁଯାୟୀ ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ କହିଥିଲେ, କେବେଠାରୁ ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ତାହା ଏବେ କହିବା ସମ୍ଭବ ପର ନୁହେଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଆସିବା ପରେ ଗଣତି ମଣତି ଆରମ୍ଭ କରାଯିବ ।
ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଭକ୍ତଙ୍କ ଦର୍ଶନରେ ବାଧା ନ ଉପୁଜିବ ସେନେଇ ବିଶେଷ ଗୁରୁତ୍ବ ଦିଆଯିବ । ରତ୍ନ ଅଳଙ୍କାର ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କେବଳ ପ୍ରାଧିକୃତ ପାଳିଆ ସେବାୟତମାନଙ୍କୁ ପ୍ରବେଶ ପାଇଁ ଅନୁମତି ସହ ପରିଚୟପତ୍ର ଦିଆଯିବ । ତିନୋଟି ପର୍ଯ୍ୟାୟରେ ହେବ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ।
ପ୍ରଥମ ପର୍ଯ୍ୟାୟରେ ଦୈନନ୍ଦିନ ମହାପ୍ରଭୁଙ୍କ ଚଳନ୍ତି ରତ୍ନ ଅଳଙ୍କାର, ଦ୍ବିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଏବଂ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ । ରତ୍ନ ଅଳଙ୍କାରର ଗଣତି ମଣତି ସମୟରେ ଆରବିଆଇର ଜଣେ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବଣିଆ ବା ସ୍ବର୍ଣ୍ଣକାରକୁ ମଧ୍ୟ ଗଣତି ମଣତି ସମୟରେ ସାମିଲ କରାଯିବ ।