Latest Odisha News

ଗ୍ରାମୀଣ ଯୁବକଙ୍କ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ପାଇଁ କ୍ରୀଡା ହିଁ ମୂଳମନ୍ତ୍ର: ଡଃ ତପନ ଚାନ୍ଦ

ଭୁବନେଶ୍ୱର: ପୁରୀର ଗ୍ରାମ ଯୁବକମାନଙ୍କ ଚେଷ୍ଟାରେ ପ୍ରାୟ ୩୦ରୁ ଅଧିକ ଗ୍ରାମ ଗତ ଦଶନ୍ଧିରୁ ହେଉଥିବା ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଶିଳ୍ପ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ଡଃ ତପନ କୁମାର ଚାନ୍ଦ ଏବଂ ପ୍ରତିଷ୍ଠା ଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା ଯୋଗ ଦେଇ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ ।

ଗ୍ରାମ ସଭାପତି ମୋହନ ବେହେରା, ଆୟୋଜନ କମିଟି ସଭାପତି ତଥା ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି କାହ୍ନୁ ଚରଣ ବେହେରା ଏବଂ ପଦ୍ମଶ୍ରୀ ପ୍ରଭାକର ମହାରଣା ଡଃ ଚାନ୍ଦଙ୍କୁ ସମ୍ମାନିତ କରିଥିଲେ ।
ମୁଖ୍ୟଅତିଥି ଭାବେ ତାଙ୍କ ଭାଷଣରେ ଡଃ ଚାନ୍ଦ ମା ବେଣିଧାରୀ ଯୁବକସଂଘକୁ ପ୍ରଶଂସା କରିଥିଲେ ଏବଂ ଗ୍ରମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ଉତ୍ସାହିତ କରିଥିଲେ । ଗ୍ରାମୀଣ ଭାରତର ଭବିଷ୍ୟତ ବହୁତ ଉଜ୍ୱଳ ଏବଂ ଗ୍ରାମୀଣ ବଜାର ବ୍ୟାପାର ଜଗତରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ବୋଲି ସେ ତାଙ୍କ ବ୍ୟକ୍ତବ୍ୟରେ ପ୍ରକାଶ କରିଥିଲେ । କ୍ରୀଡ଼ା ଓ ଖେଳ ଆଉ କେବଳ ଅବସର ବିନୋଦନ ହୋଇ ରହି ନାହିଁ । ଏହା ବୋହୁ ଲୋକଙ୍କ ଜୀବିକାରେ ପରିଣତ ହେଲାଣି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ ।

ସେହିପରି ପଦ୍ମଶ୍ରୀ ପ୍ରଭାକର ମହାରଣା ମଧ୍ୟ ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ ଯେ, ଗୋପ ବ୍ଲକର କଣ୍ଟାପଡ଼ା ବିଭିନ୍ନ ଦୃଷ୍ଠିକୋଣରୁ ଏକ ଆଦର୍ଶ ଗ୍ରାମ । ଏହି ଗ୍ରାମର ଯୁବକମାନେ ସମାଜ ସେବା ପାଇଁ ସର୍ବଦା ସକ୍ରିୟ । ପ୍ରଶାସନ ଠାରୁ କୌଣସି ସାହାର୍ଯ୍ୟ ନପାଇ ମଧ୍ୟ ସେମାନେ ନିଜ ଅନୁଦାନରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ କରି ସମସ୍ତଙ୍କୁ ଉତ୍ସାହିତ କରୁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କ ପାଖ ଗ୍ରାମର ଡଃ ଚାନ୍ଦ ଶିଳ୍ପ ଜଗତର ଜଣେ ଉଚ୍ଚ ଅଧିକାରୀ ହୋଇ ମଧ୍ୟ ନିଜ ଗ୍ରାମକୁ କେବେ ଭୁଲି ପାରିନାହାନ୍ତି । ମହାବାତ୍ୟା, ଫନୀ ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଡଃ ଚାନ୍ଦ ରିଲିଫ ସାମଗ୍ରୀ ତାଙ୍କ ସୁଦୂର କାର୍ଯ୍ୟସ୍ଥଳରୁ ଆଣି ଗ୍ରାମରେ ବଣ୍ଟନ କରିଛନ୍ତି । ଗ୍ରାମବାସୀଙ୍କ ବିପତ୍ତି ସମୟରେ ସର୍ବଦା ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ।

ଶେଷରେ ବିଜେତା ଓ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର ପ୍ରଦାନ ପରେ କ୍ରୀଡ଼ା ସମାରୋହ ସମାପ୍ତ ହୋଇଥିଲା ।

Comments are closed.