ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୈତିକ ବୟାନବାଜି ଏବଂ ହୋ ହାଲ୍ଲା ଭିତରେ ପ୍ରଶାସନକୁ ଗୋଟିଏ ବଡ଼ ଝଟକା ଦେଇଛନ୍ତି ଏସ଼ଡିଡିଏମ୍ କୋର୍ଟ । ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବା ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଓଡ଼ିଶା ବ୍ରିଜ ଓ କନଷ୍ଟ୍ରକସନ କୋର୍ପୋରେସନ (ଓବିସିସି) ଏବଂ ଠିକା କମ୍ପାନୀ ଟାଟା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି।
ଜଣେ ଆଇନଜୀବୀଙ୍କ ଆବେଦନର ଶୁଣାଣି କରି କୋର୍ଟ ସିଂହଦ୍ୱାର ପୁଲିସକୁ ମାମଲା ରୁଜୁ କରିବାକୁ କହିଛନ୍ତି। ପୂର୍ବରୁ ସିଂହଦ୍ୱାର ପୋଲିସ ଆବେଦନକାରୀଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା। ଏହାପରେ ଆବେଦନକାରୀ ଏସଡିଜିଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିକଟରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସ୍ଆଇ ଓଡ଼ିଶା ହାଇକୋର୍ଟଙ୍କୁ କହିଥିଲେ ଯେ ଓଡ଼ିଶା ସରକାରଙ୍କ ଦ୍ୱାରା କରାଯାଇଥିବା ଗଭୀର ଖନନ ଓ ନିର୍ମାଣ କାମ ସମ୍ଭବତଃ ଦ୍ୱାଦଶ ଶତାବ୍ଦୀର ଶ୍ରୀମନ୍ଦିର ଚାରିପାଖରେ ଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷକୁ ନଷ୍ଟ କରିଦେଇଛି।
ହାଇକୋର୍ଟରେ ଏଏସ୍ଆଇ ସତ୍ୟପାଠ ଦାଖଲ କରିବା ପରେ ଓଡ଼ିଶା ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏଏସ୍ଆଇ ଠାରୁ ଆବଶ୍ୟକ ଅନୁମତି ନ ନେଇ ପ୍ରକଳ୍ପ କାମ କରିଥିବା ଅଭିଯୋଗରେ ସରକାରଙ୍କୁ ବିରୋଧୀ ଟାର୍ଗେଟ୍ କରିଛନ୍ତି।
ଆଜି ବିଜେପି ନେତା ସମ୍ବିତ ପାତ୍ର ମଧ୍ୟ ପ୍ରକଳ୍ପ ସ୍ଥାନକୁ ଆସି ବୁଲି ଦେଖିବା ପରେ କହିଛନ୍ତି ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଓଡିଶା ସରକାରଙ୍କୁ ଏବଂ ସାଂସଦ ପିନାକି ମିଶ୍ରଙ୍କୁ ଭଲ ଜ୍ଞାନ ଦିଅନ୍ତୁ। ଏ ସରକାର ଆମର ଐତିହ୍ୟକୁ ନଷ୍ଟ କରିଦେଇଛି। ଏଏସଆଇର ରିପୋର୍ଟ ଆଶ୍ଚର୍ଯ୍ୟଜନକ କରିଛି। ସେ ଆଉ ଚୁପ୍ ରହିବେ ନାହିଁ। ଯେତେବେଳେ ଏଏସଆଇ ତାର ରିପୋର୍ଟରେ କହିସାରିଛି ବିନା ଅନୁମତିରେ କାମ ଚାଲିଛି ସେତେବେଲେ କାହିଁକି ଏ ସରକାର ଜିଦ୍ ଖୋର ହୋଇ ପ୍ରକଳ୍ପ କାମ କରୁଛନ୍ତି ?
Comments are closed.