ପୁରୀ: ଅଦିନିଆ ରଥଯାତ୍ରା ଆୟୋଜନ ନେଇ ଇସ୍କନର ଯୋଜନାକୁ କଡା ନିନ୍ଦା କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀ।
ପରମ୍ପରା ଏବଂ ଭାବନା ମଧ୍ୟରେ ଏକ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତାକୁ ଦର୍ଶାଇ ସେ କହିଛନ୍ତି ଯେ ଭଗବଦ୍ ଗୀତା ସଫଳତା ପାଇବା ପାଇଁ ସମନ୍ୱୟ ରକ୍ଷା କରିବାକୁ ସମସ୍ତଙ୍କୁ ଶିକ୍ଷା ଦିଅନ୍ତି।
ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ଇସ୍କନ ରୀତିନୀତି ବିଷୟରେ ଭଲ ଭାବରେ ଜାଣିଛି। ହେଲେ ହ୍ୟୁଷ୍ଟନ୍ ୟୁନିଟ୍ ଦ୍ୱାରା ଏଭଳି ପଦକ୍ଷେପ କେବଳ ଲୋକପ୍ରିୟତା ହାସଲ କରିବା ଏବଂ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ଷ୍ଟଣ୍ଟ।
ତେବେ ପୁରୁଣା ପରମ୍ପରାକୁ ଉଲ୍ଲଂଘନ କରି ଏପରି କାର୍ଯ୍ୟ କୌଣସି ପ୍ରକାରର ଲାଭଦାୟକ ହେବ ନାହିଁ ବୋଲି ସେ କହିଛନ୍ତି।
ସେପଟେ ଅଦିନିଆ ରଥଯାତ୍ରାକୁ ନେଇ ଗତକାଲି ଇସ୍କନ କର୍ତ୍ତୃପକ୍ଷଙ୍କୁ ଗଜପତି ଦିବ୍ୟସିଂହ ଦେବ ଚିଠି ଲେଖିଥିଲେ। ଗଜପତି ମହାରାଜା ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।
ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ ଇସ୍କନକୁ କୁହାଯାଇଥିଲା। ଏନେଇ ଇସ୍କନ ସହ ଅନେକ ଥର ଆଲୋଚନା ମଧ୍ୟ ହୋଇଥିଲା। ଏଥିପାଇଁ ପାଇଁ ଆବଶ୍ୟକୀୟ ରିଜୋଲ୍ୟୁସନ ମଧ୍ୟ ହୋଇଥିଲା। ତେଣୁ ନଭେମ୍ବର ୯ ତାରିଖରେ ଇସ୍କନ ପକ୍ଷରୁ ଯୋଜନା ହୋଇଥିବା ରଥଯାତ୍ରା ଆୟୋଜନ ବନ୍ଦ କରନ୍ତୁ ବୋଲି ମହାରାଜ ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ନାଇଜେରିଆ ଇସ୍କନ ମଧ୍ୟ ନଭେମ୍ବର ୨୩ରେ ରଥଯାତ୍ରା କରିବାର ଯୋଜନା କରିଛି। ଏସବୁ ବନ୍ଦ କରି ଅନୁସ୍ତନ୍ୟକ ଭାବରେ ତଥା ବିଧି ମୁତବକ ସ୍ନାନ ଯାତ୍ରା ଓ ରଥଯାତ୍ରା କରନ୍ତୁ ବୋଲି ଗଜପତି ଚିଠିରେ ଲେଖିଛନ୍ତି।ଯଦି ଜନ୍ମାଷ୍ଟମୀ ଗୋଟିଏ ଦିନରେ, ତେବେ ରଥଯାତ୍ରା କାହିଁକି ଭିନ୍ନ? ବୋଲି ଚିଠିରେ ପ୍ରଶ୍ନ କରିଛନ୍ତି ଗଜପତି ମହାରାଜା।