Latest Odisha News

BREAKING NEWS

କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର: କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଦ୍ୱାରା ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଦଳ ତରଫରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ସହିତ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରାଯାଇଛି। ଶଙ୍ଖଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଏହି ଘଟଣାରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ସମେତ ସ୍ଥାନୀୟ ବିଜେପି ନେତାଙ୍କ ନିର୍ଦ୍ଦେଶରେ ପୋଲିସ ଘଟଣାକୁ ଚପାଇ ଦେବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲା। ବିଜେପି ନେତାଙ୍କ ପ୍ରରୋଚନାରେ, ଏକ ଦଳିତ ନାବାଳିକାର ଗଣଦୁଷ୍କର୍ମ ଭଳି ଏକ ସମ୍ବେଦନଶୀଳ ଘଟଣାରେ, ପୋଲିସ ପ୍ରଥମେ ଗଣଦୁଷ୍କର୍ମ ମାମଲା ରୁଜୁ ନ କରି, କେବଳ ଅପହରଣ ମାମଲାରେ ସୀମିତ ରଖିଥିଲା। ଘଟଣାକୁ ଗୁରୁତ୍ୱ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଥିଲା। ପରେଏହି ଘଟଣାରେ ତୁରନ୍ତ ପୋକ୍ସୋ ଆକ୍ଟ ଲଗାଇବା ପାଇଁ ବିଜୁ ଜନତା ଦଳ ଦାବି କରୁଛି।

ସେହିପରି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଓ କୁଚିଣ୍ଡା ବିଜେପିର ପୂର୍ବତନ ସଭାପତି ସୁଶୀଲ କରଙ୍କ ସମ୍ପୃକ୍ତି ଏହି କେସରେ ରହିଥିବାରୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ପାଇଁ ଦଳ ଦାବି କରିଛି। ଘଟଣାର ବିବରଣୀ ଦେଇ ଶ୍ରୀମତୀ ଛୁରିଆ କହିଥିଲେ, କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ନିଷ୍କ୍ରିୟତାର ଅଭିଯୋଗ ଆସିବା ପରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିଥିଲେ। ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ୨୩ ଅକ୍ଟୋବର ଦିନ କୁଚିଣ୍ଡା ଯାଇ ପୀଡିତା, ପୀଡ଼ିତାଙ୍କ ପରିବାର ସଦସ୍ୟ ଓ କିଛି ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିଥିଲେ। ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଦ୍ୱାରା ଏହି ଗଣଦୁଷ୍କର୍ମ ମାମଲା ଉପରେ ଏକ ରିପୋର୍ଟ  ଦଳର ସଭାପତିଙ୍କୁ ପ୍ରଦାନ କରାଯାଇଛି।

ବିଜେଡ଼ି ସୂଚନା ଅନୁସାରେ, ସୁଶୀଲ କର କୁଚିଣ୍ଡା ବିଜେପିର ପୂର୍ବତନ ସଭାପତି ଓ ବର୍ତ୍ତମାନ ସଭ୍ୟ ସଂଗ୍ରହ ଦାୟିତ୍ୱରେ ଅଛନ୍ତି। ସୁଶୀଲ କର ପଞ୍ଚାୟତରାଜ ମନ୍ତ୍ରୀଙ୍କ ଖାସ ଲୋକ ଭିତରୁ ଜଣେ। ସୁଶୀଲ ନାବାଳିକାର ପିତାକୁ ଏହି ଘଟଣାକୁ ପୋଲିସ ପାଖକୁ ନନେବା ପାଇଁ କହିଥିଲେ। ଘଟଣାର ପରଦିନ ନାବାଳିକା ଓ ତାର ପରିବାର ସଦସ୍ୟ କୁଚିଣ୍ଡା ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ। ସେଠାରେ ସେମାନେ ଥାନା ଅଧିକାରୀଙ୍କ ସହ ହରିହର ପାଣି ପୂର୍ବରୁ ବସିଥିବା ଦେଖିଥିଲେ। ପାଣିଙ୍କୁ ଦେଖି ସେମାନେ ଭୟଭୀତ ହୋଇ ଯାଇଥିଲେ। ସେମାନଙ୍କ ଅଭିଯୋଗ ଶୁଣିବା ପରେ, ପୋଲିସ କେବଳ ଅପହରଣ ମାମଲା ରୁଜୁ କରିଥିଲା ଓ ଗଣଦୁଷ୍କର୍ମ ମାମଲାକୁ ଗ୍ରହଣ କରି ନଥିଲା। ପୋଲିସ ସେମାନଙ୍କୁ ଏହି ମାମଲାକୁ ଆଗକୁ ନବଢ଼ାଇବା ପାଇଁ ଚାପ ପକାଉ ଥିଲା ବୋଲି ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରିଥିଲା ଓ ହରିହର ପାଣିଙ୍କୁ ଜାଣିଶୁଣି ଗିରଫ କରି ନଥିଲା। ବିଜୁ ଜନତା ଦଳ ତରଫରୁ ଘଟଣାକୁ ଗୁରୁତ୍ୱ ଦିଆଯାଇ ଦଳର ସଭାପତିଙ୍କ ଦ୍ୱାରା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିବା ପରେ ପୋଲିସ ହରିହର ପାଣି ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗଣଦୁଷ୍କର୍ମ ମାମଲା ଏଫଆଇଆରରେ ଯୋଡିବାକୁ ବାଧ୍ୟ ହୋଇଥିଲା।

Comments are closed.