Latest Odisha News

ବିଜେପିର ‘ରାମ’ ବାଣକୁ ରୋକିବ ଜଗନ୍ନାଥଙ୍କ ‘ଶଙ୍ଖ’ !

ଭୁବନେଶ୍ୱର: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ଉଦଘାଟନ କରିବେ। ଯାହାକୁ ନେଇ ସାରା ଦେଶରେ ଏକ ବଡ଼ ବାତାବରଣ ତିଆରି କରିବା ପାଇଁ ବିଜେପି ବଡ଼ ଯୋଜନା କରୁଛି।

ଦେଶର ପ୍ରତ୍ୟେକ ପ୍ରାନ୍ତରୁ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ କିଭଳି ଲୋକେ ଆସିବେ ରାମଙ୍କ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏପରିକି ବର୍ତ୍ତମାନ ବିଭିନ୍ନ ରାଜ୍ୟର ନିର୍ବାଚନରେ ପ୍ରତିଷ୍ଠା ପୂର୍ବରୁ ମାହୋଲ ତିଆରି ହେଲାଣି।

ଆଗକୁ ଆସୁଥିବା ସାଧାରଣ ନିର୍ବାଚନ ସହ ଅନ୍ୟ ରାଜ୍ୟର ନିର୍ବାଚନ ଗୁଡିକରେ ରାମ ମନ୍ଦିରକୁ ବିଜେପି ଏକ ବଡ଼ ରାଜନୈତିକ ପ୍ରସଂଗ କରିବାକୁ ଯାଉଥିବା କୁହାଯାଉଛି। ଏଭଳି ସମୟରେ ରାମ ମନ୍ଦିର ଉଦଘାଟନ ପୂର୍ବରୁ ଅର୍ଥାତ ଠିକ ଜାନୁୟାରୀ ମାସ ୧୭ ତାରିଖରେ ଓଡ଼ିଶାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କରାଯିବ ।

୨୨ ରେ ରାମ ମନ୍ଦିର ପ୍ରତିଷ୍ଠାର ଠିକ ପୂର୍ବରୁ ଓଡିଶା ସରକାର ଏହି ବହୁ ଚର୍ଚ୍ଚିତ ପ୍ରକଳ୍ପର ଉଦଘାଟନ କରିବାକୁ ଯାଉଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଜେପିର ରାମ ମନ୍ଦିର ଉଦଘାଟନକୁ କାଉଣ୍ଟର କରିବାକୁ ଜାନୁଆରୀ ୨୨ ପୂର୍ବରୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କରାଯାଉଥିବା କୁହାଯାଉଛି।

ଆଗକୁ ନିର୍ବାଚନ ଥିବାରୁ ରାମଙ୍କୁ ନେଇ ବିଜେପି ଦେଶବ୍ୟାପୀ ମାହୋଲ ପ୍ରସ୍ତୁତ କରିବା ଆରମ୍ଭ କରିଥିବାବେଳେ ବିଜେଡି ଓଡ଼ିଶାରେ ଜଗନ୍ନାଥଙ୍କୁ ନେଇ ଆଗୁଆ ମାହୋଲ ତିଆରି କରିବା ଯୋଜନା କରିଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଯେମିତି ପୂଜାପାଠ ଆୟୋଜିତ ହେବ ସେମିତି ଢାଞ୍ଚାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ତିନିଦିନ ଧରି ପୂଜାର୍ଚ୍ଚନା ଓ ହୋମଯଜ୍ଞ ହେବାର କାର୍ଯ୍ୟକ୍ରମ ରହିଛି।

ଗଜପତି ମହାରାଜ ପୂର୍ଣ୍ଣାହୂତି ଦେବେ ବୋଲି ଜଣାପଡିଛି। ଜାନୁୟାରୀ ୧୨ ତାରିଖରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ। ପୂର୍ଣ୍ଣାହୂତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବେ ବୋଲି କୁହାଯାଉଛି।

ବିଜେଡି ପକ୍ଷରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ମାହୋଲ ତିଆରି କରାଯିବା ଆରମ୍ଭ ହେଲାଣି। ଶ୍ରୀମନ୍ଦିର ସ୍ବର୍ଣ୍ଣିମ ଇତିହାସରେ ଯୋଡି ହେବ ନୂଆ ଏକ ଫର୍ଦ ଲେଖାଥିବା ପୋଷ୍ଟରରେ ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କ ଫଟୋ ସହ ନବୀନଙ୍କ ଫଟୋ ଦିଆଯାଇଛି। ଯାହାକି ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି।

ଏପରିକି ଏହି ପୋଷ୍ଟରରେ ଜାନୁୟାରୀ ୧୭ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ସହ ଆସ୍ଥା ବିଶ୍ୱାସକୁ ସମ୍ମାନ ଓ ଜୟ ଜଗନ୍ନାଥ ଲେଖାଯାଇଛି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ପରିକ୍ରମା ପ୍ରକଳ୍ପ ପାଇଁ କେତେ ବାଦବିବାଦ ହେବା ସହ ବିରୋଧୀ ଏ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିଥିଲେ। ଏବେ ପ୍ରକଳ୍ପ ଉଦଘାଟନ ହେବାକୁ ଯାଉଥିବାରୁ ରାଜନୀତି ତୀଵ୍ର ହେବାରେ ଲାଗିଛି।

ଏପରିକି ଖାଲି ସେତିକି ନୁହେଁ ରାଜ୍ୟର ପ୍ରମୁଖ ଧର୍ମପୀଠ ଓ ମନ୍ଦିରକୁ ବିକଶିତ କରିବାକୁ ବ୍ୟାପକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆମ ଓଡ଼ିଶା ନବୀନ ଓଡିଶା ସ୍କିମରେ ମଧ୍ୟ ଏବେ ପଂଚାୟତ ମାନଙ୍କୁ ଅର୍ଥ ଦିଆଯାଉଛି।

ଯେଉଁଥିରେ ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତି ଓ ମଠ ମନ୍ଦିରର ବିକାଶକୁ ଫୋକସ କରାଯାଉଛି। ତେଣୁ ବିଜେପିର ରାମ ମନ୍ଦିର ପ୍ରସଙ୍ଗ ଓ ହିନ୍ଦୁତ୍ୱକୁ କାଉଣ୍ଟର କରିବାକୁ ବିଜେଡି କୋଟି ହୃଦୟର ଦେବତା ତଥା ଓଡ଼ିଆଙ୍କ ପ୍ରାଣର ଠାକୁର ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବାକୁ ଯାଉଥିବା ରାଜନୈତିକ ସ୍ତରରେ ଆଲୋଚନା ହେଉଛି।

Leave A Reply

Your email address will not be published.