Latest Odisha News

BREAKING NEWS

ଜାଣନ୍ତୁ ଶ୍ରୀମନ୍ଦିର ପତିତପାବନ ବାନାର ମାହାତ୍ମ୍ୟ

ପୁରୀ: ଶ୍ରୀମନ୍ଦିରରେ ନୀଳଚକ୍ର ଉପରେ ପ୍ରତିଦିନ ଉଡେ ପତିତପାବନ ବାନା । ହେଲେ ପ୍ରଭୁଙ୍କ ଏହି ବାନା ପ୍ରତିଦିନ ବାନ୍ଧିବାର ବିଧି ରହିଛି । ଭକ୍ତମାନେ ମାନସିକ କରି ମହାପ୍ରଭୁଙ୍କ ଶ୍ରୀମନ୍ଦିର ଉପରେ ବାନା ଉଡେଇ ଥାନ୍ତି । କୋଟିଏ ଟଙ୍କା ଦାନ କରି ଜଗନ୍ନାଥଙ୍କ ମଥାରେ ହୀରା ଚଢାଇଲେ ଯେଉଁ ପୁଣ୍ୟ ମିଳେ ନୀଳଚକ୍ରରେ ବାନାଟିଏ ବାନ୍ଧିଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଅପରାହ୍ନ ୫ଟା ସମୟରେ ବାନା ବନ୍ଧାଯାଇଥାଏ । ଚୁନରା ସେବାୟତଙ୍କ ଦ୍ୱାରା ଏହି ପରମ୍ପରାକୁ ପାଳନ କରାଯାଇଥାଏ । ଯେଉଁମାନେ ବାନା ବାନ୍ଧିବାକୁ ଚାହିଁବେ ସେମାନେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ ରସିଦ କରି ବାନା ବାନ୍ଧିପାରିବେ । ଅପରାହ୍ନ ୫ଟା ବେଳେ ଚୁନରା ସେବକ ମାନେ ସଂକଳ୍ପ କରି ମାନସିକଧାରୀଙ୍କଠାରୁ ଧ୍ୱଜା ନେଇ ନୀଳଚକ୍ରରେ ବାନ୍ଧିଥାନ୍ତି ।

ଶ୍ରୀମନ୍ଦିରର ଧ୍ୱଜା ଏକ ହାତଠାରୁ ଆରମ୍ଭ କରି ୧୪ ହାତ ଯାଏଁ ରହିଛି । ଆଗରୁ ୧୫୦ ହାତର ବାନା ବନ୍ଧାଯାଉଥିଲା । ଏତେ ଲମ୍ବା ବାନା ବାନ୍ଧିବା ପରେ ମନ୍ଦିରରେ କମ୍ପନ ସୃଷ୍ଟି ହେବା ସହ ପଥର ଖସୁଥିଲା । ସେଥିପାଇଁ ସର୍ବେକ୍ଷଣ କରାଯାଇ ବାନାକୁ ୧୫୦ ହାତରୁ ୫୧ ହାତକୁ ଅଣାଯାଇଥିଲା । ଏହାପରେ ୩୧ ହାତ ଏବଂ ପରେ ୨୧ ଓ ୧୯ ହାତ କରାଯାଇଥିଲା । ଶେଷରେ ୧୪ ହାତରେ ସିମୀତ ରଖାଯାଇଛି । ଭକ୍ତମାନେ ଚାହିଁଲେ ୧୪ ହାତ, ୧୨ ହାତ, ୭ ହାତ ୫ ହାତ ବା ୨ ହାତ ବାନା ବାନ୍ଧିପାରିବେ । ୧୪ ହାତ ବାନା ବାନ୍ଧିଲେ ୧୪୦୦ ଟଙ୍କା ଲାଗିଥାଏ । ଚୁନରା ସେବକମାନେ ବାନା ବାନ୍ଧି ଥାଆନ୍ତି । ଏହା ସହ ସେମାନେ ମହାପ୍ରଭୁଙ୍କ ବାହନ ଗରୁଡଙ୍କୁ ମାର୍ଜନା କରିଥାନ୍ତି । ଅନେକ ଦୂରରୁ ଯଦି ଭକ୍ତ ଆସି ନୀଳଚକ୍ରକୁ ପ୍ରଣାମ କରେ ତେବେ ସେ ମୋକ୍ଷ ଲାଭ କରିଥାଏ ବୋଲି କୁହାଯାଏ । ତେଣୁ ନୀଳଚକ୍ରରେ ଉଡୁଥିବା ବାନାର ମାହାତ୍ମ୍ୟ ବହୁତ ରହିଛି । ଏପରିକି ଯଦି ଜଣେ ବିଧର୍ମୀ ସେହି ନୀଳଚକ୍ରରେ ଉଡୁଥିବା ପତିତପାବନ ବାନାକୁ ପ୍ରଣାମ କରେ ତଥାପି ତାକୁ ମୋକ୍ଷ ମିଳିଥାଏ ବୋଲି କୁହାଯାଏ ।

Leave A Reply

Your email address will not be published.