ପୁରୀ: ରାଜ୍ୟରେ ବିଭିନ୍ନ ସମୟରେ ପୂର୍ବ ଶତ୍ରୁତା, ଜମିଜମା ବିବାଦ କିମ୍ବା ଅନ୍ୟାନ୍ୟ କାରଣରୁ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯିବାର ଅନେକ ଅପରାଧିକ ଘଟଣା ସାମ୍ନାକୁ ଆସିଥାଏ। ଏବେ ସମାନ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ନୃଶଂସ ହତ୍ୟାକାଣ୍ଡ ଘଟିଛି। ପୁରୀ ଜିଲ୍ଲା ଚନ୍ଦନପୁର ଥାନା ମହାନା ସାହି ଗାଁରେ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ସେହି ଗାଁର କାଳିଆ ମଲ୍ଲିକ ବୋଲି ଜଣାପଡିଛି।
ସୂଚନା ଅନୁସାରେ ମୃତ କାଳିଆଙ୍କ ସହ ଗାଁର ଛବିମନ୍ୟୁ ଦାସଙ୍କ ଜମିଜମା ବିବାଦ ରହିଥିଲା। ଗତକାଲି ସକାଳେ ଛବିମନ୍ୟୁ ଗାଁ ଛକରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବାବେଳେ କାଳିଆ ତାଙ୍କୁ ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଛବିମନ୍ୟୁଙ୍କ ସହଯୋଗୀ କାଲି ରାତିରେ କାଳିଆକୁ ଅତର୍କିତ ଭାବେ ଖଣ୍ଡା ଦ୍ବାରା ଗୋଡାଇ ଗୋଡ଼ାଇ ହାଣିଥିଲେ। ଗୁରୁତର ଅବସ୍ଥାରେ ଚନ୍ଦନପୁର ଥାନା ପୋଲିସ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ କାଳିଆର ମୃତ୍ୟୁ ଘଟିଛି। ଅନ୍ୟପଟେ ଚନ୍ଦନପୁର ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।


Comments are closed.