Latest Odisha News

BREAKING NEWS

ନିଖୋଜ ମଣିଷକୁ ଖୋଜିବ କ୍ୟୁଆର ଲକେଟ

ମୁମ୍ବାଇ: ବିଭିନ୍ନ ଖବରକାଗଜ ହେଉ ବା ସୂଚନା ଫଳକରେ ନିଖୋଜ ବ୍ୟକ୍ତିଙ୍କ ବିଜ୍ଞାପନ ଦିଆଯାଉଥିବା ଆପଣ ନିଶ୍ଚୟ ଦେଖିଥିବେ । ନିଖୋଜ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଏହି ବିଜ୍ଞାପନ ଦିଆଯାଇଥାଏ । ଏଥିରେ ଉକ୍ତ ବ୍ୟକ୍ତିଙ୍କ ଫଟୋ ସହ ବୟସ, ଉଚ୍ଚତା, କେବେଠାରୁ ନିଖୋଜ ଅଛନ୍ତି ସବିଶେଷ ତଥ୍ୟ ଉଲ୍ଲେଖ ରହିଥାଏ । ହେଲେ ମୁମ୍ବାଇର ଅକ୍ଷୟ ରିଡ଼ଲାନ ନିଖୋଜ ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ନିଆରା ଢଙ୍ଗର ପଦକ୍ଷେପ ନେଇଛନ୍ତି । ଏହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

୨୦୨୩ର ବିଶ୍ୱ ଜନସଂଖ୍ୟା ସମୀକ୍ଷା ଅନୁଯାୟୀ,ପ୍ରତି ମାସରେ ୬୪,୮୫୧ ଲୋକ ନିଖୋଜ ହୋଇଯାଆନ୍ତି । ଏହି ରିପୋର୍ଟକୁ ନେଇ ଆଶ୍ଚର୍ଯ୍ୟ ହେବା ପରିବର୍ତ୍ତେ ମୁମ୍ବାଇର ଅକ୍ଷୟ ରିଡଲାନ୍ ଏହା ବିଷୟରେ କିଛି ନିଆରା କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ କ୍ୟୁଆର କୋଡ୍ ଥିବା ଏକ ଲକେଟ୍ ତିଆରି କରିଥିଲେ । ବୃତ୍ତିରେ ଜଣେ ଡାଟା ଇଞ୍ଜିନିୟର ଥିବା ଅକ୍ଷୟ ପ୍ରଯୁକ୍ତିବିଦ୍ୟାର ସାହାଯ୍ୟ ନେଇଛନ୍ତି । ଏକ କ୍ୟୁଆର ଲକେଟ ଡିଜାଇନ୍ କରିଛନ୍ତି ଯାହା ଲୋକଙ୍କୁ ସାହାଯ୍ୟ କରିପାରିବ । ବିଶେଷ କରି ଡିମେନ୍ସିଆ ଓ ଆଲଜାଇମର ଭଳି ରୋଗରେ ପୀଡିତ ଲୋକମାନଙ୍କ ପାଇଁ ବରଦାନ ସଦୃଶ ହୋଇପାରେ ।

୨୦୧୯ ମସିହାରେ ଅକ୍ଷୟ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ସମୟ ମଧ୍ୟରେ, ସେ ପ୍ରତିଦିନ ଖବରକାଗଜ ପଢୁଥିଲେ ଏବଂ ତା’ପରେ ସେ ନିଖୋଜ ଲୋକଙ୍କ ଏହି ସମସ୍ୟା ବିଷୟରେ ଜାଣିଥିଲେ । ଅକ୍ଷୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଗୋଟିଏ ପଟେ ଆମେ ଟେକ୍ନୋଲୋଜିରେ ଏତେ ଅଗ୍ରଗତି କରିଛୁ, ଅନ୍ୟ ପଟେ କାହିଁକି ଏହି ସମସ୍ୟାର ଆଧୁନିକ ସମାଧାନ ନାହିଁ? ତା’ପରେ ୨୪ ବର୍ଷୀୟ ଅକ୍ଷୟ ଏହି ସମସ୍ୟାର ଏକ ଟେକ୍ନୋଲୋଜି ଭିତ୍ତିକ ସମାଧାନ ଖୋଜିବାକୁ ସ୍ଥିର କଲେ । ଏହା ଏକ ସାଧାରଣ ଲକେଟ ପରି, ଯାହା ବେକରେ ଏକ ଚେନ ସହିତ ପିନ୍ଧାଯାଇପାରିବ । ଏହାପରେ ସେ ଗତ ମାସରେ କ୍ୟୁଆର ଥିବା ଲକେଟ ଲଞ୍ଚ କରିଥିଲେ । ଏହି ଲକେଟରେ ଲାଗିଥିବା କ୍ୟୁଆର କୋଡ଼ ମାଧ୍ୟମରେ ସ୍କାନ କରିବା ଦ୍ୱାରା ପିନ୍ଧିଥିବା ବ୍ୟକ୍ତିଙ୍କ ପ୍ରାଥମିକ ତଥ୍ୟ, ଠିକଣା ସହ ଯୋଗାଯୋଗ ନମ୍ବର ମିଳିଯିବ । ଅର୍ଥାତ କେହି ପରିଜନ ଯଦି ହଜିଯାଇଥାନ୍ତି, ତେବେ ତାଙ୍କ ବାବଦରେ ଜାଣିହେବ ।

Comments are closed.