Latest Odisha News

ଭକ୍ତ ଦେଇଥିଲେ…ଏବେ ନଷ୍ଟ ଅର୍ପଣ ଚାଉଳ !

ଭୁବନେଶ୍ବର: ସେବେ ନେଇଥିଲେ, ଏବେ ଫିଙ୍ଗିଦେଲେ । ବଦଳିଲା ସରକାର, ଦୋଛକିରେ ଅର୍ପଣ ଚାଉଳ ଭବିଷ୍ୟତ ! ଶ୍ରଦ୍ଧାରେ କାଳିଆ ସାଆନ୍ତଙ୍କ ପାଇଁ ଭକ୍ତ ଦେଇଥିବା ଅର୍ପଣ ଚାଉଳ ନଷ୍ଟ ହେବା ପରେ କେନାଲରେ ଫିଙ୍ଗାଯିବା ଘଟଣା ଅନେକଙ୍କୁ କଷ୍ଟ ଦେଇଛି । ଏବେବି ଅନିଶ୍ଚିତତା ଭିତରେ ଗଚ୍ଛିତ ରହିଥିବା ୧୦ହଜାର କ୍ବିଣ୍ଟାଲ ଚାଉଳର ଭବିଷ୍ୟତ। ଅର୍ପଣ ଚାଉଳରେ ପ୍ରସ୍ତୁତ ହେଉଥିବା ମାଗଣା ମହାପ୍ରସାଦ ବଣ୍ଟନ କାହା ନିର୍ଦ୍ଦେଶରେ ବନ୍ଦ ହେଲା? ବନ୍ଦ କରିବା ପରେ ଚାଉଳକୁ କଣ କରାଯିବ? ଲୋକେ ଶ୍ରଦ୍ଧାର ସହ ଦେଇଥିବା ଚାଉଳ ଏମିତି ଖତ ଖାଇବ କି? ଅର୍ପଣ ଚାଉଳକୁ ନେଇ ଏବେ ଏଭଳି ଅନେକ ପ୍ରଶ୍ନ ।

ବିବାଦରୁ ଆରମ୍ଭ ଅର୍ପଣ ଚାଉଳ ସଂଗ୍ରହ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବିଜେଡି ସରକାର ସମୟରେ ଗାଁ ଗାଁ ବୁଲି ଚାଉଳ ସଂଗ୍ରହ କରିଥିଲା ଅର୍ପଣ ରଥ । ତେବେ ମହାପ୍ରଭୁଙ୍କ ନାଁରେ ଏଭଳି ଚାଉଳ ସଂଗ୍ରହକୁ ନେଇ ସେତେବେଳେ ବିବାଦ ହୋଇଥିଲା । ଏହା ଶ୍ରୀଜଗନ୍ନାଥଙ୍କ ଅପମାନ କହି ସମାଲୋଚନା କରାଯାଇଥିଲା । ତେବେ ପରେ ଏହି ଚାଉଳରେ ସୁଆର ମହାସୁଆର ନିଯୋଗ ଜରିଆରେ  ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ମାଗଣା ବଣ୍ଟାଗଲା। ପ୍ରତିଦିନ ପ୍ରାୟ ୧୦ରୁ ୨୦ ବାଇହାଣ୍ଡି ମହାପ୍ରସାଦ ଶ୍ରଦ୍ଧାଳୁଙ୍କୁ ବଣ୍ଟାଯାଉଥିଲା । ପ୍ରଥମେ ଉତ୍ତରଦ୍ବାର ଓ ପରେ ଦକ୍ଷିଣ ଦ୍ବାର ଗୁମୁଟ ନିକଟରେ ମହାପ୍ରସାଦ ବଣ୍ଟାଗଲା। ହେଲେ ଜୁନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ସହ ବନ୍ଦ ହୋଇଗଲା ମହାପ୍ରସାଦ ବଣ୍ଟନ ।

 କାହିଁକି ବନ୍ଦ ହେଲା ମହାପ୍ରସାଦ ବଣ୍ଟନ?

ପ୍ରଶ୍ନ ଉଠୁଛି, ବିଜେଡି ସରକାର ସମୟରେ କାହା ନିର୍ଦ୍ଦେଶରେ ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା? ବା ବିଜେପି ସରକାରରେ କାହା ନିର୍ଦ୍ଦେଶରେ ମହାପ୍ରସାଦ ବଣ୍ଟନ ବନ୍ଦ ହେଲା? ମହାପ୍ରସାଦ ପ୍ରସ୍ତୁତି ପାଇଁ ଅର୍ପଣ ଚାଉଳ ସହ ଦେଶୀ ଗୁଆ ଘିଅ, କାଜୁ, ପିସ୍ତା, ଚିନି, ମୁଗ ଭଳି ଅନ୍ୟ ସାମଗ୍ରୀର ଆବଶ୍ୟକ ପଡୁଥିଲା । ପ୍ରସ୍ତୁତି ବାବଦ ଖର୍ଚ୍ଚ କେଉଁ ବିଭାଗ ପକ୍ଷରୁ ହେଉଥିଲା, ସେନେଇ ସ୍ପଷ୍ଟ ଉତ୍ତର ମିଳିନି । ତେବେ ବିଜେଡି ସରକାର ସମୟରେ ମହାପ୍ରସାଦ ପ୍ରସ୍ତୁତିରେ ସମସ୍ୟା ନଥିଲା । ହେଲେ ବିଜେପି ସରକାର ଆସିବା ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନରେ ଅନେକ ଅଧିକାରୀ ବଦଳିଛନ୍ତି । ନୂଆ ଅଧିକାରୀ ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତି ଦାୟିତ୍ବ ନେଲେନି । ନିଯୋଗ ପକ୍ଷରୁ ମହାପ୍ରସାଦ ପ୍ରସ୍ତୁତିରେ ଆବଶ୍ୟକ ସାମଗ୍ରୀ ଯୋଗାଇବା ଓ ଖର୍ଚ୍ଚ ଭରଣା କରିବାକୁ ବାରମ୍ବାର କୁହାଯାଇଥିଲେ ବି କେହି ଶୁଣିଲେନି । ଏପରିକି ପରିଚାଳନା କମିଟି ବୈଠକରେ ବି ପ୍ରସଙ୍ଗ ଚାପି ଦିଆଯାଇଥିବା ଅଭିଯୋଗ ହେଉଛି ।

ବଳକା ଚାଉଳ ହେବ କ’ଣ?

ମହାପ୍ରସାଦ ପ୍ରସ୍ତୁତି ଓ ବଣ୍ଟନ ବନ୍ଦ ହେବାରୁ ଏବେ ଅନିଶ୍ଚିତତା ଭିତରେ ବଳକା ଚାଉଳର ଭବିଷ୍ୟତ । ଏବେବି ଜିଲ୍ଲା ଯୋଗାଣ ବିଭାଗ ଗୋଦାମ ଘର ଓ ଅକ୍ଷୟ ପାତ୍ର ଫାଉଣ୍ଡେସନରେ ୧୦ହଜାର କ୍ବିଣ୍ଟାଲ ଅର୍ପଣ ଚାଉଳ ଗଚ୍ଛିତ ହୋଇ ରହିଛି । ତେବେ ଚାଉଳର ମାନ ଭଲ ନଥିବାରୁ ଏହାକୁ କୌଣସି ଅନାଥ ଆଶ୍ରମକୁ ଦେବା କିମ୍ବା ବିକ୍ରି କରି ଅର୍ଥ ଶ୍ରୀମନ୍ଦିରକୁ ଦାନ ଭାବେ ଦେବାକୁ ସୁଆର ମହାସୁଆର ନିଯୋଗ ପ୍ରସ୍ତାବ ଦେଇଥିଲା । ୨୦ଦିନ ପରେ ବି ଆଇନ ବିଭାଗକୁ ନିଯୋଗ ଲେଖିଥିବା ଚିଠିର ଉତ୍ତର ଆସିନି । ସେପଟେ ଜୁନରୁ ମହାପ୍ରସାଦ ବଣ୍ଟନ ବନ୍ଦ ହେବା ପରେ ନିଯୋଗକୁ ମିଳିଥିବା ଚାଉଳ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ବାରରେ ପଡି ରହି ନଷ୍ଟ ହେଲା । ତେଣୁ ଏହାକୁ କେନାଲରେ ଫିଙ୍ଗା ଯାଇଥିବା କୁହାଯାଇଛି ।

 ଅର୍ପଣ ଚାଉଳ ଯେଉଁ ସରକାରରେ ବି ସଂଗ୍ରହ ହେଉ ନା କାହିଁକି, ଏହା ଥିଲା ଭକ୍ତଙ୍କ ଶ୍ରଦ୍ଧାର ପ୍ରତୀକ । ବିଜେଡି ସରକାର ସମୟରେ ଚାଉଳ ସଂଗ୍ରହକୁ ନେଇ ବିବାଦ ହୋଇଥିଲେ ବି ପରେ ଏଥିରୁ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା । ତେଣୁ ବିଜେପି ସରକାର ଅର୍ପଣ ଚାଉଳକୁ ନେଇ ସମ୍ବେଦନଶୀଳ ହେବା ଉଚିତ୍ । ନହେଲେ ବିବାଦରୁ ଆରମ୍ଭ ହୋଇଥିବା ଅର୍ପଣ ଚାଉଳ ସଂଗ୍ରହ ବିବାଦରେ ହିଁ ଶେଷ ହେବ ।

Comments are closed.