Latest Odisha News

BREAKING NEWS

ରାଜ୍ୟସଭା ଦୌଡ଼: ରାଜନୀତିରେ ମିଶିବାର ପ୍ରଶ୍ନ ଉଠୁନାହିଁ କହିଲେ ମନୋଜ ନାୟକ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ ହେବା ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ମନୋରଞ୍ଜନ ନାୟକଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହାକୁ ସେ ଦୃଢଭାବେ ଖଣ୍ଡନ କରିଛନ୍ତି ।

ରାଜନୀତି କରିବାକୁ ପୂର୍ବରୁ କେବେ ଆଗ୍ରହ ନ’ଥିଲା କି ବର୍ତ୍ତମାନ ମଧ୍ୟ ନାହିଁ ବୋଲି ଶ୍ରୀ ନାୟକ ଗୁରୁବାର ଦିନ ସ୍ପଷ୍ଟ କରିଛନ୍ତି । “ ଏସବୁ ପ୍ରତି ମୋର ଆଦୌ ଆଗ୍ରହ ନାହିଁ, ଇଛା କରିଥିଲେ ମୁଁ ବହୁତ ପୂର୍ବରୁ ରାଜନୀତିରେ ଅଂଶଗ୍ରହଣ କରିପାରିଥାଆନ୍ତି ।” ଏହା ସେ କହିଛନ୍ତି । ସେ ରାଜ୍ୟସଭା ଲାଗି ପ୍ରାର୍ଥୀ ହେବାକୁ ଇଚ୍ଛୁକ ବୋଲି ପୂର୍ବରୁ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାକୁ ସେ ‘କପୋଳକଳ୍ପିତ’ ଏବଂ ‘ଭିତ୍ତିହୀନ’ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିପରି ଭଲ କ୍ୟାରିୟର୍ କରିପାରିବେ ଏବଂ ସମ ହସ୍ପିଟାଲର ରୋଗୀମାନେ କିପରି ଭଲ ଭାବରେ ଚିକିତ୍ସିତ ହୋଇପାରିବେ ଏହାହିଁ ତାଙ୍କର ଇଚ୍ଛା ବୋଲି ଶ୍ରୀ ନାୟକ ‘ଓଡ଼ିଶା ସମ୍ବାଦ’କୁ କହିଛନ୍ତି ।

ଶ୍ରୀ ନାୟକଙ୍କ ତତ୍ୱାବଧାନରେ ଅଗ୍ରଣୀ ଓଡ଼ିଆ ଦୈନିକ ‘ପ୍ରମେୟ’ ଏବଂ ଓଡ଼ିଆ ଟେଲିଭିଜନ ଚ୍ୟାନେଲ୍ ନ୍ୟୁଜ୍ ୭ ପରିଚାଳିତ ହେଉଛି ।

ଫେବୃଆରୀ ୨୯ ତାରିଖରେ ଶ୍ରୀ ନାୟକଙ୍କ ମାଲିକାନାରେ ସୁପର୍ ସ୍ପେଶାଲିଟି ସମ ଅଲଟିମେଟ ମେଡ଼ିକେୟାର୍ ହସ୍ପିଟାଲ ଉଦଘାଟିତ ହୋଇଛି । ଏହି ଉଦଘାଟନ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଗୋଟିଏ ମଞ୍ଚରେ ଦୁଇ ବିରୋଧୀ ଦଳର ନେତାମାନଙ୍କୁ ବସାଇବାରେ ସକ୍ଷମ ହୋଇଥିବାରୁ ସେ ବିଜେପି କିମ୍ବା ବିଜେଡ଼ି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହାକୁ ଶ୍ରୀ ନାୟକ ଦୃଢ ଭାବେ ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.