Latest Odisha News

BREAKING NEWS

ଗଙ୍ଗା ଏକ୍ସପ୍ରେସ୍‌ ୱେରେ ମିରାଜ,ରାଫେଲର ଯୁଦ୍ଧାଭ୍ୟାସ; ରାତିରେ ଯୁଦ୍ଧ ବିମାନ ଅବତରଣ ପରୀକ୍ଷଣ

ଉତ୍ତରପ୍ରଦେଶ:ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଅବତରଣ ଅଭ୍ୟାସ ଆରମ୍ଭ କରିଛି । ମେରଠ-ପ୍ରୟାଗରାଜ ଗଙ୍ଗା ଏକ୍ସପ୍ରେସୱେର ଶାହଜାହାନପୁର ନିକଟରେ ନିର୍ମିତ ଏୟାରଷ୍ଟ୍ରିପରେ ବାୟୁସେନା ରାଫେଲ, ମିରାଜ ଏବଂ ଜାଗୁଆର ଭଳି ଅତ୍ୟାଧୁନିକ ଯୁଦ୍ଧବିମାନ ନିଜର ଯୁଦ୍ଧ ପ୍ରସ୍ତୁତି ଓ ଶକ୍ତି ପ୍ରଦର୍ଶନ କରିଛି। ଆଦାନୀ ଗ୍ରୁପ୍ ଦ୍ୱାରା ନିର୍ମିତ ଏହି ୩.୫ କିଲୋମିଟର ଲମ୍ବା ଷ୍ଟ୍ରିପ୍ ଜାତୀୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ରନୱେ ଭାବରେ କାର୍ଯ୍ୟ କରିବ।

ଯଦି ଯୁଦ୍ଧ ଭଳି ଜରୁରୀକାଳୀନ ପରିସ୍ଥିତି ଉପୁଜେ, ତେବେ ଏହି ଏକ୍ସପ୍ରେସୱେ ଷ୍ଟ୍ରିପକୁ ବିକଳ୍ପ ବିମାନବନ୍ଦର ଭାବରେ ବ୍ୟବହାର କରାଯାଇପାରିବ।

ଏହି ଅଭ୍ୟାସରେ ରାଫେଲ, ସୁଖୋଇ-୩୦ ଏମକେଆଇ, ମିରାଜ-୨୦୦୦, ମିଗ-୨୯, ଜାଗୁଆର ଭଳି ଅତ୍ୟାଧୁନିକ ଯୁଦ୍ଧବିମାନ ଏବଂ ସି-୧୩୦ଜେ ସୁପର ହରକ୍ୟୁଲିସ, ଏଏନ-୩୨ ଓ ଏମଆଇ-୧୭ ଭି୫ ହେଲିକପ୍ଟର ସାମିଲ ହୋଇଥିଲେ। ଏହି ଅଭ୍ୟାସରେ ଯୁଦ୍ଧବିମାନଗୁଡ଼ିକ ମାତ୍ର ଏକ ମିଟର ଉଚ୍ଚତାରେ ନିମ୍ନ ଉଡ଼ାଣ (Low Fly-Past), ଅବତରଣ ଓ ଉଡ଼ାଣ ଅଭ୍ୟାସ କରିଥିଲେ, ଯାହା ବାୟୁସେନାର ଦକ୍ଷତା ଓ ତୀକ୍ଷ୍ଣ ପ୍ରସ୍ତୁତିକୁ ପ୍ରତିଫଳିତ କରିଛି।

ଗଙ୍ଗା ଏକ୍ସପ୍ରେସୱେ ହେଉଛି ୟୁପିର ଚତୁର୍ଥ ଏପରି ଏକ୍ସପ୍ରେସୱେ ଯାହାର ଏକ ଏୟାରଷ୍ଟ୍ରିପ୍ ଅଛି। କିନ୍ତୁ ଏହା ଦେଶର ପ୍ରଥମ ଏକ୍ସପ୍ରେସୱେ ଯେଉଁଠାରେ ରାତିରେ ଅବତରଣ କରିବାର କ୍ଷମତା ରହିଛି। ଦେଶରେ ପ୍ରଥମ ଥର ପାଇଁ ରାଜପଥରେ ଦିବା ଅବତରଣ ପରୀକ୍ଷଣ ସହିତ ରାତିରେ ଅବତରଣ ପରୀକ୍ଷଣ କରାଯିବ।

ଏହି ଅଭ୍ୟାସ ନେପାଳ ସୀମାନ୍ତଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ହେଉଛି । ତେଣୁ ଏହାର ସାମରିକ ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି।

ପାହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରୁଛି।

ଏପର୍ଯ୍ୟନ୍ତ ଗଙ୍ଗା ଏକ୍ସପ୍ରେସୱେର ୮୫ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି। ଏହି ସମ୍ପୂର୍ଣ୍ଣ ଏକ୍ସପ୍ରେସୱେ ୫୯୪ କିଲୋମିଟର ଲମ୍ବା। ସାଢ଼େ ତିନି କିଲୋମିଟର ଲମ୍ବା ଏହି ଏୟାରଷ୍ଟ୍ରିପ୍ ଶାହଜାହାନପୁରର ଜଲାଲାବାଦ ତହସିଲରେ ଅବସ୍ଥିତ।

Comments are closed.