Latest Odisha News

ରାଗିଂ ଅଭିଯୋଗରେ ବୁର୍ଲା ଭିସୁଟର ୧୨ ଛାତ୍ର ବହିଷ୍କୃତ

ସମ୍ୱଲପୁର: ବୁର୍ଲା ଭିସୁଟରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ରାଗିଂ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ । ୧୨ ଜଣ ଛାତ୍ରଙ୍କୁ ବହିଷ୍କାର କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ ଓ ଅନ୍ୟ ୧୦ ଜଣଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି । ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛି ।

ଅଭିଯୋଗ ଅନୁସାରେ, ଗତ ୨୨ ତାରିଖ ରାତିରେ ଭିସୁଟର ପୁଲହ ହଷ୍ଟେଲର ଜଣେ ତୃତୀୟ ବର୍ଷର ଇଂଜିନିୟରିଂ ଛାତ୍ରଙ୍କୁ ମାଡ ମରାଯାଇଥିଲା । ଅଭିଯୋଗ ପରେ ବସିଥିଲା ଶୃଙ୍ଖଳା କମିଟିର ବୈଠକ । ଏଥିରେ କୁଳପତି, ରେଜିଷ୍ଟ୍ରାରଙ୍କ ସହ ୩୧ ଜଣ ପ୍ରଫେସରଙ୍କ ସମେତ ପୀଡିତ ଛାତ୍ର ଓ ରାଗିଂ କରିଥିଲା ଛାତ୍ର ଉପସ୍ଥିତ ଥିଲେ । ବୈଠକରେ ଉଭୟ ପକ୍ଷ ଛାତ୍ରଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା ହୋଇଥିଲା ।

ରାଗିଂ କରିଥିବା ଛାତ୍ରମାନେ ମାଡ ମାରିଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ । ଶୃଙ୍ଖଳା କମିଟି ଦେଇଥିବା ରିପୋର୍ଟରେ ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ ନେଇ ଛାତ୍ରଙ୍କୁ ମାଡ ମରାଯାଇଥିବା ଉଲ୍ଲେଖ ରହିଛି । ଏହି ରିପୋର୍ଟ ଆଧାରରେ ୧୨ ଛାତ୍ରଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ବହିଷ୍କାର ଅବଧି ଶେଷ ପରେ ଏହି ଛାତ୍ରମାନେ ପୁନଃ ବିଶ୍ୱବିଦ୍ୟାଳୟରେ ଯୋଗଦାନ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ପ୍ରତିଶ୍ରୁତି ଦେବେ ଯେ ସେମାନେ ଭବିଷ୍ୟତରେ ଏଭଳି କାର୍ଯ୍ୟରେ ଆଉ ସମ୍ପୃକ୍ତ ରହିବେ ନାହିଁ । ଏହାର ଉଲ୍ଲଂଘନ ହେଲେ ସେମାନଙ୍କୁ ସବୁଦିନ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.