Latest Odisha News

BREAKING NEWS

‘ମଧ୍ୟପ୍ରଦେଶରେ ୧୫୦ ସିଟରେ ଜିତିବ କଂଗ୍ରେସ’

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ୧୫୦ ଆସନ ଜିତିବ କଂଗ୍ରେସ। ମଧ୍ୟପ୍ରଦେଶ ନିର୍ବାଚନ ପ୍ରସ୍ତୁତି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି ମନ୍ତବ୍ୟ ଦେଇଛନ୍ତି।

କର୍ଣ୍ଣାଟକରେ କଂଗ୍ରେସ ଯେଭଳି ଜିତିଲା ମଧ୍ୟପ୍ରଦେଶରେ ସେଭଳି ରିପିଟ କରିବ ବୋଲି ସେ କହିଛନ୍ତି। ତେଣୁ ମଧ୍ୟପ୍ରଦେଶରେ ରାହୁଲଙ୍କ ଭାଇୟା ଦେଢ଼ ସୋ ସିଟ ଆନେ ବାଲି ହେ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ କ୍ଷମତାକୁ ଆସିବାକୁ କଂଗ୍ରେସ ବଡ଼ ପ୍ଲାନ କରିଛି ବୋଲି କୁହାଯାଉଛି। ମଧ୍ୟପ୍ରଦେଶ ନିର୍ବାଚନରେ ସଫଳତା ପାଇଁ ଦଳର ଜାତୀୟ ନେତୃତ୍ୱ ରାଜ୍ୟ ନେତୃତ୍ୱଙ୍କ ସହ ବୈଠକ କରିଛନ୍ତି। କଂଗ୍ରେସର ଜାତୀୟ ସଭାପତି ମଲ୍ଲିକର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ।

ମଧ୍ୟପ୍ରଦେଶ ପ୍ରଦେଶ କଂଗ୍ରେସ ସଭାପତି କମଲନାଥଙ୍କ ସମେତ ଦଳର ପ୍ରମୁଖ ରାଜ୍ୟ ନେତୃତ୍ୱ ବୈଠକରେ ସାମିଲ ହୋଇଥିଲେ। ମଧ୍ୟପ୍ରଦେଶ ପାଇଁ ଦଳ ପକ୍ଷରୁ ସ୍ଵତନ୍ତ୍ର ରଣନୀତି ସମ୍ପର୍କରେ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶରେ ସବୁ କ୍ଷେତ୍ରରେ ଦଳ ଯୋଜନାବଦ୍ଧ ଭାବେ ଲଢ଼ିବାକୁ ଉଦ୍ୟମକୁ ତୀଵ୍ର କରିଛି।

ସେପଟେ ରାହୁଲଙ୍କ ୧୫୦ ସିଟ ଆକଳନକୁ ରାଜନୈତିକ ସ୍ତରରେ ଗୁରୁତ୍ୱ ଦିଆଯାଇଥିବା ଆଲୋଚନା ହେଉଛି। କର୍ଣ୍ଣାଟକରେ ମଧ୍ୟ ରାହୁଲ ୧୫୦ ସିଟ ଜିତିବା ନେଇ ଶେଷ ଯାଏ ଦୃଢୋକ୍ତି ପ୍ରକାଶ କରିଥିଲେ ଓ ଦଳ ୧୩୫ ସିଟ ଜିତିଥିଲା।

ତେଣୁ ମଧ୍ୟପ୍ରଦେଶରେ ୧୫୦ ସିଟ ଜିତିବାକୁ ନେଇ ରାହୁଲଙ୍କ ମନ୍ତବ୍ୟ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ ରାଜ୍ୟର ସ୍ଥିତି, ଲୋକଙ୍କ ମାନସିକତା ଓ ବିଜେପିର ପ୍ଲାନକୁ ଆଖି ଆଗରେ ରଖି ନିଜକୁ ସବୁ ଦୃଷ୍ଟିରୁ ଦୃଢ଼ କରୁଛି କଂଗ୍ରେସ। ଯାହାର ପ୍ରତିଫଳନ ମଧ୍ୟ ଦେଖିବାକୁ ମିଳୁଛି।

ରାଜ୍ୟର ପ୍ରମୁଖ ଭୋଟବ୍ୟାଙ୍କ କୁହାଯାଉଥିବା ମହିଳାଙ୍କ ପାଇଁ ମାସିକ ୧୫୦୦ ଟଙ୍କା ଓ ଗ୍ୟାସ ସିଲିଣ୍ଡର ଯୋଗାଣ ସମ୍ପର୍କିତ ଘୋଷଣା କରି ଆଗଉଥିବା କଂଗ୍ରେସ ଅନ୍ୟାନ୍ୟ ଗ୍ୟାରେଣ୍ଟି ଘୋଷଣା କରି ଜୋରଦାର ପ୍ରଚାର ପ୍ରସାର କରୁଛି। ଏଭଳି ସ୍ଥିତିରେ ବିଜେପିର ଶକ୍ତି କୁହାଯାଉଥିବା ହିନ୍ଦୁତ୍ୱ କାର୍ଡ ଖେଳିଛି ମଧ୍ୟପ୍ରଦେଶ କଂଗ୍ରେସ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ସଭାପତି କମଲନାଥ ଆଧ୍ୟାତ୍ମ ବିଭାଗ ସ୍ଥାପନ କରିଥିବା ବେଳେ ରାମ ପଥ ଗମନ ନିର୍ମାଣ ପାଇଁ ବ୍ୟୟବରାଦ କରିଥିଲେ। ଯାହାକୁ କଂଗ୍ରେସ ଏବେ ପ୍ରଚାରର ଅନ୍ୟ ଏକ ପ୍ରମୁଖ ଅସ୍ତ୍ର କରିଛି। ଏହାଦ୍ୱାରା ମଧ୍ୟପ୍ରଦେଶରେ କଂଗ୍ରେସ ହିନ୍ଦୁତ୍ୱର ବଡ଼ କାର୍ଡ ଖେଳିବାକୁ ଚାହୁଁଛି।

କଂଗ୍ରେସ କ୍ଷମତାକୁ ଆସିଲେ ଦଳ କଣ କଣ କରିବ ସେ ନେଇ ଘୋଷଣା ସହ ପ୍ରଚାର କରୁଥିବା ବେଳେ ଏବେ ସନାତନ ଧର୍ମର ସଂସ୍କୃତି ଓ ପରମ୍ପରାର ରକ୍ଷା ପାଇଁ ଆଧ୍ୟାତ୍ମ ବିଭାଗ କରାଯାଇଥିବା କୁହାଯାଇଛି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମ ରେ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି।

ଏଥିପାଇଁ କମଲନାଥଙ୍କ ସରକାର ୨୨ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ସେଥିରେ ୮୪ କୋଷ ପରିକ୍ରମା ପାଇଁ ୫ କୋଟି ଟଙ୍କା, କାମଦଗିରି ପର୍ବତ ପାଇଁ ଏକ କୋଟି, ଗୁପ୍ତ ଗୋଦାବରୀ ପାଇଁ ଏକ କୋଟି, ରାମପଥ କରିଡରର ବିକାଶ ପାଇଁ ୧୦ କୋଟି ଟଂକା ରଖାଯାଇଥିବା କଂଗ୍ରେସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଉଛି। ଯାହାକୁ ନେଇ ଜୋରଦାର ଚର୍ଚ୍ଚା।

ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାର ଆସିଲେ ହିଁ ରାଜ୍ୟରେ ହିନ୍ଦୁ ସଂସ୍କୃତିର ବିକାଶ ସହ ବହୁ ପରମ୍ପରା ରକ୍ଷା ଦିଗରେ ବହୁ କାର୍ଯ୍ୟ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ତେଣୁ ଗୋଟିଏ ପଟେ ୧୫୦ ସିଟ ଜିତିବାକୁ ନେଇ ରାହୁଲଙ୍କ ଦୃଢୋକ୍ତି ସେପଟେ କର୍ଣ୍ଣାଟକ ଭଳି ଷ୍ଟ୍ରାଟେଜି ବିଜେପିର ଚିନ୍ତା ବଢ଼ାଇ ଦେଇଥିବା ଚର୍ଚ୍ଚା ହେଉଛି।

Comments are closed.