Latest Odisha News

BREAKING NEWS

‘ତେଲେଙ୍ଗାନା ରାଜନୀତି’, ୱାଇଏସଆର ସହ ମେଣ୍ଟ କରିବ କଂଗ୍ରେସ !

ଭୁବନେଶ୍ୱର: ତେଲେଙ୍ଗାନାରେ ଆସନ୍ନ ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ରାଜ୍ୟରେ ଶାସକ ବିଆରଏସକୁ ହରାଇବାକୁ ପ୍ରମୁଖ ଶକ୍ତି ମାନେ ଲାଗି ପଡିଛନ୍ତି। ବିଜେପିଠୁ ଆରମ୍ଭ କରି କଂଗ୍ରେସ ଓ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟ ଜିତିବାକୁ ଯୋଜନା ପ୍ରସ୍ତୁତିରେ ଲାଗିଛନ୍ତି।

କର୍ଣ୍ଣାଟକରେ ହାରିବା ପରେ ବିଜେପି ଦକ୍ଷିଣ ଭାରତର କୌଣସି ରାଜ୍ୟରେ ନାହିଁ। ତେଣୁ ତେଲେଙ୍ଗାନା ଉପରେ ବିଜେପିର ନଜର ଥିବା କୁହାଯାଇଛି। ନିଯୁକ୍ତିକୁ ପ୍ରମୁଖ ପ୍ରସଙ୍ଗ କରି ବିଜେପି ତେଲେଙ୍ଗାନାରେ ନିର୍ବାଚନ ମାହୋଲ ପ୍ରସ୍ତୁତ କରିବା ଆରମ୍ଭ କରିଛି।

ସେପଟେ କଂଗ୍ରେସ ମଧ୍ୟ ଏଥର ତେଲେଙ୍ଗାନାରେ ଶାସନକୁ ଆସିବାକୁ ଉଦ୍ୟମକୁ ଜୋରଦାର କରିବ ବୋଲି କୁହାଯାଉଛି। କର୍ଣ୍ଣାଟକରେ ବଡ଼ ବିଜୟ ପରେ ଅନ୍ୟ ଏକ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ସଫଳତା ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ।

ଏପରିକି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ଭଲ ପ୍ରଭାବ ତେଲେଙ୍ଗାନାରେ ଦେଖିବାକୁ ମିଳିଥିଲା। ତେଣୁ ଯେଉଁଭଳି ଭାରତ ଯୋଡୋ ଯାତ୍ରା ପାଇଁ କର୍ଣ୍ଣାଟକରେ କଂଗ୍ରେସ ସଫଳତାର ମୂଳଦୁଆ ପଡିଥିଲା ବୋଲି କୁହାଯାଉଛି ସେଭଳି ତେଲେଙ୍ଗାନାରେ ମଧ୍ୟ ରିପିଟ କରିବାକୁ ଦଳ ରଣନୀତି କରୁଛି। ଏପରିକି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏକ ସଭା ରେ ଯୋଗ ଦେଇ ବିଆରଏସକୁ ଟାର୍ଗେଟ କରିବା ସହ ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଛନ୍ତି।

ସେପଟେ ଆଉ ଏକ ବଡ଼ ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ରେଡ୍ଡୀ ଭଉଣୀ ତଥା ୱାଇଏସଆର ତେଲେଙ୍ଗାନା ପାର୍ଟି ସଭାପତି ୱାଇଏସ ଶର୍ମିଲା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସଭାପତି ଡି କେ ଶିବକୁମାରଙ୍କୁ ଭେଟିଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ବେଙ୍ଗାଲୁରୁ ସ୍ଥିତ ଶିବକୁମାରଙ୍କ ବାସଭବନରେ ଉଭୟଙ୍କ ସାକ୍ଷାତ ହୋଇଛି। ଶିବକୁମାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ସୌଜନ୍ୟମୂଳକ ସାକ୍ଷାତ କୁହାଯାଉଥିଲେ ମଧ୍ୟ ଏହି ଭେଟଘାଟ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଶିବକୁମାର ଶର୍ମିଲାଙ୍କ ପାରିବାରିକ ବନ୍ଧୁ ବୋଲି କୁହାଯାଏ। ଚର୍ଚ୍ଚା ଅନୁଯାୟୀ ଶର୍ମିଲାଙ୍କ ୱାଇଏସଆର ତେଲେଙ୍ଗାନା ପାର୍ଟି ତେଲେଙ୍ଗାନାରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଥିବା କୁହାଯାଉଛି।

ତେଣୁ ସେ ଏ ସମ୍ପର୍କରେ ଶିବକୁମାରଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି। ସେପଟେ କଂଗ୍ରେସ ମଧ୍ୟ ବିଆରଏସ ବିରୋଧୀ ଭୋଟକୁ ଏକାଠି କରିବାକୁ ଚାହୁଁଛି। ଏଭଳି ସ୍ଥିତିରେ ଏହି ଭେଟଘାଟ ଆହୁରି ରୋଚକ ସ୍ଥିତି ସୃଷ୍ଟି କରିଛି।

ସେପଟେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଏକତାର କଥା କୁହାଯାଉଥିବା ବେଳେ ବିଆରଏସ ଏକ ପ୍ରମୁଖ ବିରୋଧୀ ଭାବେ ଗଣାଯାଉଛି। କିନ୍ତୁ ତେଲେଙ୍ଗାନାର ରାଜନୈତିକ ଗଣିତକୁ ଦେଖିଲେ ବିରୋଧୀ ଏକତାକୁ ନେଇ ମଧ୍ୟ ଏକ ପ୍ରଶ୍ନ ସୃଷ୍ଟି ହେଉଛି।

Leave A Reply

Your email address will not be published.