Latest Odisha News

BREAKING NEWS

ରାହୁଲ ବନାମ ହିମନ୍ତା…ବଢିଲା ତାତି 

ଦିଶପୂର୍ଆ: ଆସନ୍ତାବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏବେଠୁ ସରଗରମ ହେଲାଣି ରାଜନୀତି। ରାହୁଲ ଗାନ୍ଧୀ ବନାମ ହିମନ୍ତା ବିଶ୍ବଶର୍ମା, ଜୋରଦାର ହୋଇଛି ବାକଯୁଦ୍ଧ। କ୍ଷମତାକୁ ଆସିଲେ ହିମନ୍ତାଙ୍କୁ ଜେଲ ପଠାଇବାକୁ ଚେତାବନୀ ଦେଇଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। କାରଣ ଦେଢ ବର୍ଷ ତଳେ ରାହୁଲଙ୍କୁ ଗିରଫ କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ ହିମନ୍ତା। ଏବେ ରାହୁଲ ପାଲଟା ଚେତାବନୀ ଦେଇଥିବା ବେଳେ ହିମନ୍ତା କହିଛନ୍ତି, ନିଜେ ରାହୁଲ ଏବେ ବେଲରେ ଅଛନ୍ତି।

ଆସାମ ନିର୍ବାଚନ ପାଇଁ ବଢିଲା ତାତି

ଦୁଇ ଦିନିଆ ଆସାମ ଗସ୍ତରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ। ଆସନ୍ତା ବର୍ଷ ହେବାକୁ ଯାଉଥିବା ନିର୍ବାଚନ ନେଇ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ରାହୁଲ। ଛାୟଗାଁଓରେ କର୍ମୀଙ୍କୁ ସମ୍ବୋଧିତ କରି ହିମନ୍ତା ଓ ବିଜେପିକୁ ଜୋରଦାର ଟାର୍ଗେଟ୍ କରିଛନ୍ତି। ସ୍ପଷ୍ଟ ହୋଇଛି, ଏଥର ଦୁର୍ନୀତିକୁ ପ୍ରସଙ୍ଗ କରିବା ସହ ହିମନ୍ତା ବିଶ୍ବଶର୍ମାଙ୍କୁ କାଠଗଡାକୁ ଟାଣି ନିର୍ବାଚନ ଲଢିବାକୁ ରଣନୀତି କରିଛି କଂଗ୍ରେସ। ଆସାମରେ କେବଳ ରାଜନୈତିକ ଲଢେଇ ନୁହେଁ ବରଂ ଦେଶର ଆତ୍ମାକୁ ବଞ୍ଚାଇବାକୁ ଲଢେଇ ବୋଲି ରାହୁଲ କହିଛନ୍ତି।

ଜେଲ୍ ବନାମ ଜେଲ୍ ଲଢେଇ

ହିମନ୍ତା ବିଶ୍ବଶର୍ମାଙ୍କୁ ଜେଲ୍ ପଠାଇବାକୁ ଖୋଲା ଚେତାବନୀ ଦେଇଛନ୍ତି ରାହୁଲ। ଆସାମର ମୁଖ୍ୟମନ୍ତ୍ରୀ ନିଜକୁ ରାଜା ମନେ କରୁଛନ୍ତି। ହିମନ୍ତା ସାରା ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ। ତେବେ ସେ ଖୁବଶୀଘ୍ର ଜେଲ ଯିବେ। ଡର ତାଙ୍କ ଆଖିରେ ସ୍ପଷ୍ଟ ଦେଖାଯାଉଛି। କାରଣ ତାଙ୍କୁ ଏବେ ନା ନରେନ୍ଦ୍ର ମୋଦି ରକ୍ଷା କରିପାରିବେ ନା ଅମିତ ଶାହା। ରାହୁଲଙ୍କ ଏସବୁ ଟିପ୍ପଣୀକୁ ଖଡଗେ ବି ଦୋହରାଇଛନ୍ତି। ଏହାର ଜବାବରେ ହିମନ୍ତା କହିଛନ୍ତି, ନିଜେ ରାହୁଲ ଗାନ୍ଧୀ ଅନେକ ମାମଲାରେ ବେଲରେ ରହିଛନ୍ତି। ରାହୁଲ ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ବେଲରେ ବାହାରେ ଥିବା ଶୁଣିଥିବା କହିଛନ୍ତି ହିମନ୍ତା। ଏଥିସହ ସବୁଠାରୁ ଦୁର୍ନୀତିଗ୍ରସ୍ତ କଂଗ୍ରେସ ଅଧ୍ୟକ୍ଷ ଭାବେ ରାହୁଲଙ୍କୁ ମନେ ରଖାଯିବ ବୋଲି ସେ କହିଛନ୍ତି।

କଂଗ୍ରେସର ଆସାମ ରଣନୀତି

ଆସାମ କଂଗ୍ରେସର କମାଣ ଗୌରବ ଗୋଗୋଇଙ୍କୁ ଦେବା ପରେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ଆସାମରେ ଆକ୍ରାମକ ଅନ୍ଦାଜରେ ହିମନ୍ତା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି, ଆଗାମୀ ନିର୍ବାଚନରେ ଫ୍ରଣ୍ଟଫୁଟରେ ବିଜେପିର ମୁକାବିଲା କରିବ କଂଗ୍ରେସ। ଖାଲି ସେତିକି ନୁହେଁ ଦୁର୍ନୀତି ପ୍ରସଙ୍ଗକୁ ଅସ୍ତ୍ର କରି ହିମନ୍ତା ସରକାରଙ୍କୁ ଘାଇଲା କରିବ ଦଳ। 9ବର୍ଷ ଧରି କଂଗ୍ରେସ ରାଜ୍ୟରେ କ୍ଷମତାଠାରୁ ଦୂରରେ ରହିଥିବା ବେଳେ ରାହୁଲଙ୍କ ଗସ୍ତ କର୍ମୀଙ୍କ ମନୋବଳ ବଢାଇଛି। ହିମନ୍ତା ଓ ତାଙ୍କ ପତ୍ନୀଙ୍କୁ ପୂର୍ବରୁ ହିଁ ପ୍ରଦେଶ କଂଗ୍ରେସ ସଭାପତି ଗୌରବ ଗୋଗୋଇ ଦୁର୍ନୀତି ପ୍ରସଙ୍ଗରେ ଘେରୁଛନ୍ତି। ଏବେ ଏଥିରେ ସ୍ବର ମିଳାଇଛନ୍ତି ରାହୁଲ ଓ ଖଡଗେ।

କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପରେ 2016ରେ ଆସାମରେ ମଧ୍ୟ ପଦ୍ମ ଫୁଟିଥିଲା। ଏହାପରେ 2021ରେ ପୁଣି ବିଜେପି କ୍ଷମତା ଦଖଲ କରିଥିଲା। ତେବେ 2026ରେ ବିଜେପିର ରାସ୍ତା ସହଜ ହେବନି। କାରଣ ରାଜ୍ୟରେ କ୍ଷମତା ବିରୋଧୀ ଲହର ଦେଖାଦେଇଛି। ତେଣୁ ଆସାମରେ କ୍ଷମତାକୁ ଫେରିବାର ସ୍ବପ୍ନ ଦେଖୁଛି କଂଗ୍ରେସ। ଦଳ ଆସାମରେ ମୋଦିଙ୍କୁ ଟାର୍ଗେଟ୍ କରିବା ବଦଳରେ ହିମନ୍ତା ବିଶ୍ବଶର୍ମାଙ୍କୁ ଟାର୍ଗେଟ୍ କରିଛି। ଏବେ ରାହୁଲ ଗାନ୍ଧୀ ଆସାମର ରାଜନୈତିକ ରଣଭୂମିକୁ ଓହ୍ଲାଇବା ସହ ନିର୍ବାଚନୀ ବିଗୁଲ ଫୁଙ୍କିଛନ୍ତି।

Comments are closed.