Latest Odisha News

BREAKING NEWS

ବିହାରରେ କଂଗ୍ରେସ ଖେଳିବ ମାଷ୍ଟରଷ୍ଟ୍ରୋକ୍ !

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଏବେଠୁ ବିହାରରେ ସ୍ଥିତି ମଜବୁତ କରିବାକୁ ବ୍ଲୁପ୍ରିଣ୍ଟ କଲାଣି କଂଗ୍ରେସ । ହରିୟାଣା, ମହାରାଷ୍ଟ୍ର, ଦିଲ୍ଲୀ ହାରିବା ପରେ ବିହାର ପାଇଁ ରଣନୀତି କରୁଛି ଦଳ । କଂଗ୍ରେସର ପାରମ୍ପରିକ ଭୋଟବ୍ୟାଙ୍କ କୁହାଯାଉଥିବା ଦଳିତ ଭୋଟ୍ ପୁଣି ଖାତାକୁ ଆଣିବାକୁ ଉଦ୍ୟମ କରାଯାଉଛି । ଦୁଇ ମାସ ଭିତରେ ରାହୁଲ ଗାନ୍ଧୀ ଦୁଇ ଥର ବିହାର ଗସ୍ତ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଖୁବ୍ ଶୀଘ୍ର ରାଲି କରିବେ । ଆରଜେଡି ସହ ମେଣ୍ଟରେ ନିଜ ସ୍ଥିତି ମଜବୁତ କରିବା ସହ ଅଧିକ ସିଟ୍ ନେବା ପାଇଁ ଦମ୍ ଦେଖାଉଛି ।

କଂଗ୍ରେସ ନଜରରେ ଦଳିତ ଭୋଟ୍

ଚଳିତ ବର୍ଷ ଦୁଇ ଦୁଇ ଥର ବିହାର ଗସ୍ତରେ ଯାଇଛନ୍ତି ରାହୁଲ ଗାନ୍ଧୀ । ସେପଟେ ଆସନ୍ତା ୨୨ତାରିଖରେ ବକ୍ସର ତ ୨୮ତାରିଖରେ ପଶ୍ଚିମ ଚମ୍ପାରଣରେଜନସଭାକୁ ସମ୍ବୋଧନ କରିବେ ମଲ୍ଲିକାର୍ଜୁନ ଖଡଗେ । ଦୁଇ ସଭାର ନାଁ ରଖାଯାଇଛି, ଜୟ ବାପୁ, ଜୟ ଭୀମ୍, ଜୟ ସମ୍ବିଧାନ । ଏଥିରୁ ସ୍ପଷ୍ଟ ଯେ, କଂଗ୍ରେସ ଫୋକସରେ ଦଳିତ ଭୋଟବ୍ୟାଙ୍କ ହିଁ ରହିଛି । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଖୁବ୍ ଶୀଘ୍ର ବିହାର ଗସ୍ତ କରି ରାଲି କରିବେ । ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ଦଳିତ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରୁଛି ଦଳ ।

ରାହୁଲଙ୍କ ବିହାର ରଣନୀତି

ରାହୁଲ ଗାନ୍ଧୀ ଦଳିତ କେନ୍ଦ୍ରୀତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସମ୍ବିଧାନ ସୁରକ୍ଷା ସମ୍ମେଳନ ଓ ମାଉଣ୍ଟେନ୍ ମ୍ୟାନ୍ ଦଶରଥ ମାଞ୍ଝୀଙ୍କ ପୁଅ ଭାଗୀରଥ ମାଞ୍ଝିଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ରାହୁଲ । ଏହାସହ ପାଟନାରେ ଦଳିତ ନେତା ଜଗଦଲ ଚୌଧୁରୀଙ୍କ ୧୩୦ତମ ଜନ୍ମ ବାର୍ଷିକୀରେ ଯୋଗ ଦେଇଥିଲେ । ଏନଡିଏରେ ଚିରାଗ ପାଶଓ୍ବାନ ଓ ଜୀତନ ରାମ ମାଞ୍ଝୀଙ୍କ ପରି ଦଳିତ ନେତା ରହିଛନ୍ତି । ତେବେ କଂଗ୍ରେସ ଓ ଆରଜେଡିରେ ବଡ ଦଳିତ ନେତାଙ୍କ ଅଭାବ ରହିଛି । ତେଣୁ ସାମାଜିକ ସୁରକ୍ଷା ସ୍ବରକୁ ଆହୁରି ମଜବୁତ କରି ଦଳିତଭୋଟ୍ ହାତେଇବାକୁ ରଣନୀତି କରୁଛନ୍ତି ରାହୁଲ ।

ସ୍ଥିତି ମଜବୁତ କରିବାକୁ ଉଦ୍ୟମ

ବିହାରରେ ଆରଜେଡି ସହ ମିଶି ନିର୍ବାଚନ ଲଢିପାରେ କଂଗ୍ରେସ । ତେବେ ଆରଜେଡି କଂଗ୍ରେସକୁ ୪୦ରୁ ଅଧିକ ସିଟ୍ ଦେବାକୁ ପ୍ରସ୍ତୁତ ନଥିବା ଚର୍ଚ୍ଚା ହେଉଛି । ବିରୋଧୀ ମେଣ୍ଟରେ ସିପିଆଇ-ଏନଏମ ଅଧିକ ସିଟ୍ ମାଗୁଥିବା ବେଳେ ଭିଆଇପିକୁ ବି ସିଟ୍ ଦେବାକୁ ପଡିବ । ତେଣୁ କଂଗ୍ରେସର ସିଟ୍ ଭାଗ କମିପାରେ । ସିଟ୍ ଗଣିତ କଷିବା ପୂର୍ବରୁ ହିଁ ବିହାରରେ ନିଜ ସ୍ଥିତି ମଜବୁତ କରିବାକୁ ଫୋକସ୍ କରୁଛି କଂଗ୍ରେସ । ମେଣ୍ଟରେ ଏକ ଦୁର୍ବଳ ଭାଗିଦାର ନୁହେଁ ବରଂ ମଜବୁତ ପାର୍ଟନର ଭାବେ ଉଭା ହେବାକୁ ଉଦ୍ୟମ କରୁଛି ଦଳ । ଗତଥର ନିଜ ପସନ୍ଦର ସିଟ୍ ପାଇନଥିବା କଂଗ୍ରେସ ଏଥର ସମାନ ଭୁଲ ଦୋହରାଇବାକୁ ଚାହୁଁନି । ମନପସନ୍ଦର ସିଟ୍ ମିଳିଲେ ସିଟ୍ ସଂଖ୍ୟା ସହ ବି ବୁଝାମଣା କରିବାକୁ ପ୍ରସ୍ତୁତ ହୋଇପାରେ ଦଳ ।

କେନ୍ଦ୍ର ବଜେଟରେ ବିହାର ପାଇଁ ହାତ ଖୋଲିବା ସହ ମିଶନ ବିହାର ନେଇ ଗୋଟି ଚଳାଇ ସାରିଛି ବିଜେପି । ୨୪ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଗସ୍ତରେ ଯାଇପାରନ୍ତି । ଅର୍ଥାତ ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀ ବିଜୟ ପରେ ଜୋଶରେ ରହିଛି ବିଜେପି । ଏବେ ବିହାର ଜିତିବାକୁ ସ୍ବତନ୍ତ୍ର ରଣନୀତି କରୁଛି । ସେପଟେ ଗୋଟେ ପରେ ଗୋଟେ ପରାଜୟ ପରେ, କେତେ କାମ ଦେବ କଂଗ୍ରେସର ଦଳିତ ଗଣିତ, ତାଉପରେ ନଜର ରହିଛି ।

Comments are closed.