Latest Odisha News

ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତର ଦ୍ୱିତୀୟ ଦିନ, ମୈତେଇ ସମ୍ପ୍ରଦାୟ ଲୋକଙ୍କ ସହ କଲେ ସାକ୍ଷାତ

ଇମ୍ଫାଲ: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟ ଗସ୍ତରେ ଆସିଛନ୍ତି। ଆଜି ଗସ୍ତର ଦ୍ୱିତୀୟ ଦିନ ଥିବା ବେଳେ ପ୍ରଥମ ଦିନରେ ରାହୁଲ ଗାନ୍ଧୀ ଇମ୍ଫାଲଠାରୁ ୬୩ କିଲୋମିଟର ଦୂରରେ ଥିବା ଚୁରାଚାନ୍ଦପୁରରେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଉଥିବା ଲୋକଙ୍କୁ ଭେଟିଥିଲେ। ବର୍ତ୍ତମାନ ରାହୁଲ ତାଙ୍କର ଗସ୍ତର ଦ୍ୱିତୀୟ ଦିନରେ ହେଲିକପ୍ଟର ଯୋଗେ ବିଷ୍ଣୁପର ଜିଲ୍ଲାର ମୋଇରଙ୍ଗ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ସେ ମୈତେଇ ସମ୍ପ୍ରଦାୟର ହିଂସା ପ୍ରଭାବିତ ଲୋକଙ୍କୁ ଭେଟି ପୀଡିତଙ୍କ ସହ କଥାବାର୍ତ୍ତା କରିଥିଲେ।

ରାହୁଲ ଗାନ୍ଧୀ ମୈତେଇ ସମ୍ପ୍ରଦାୟର ଲୋକଙ୍କୁ ଭେଟିବା ପରେ ଇମ୍ଫାଲକୁ ଫେରିବେ। ଯେଉଁଠାରେ ସେ ସାମାଜିକ କର୍ମୀଙ୍କ ସହିତ ଯୋଗାଯୋଗ କରିବେ। କୁହାଯାଉଛି ଯେ ରାହୁଲ ହିଂସାକୁ ବନ୍ଦ କରିବା ପାଇଁ ଏବଂ ଲୋକଙ୍କ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସାମାଜିକ କର୍ମୀଙ୍କ ସହ ଆଲୋଚନା କରିବେ। ଏହା ପରେ ରାହୁଲ ଗାନ୍ଧୀ ନିଜେ ମଣିପୁରରୁ ଏକ ସାମ୍ବାଦିକ ସମ୍ମିଳନୀ କରିପାରିବେ। ଯେଉଁଥିରେ ସେ ଲୋକଙ୍କ ସହ ବାର୍ତ୍ତାଳାପ ବିଷୟରେ ସୂଚନା ଦେଇପାରିବେ ।

ରାହୁଲ ଗାନ୍ଧୀ ଗୁରୁବାର, ଜୁନ୍ ୨୯ରେ ମଣିପୁରରେ ପହଞ୍ଚିଥିଲେ। କିନ୍ତୁ ବିମାନବନ୍ଦରରେ ଅବତରଣ କରିବାର କିଛି ସମୟ ପରେ ରାହୁଲଙ୍କୁ ଅଟକାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ରାହୁଲଙ୍କୁ ରାସ୍ତାରେ ଯିବାକୁ ପୋଲିସ ଅନୁମତି ଦେଇନଥିଲା। ଏହା ପରେ ରାହୁଲ ଗାନ୍ଧୀ ହେଲିକପ୍ଟର ଯୋଗେ ଚୁରାଚାନ୍ଦପୁରରେ ପହଞ୍ଚି ରିଲିଫ କ୍ୟାମ୍ପରେ ଲୋକଙ୍କୁ ଭେଟିଥିଲେ। କଂଗ୍ରେସ ଅଭିଯୋଗ କରିଛି ଯେ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ରୋକିବା ପାଇଁ ବିଜେପି ସରକାର ଏହା କରିଥିବାବେଳେ ବିଜେପି କହିଛି ଯେ ନେତାଙ୍କ ଗସ୍ତ ମଣିପୁରରେ ମତଭେଦକୁ ଆହୁରି ବଢାଇପାରେ।

Comments are closed.