Latest Odisha News

ଓଡ଼ିଶାର ୧୦ ଜିଲ୍ଲା ଦେଇ ଛତିଶଗଡ଼ ଯିବ ରାହୁଲଙ୍କ ନ୍ୟାୟ ଯାତ୍ରା!

ଭୁବନେଶ୍ୱର: କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ନ୍ୟାୟ ଯାତ୍ରା’କୁ ଓଡ଼ିଶା ଦେଇ ଯିବାର ଯୋଜନା ରହିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ଏହି ଯାତ୍ରାରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା (ଭୁବନେଶ୍ୱର), ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ରହିଛି। ରାହୁଲ ଗାନ୍ଧୀ ଝାଡଖଣ୍ଡପଟୁ ଓଡ଼ିଶାରେ ପ୍ରବେଶ କରିବେ ପରେ ଛତିଶଗଡ଼ ଅଭିମୁଖେ ଯାତ୍ରା କରିବେ ବୋଲି ଯୋଜନା ରହିଛି।

ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ୯୦ଟି ଆସନ ଜିତିବା ଲକ୍ଷ୍ୟନେଇ ଦଳ ମିଶନ ୯୦ ଦିଗରେ ଆଗଉଛି ବୋଲି ପିସିସି ସଭାପତି କହିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ କଂଗ୍ରେସ ୨୦୧୯ ନିର୍ବାଚନରେ କମ୍ ପରାଜୟର ସମ୍ମୁଖୀନ ହୋଇଥିବା ଏବଂ ଦୃଢ଼ ସାଂଗଠନିକ ଦକ୍ଷତା ଥିବା ପ୍ରାର୍ଥୀଙ୍କୁ ପୁଣିଥରେ ପ୍ରାର୍ଥୀ କରିବାକୁ ଚାହୁଁଛି ବୋଲି ଜଣାପଡ଼ିଛି।

ଓଡ଼ିଶାରେ ଭାରତ ନ୍ୟାୟ ଯାତ୍ରାର ଯୋଜନା ସମ୍ପର୍କରେ ରାହୁଲଙ୍କ ସହ ଆଲୋଚନା କରିବା ପାଇଁ ଶରତ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ପାଖାପାଖି ୬,୨୦୦ କିଲୋମିଟର ବ୍ୟାପୀ ଏହି ଯାତ୍ରା ଜାନୁଆରୀ ୧୪ ରୁ ମଣିପୁରରେ ଆରମ୍ଭ ହେବ । ଏହା ଓଡ଼ିଶା ସମେତ ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ମାର୍ଚ୍ଚ ୨୦ତାରିଖରେ ମୁମ୍ବାଇରେ ଶେଷ ହେବ।

Comments are closed.