ଭୁବନେଶ୍ୱର: ଜାତୀୟ ରଜନୀତିର ତିନି ବଡ଼ ଚେହେରା ଆଜି ଓଡ଼ିଶା ଆସୁଛନ୍ତି। ତିନି ଦଳର ହେବ ପାୱାର ସୋ’। କଟକ ସହ ଅନ୍ୟ ଦୁଇ ସ୍ଥାନରେ ଅମିତ ଶାହ କରିବେ ପ୍ରଚାର । ବଲାଙ୍ଗୀରରେ ରାହୁଲ ଗାନ୍ଧୀଙ୍କ ଶକ୍ତି ପ୍ରଦର୍ଶନ । ଧର୍ମେନ୍ଦ୍ର ପ୍ରଧାନଙ୍କ ସଂସଦୀୟ କ୍ଷେତ୍ର ସମ୍ବଲପୁରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକରେ ବିଶାଳ ଜନସଭା କରିବେ ବିଜେଡି ସୁପ୍ରିମୋ । ନବୀନଙ୍କ ମାରାଥନ ପ୍ରଚାର ପ୍ରଣବଙ୍କ ପାଇଁ ସଂଜୀବନୀ ହେବ ବୋଲି ଚର୍ଚ୍ଚା ହେଉଛି । ସେହିପରି ରାଉରକେଲା ଯାଇ ପ୍ରଚାର କରିବେ ନବୀନ। ଦିନ ସାଢେ ୧୧ଟାରେ ସେଠାରେ ପହଞ୍ଚି ବିଶାଳ ସଭାରେ ସାମିଲ ହୋଇ ବିଜେଡି ପାଇଁ ଭୋଟ ମାଗିବେ।
ସେହିପରି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ। ଭୁବନେଶ୍ୱର ବିମାନ ବନ୍ଦରରେ ୧୨ଟାରେ ପହଞ୍ଚିବେ। ଏହା ପରେ ଗଞ୍ଜାମ ଜିଲ୍ଲାର ସୋରଡା ଯିବେ। ସେଠାରେ ମଧ୍ୟାହ୍ନ ୧ ଟାରେ ହେବାକୁ ଥିବା ସଙ୍କଳ୍ପ ସମାବେଶକୁ ସମ୍ବୋଧିତ କରିବେ। ସୋରଡାରେ ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ବିରାଟ ପ୍ରଚାର ସଭା କରିବେ। ସଭା ପରେ ବୌଦ୍ଧ ଯିବେ। ଅପରାହ୍ନ ୩ଟାରେ ସେଠାରେ ପହଞ୍ଚି ଜନସଭାରେ ସାମିଲ ହେବା ସହ ବିଜେପି ପାଇଁ ଭୋଟ୍ ମାଗିବେ।
ଏହାପରେ କଟକରେ ସନ୍ଧ୍ୟା ୫ଟାରେ ରୋଡ ସୋ’ କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱର ଆସିବେ। ସେ ଭୁବନେଶ୍ୱରରେ ଆୟୋଜିତ ଶୁଭଦ୍ରା ଯୋଜନା କାର୍ଯ୍ୟକମରେ ଯୋଗଦେବେ। ଅନ୍ୟପଟେ ଲୋକସଭା ବାଚସ୍ପତି ଓମ ବିର୍ଲା ଆଜି ସକାଳେ ୧୦ଟା ୩୦ରେ ବିଜେପିର କର୍ମକର୍ତ୍ତା ବୈଠକରେ ଯୋଗଦେବେ। ସନ୍ଧ୍ୟାରେ ସମ୍ବଲପୁରରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବେ।
ଅନ୍ୟପଟେ କଂଗ୍ରେସର ମନୋବଳ ବଢ଼ାଇବା ପାଇଁ ରାହୁଲ ଗାନ୍ଧୀ ମଧ୍ୟ ଆଜି ଓଡ଼ିଶା ଆସୁଛନ୍ତି । କଂଗ୍ରେସ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ କାଲି ବଲାଙ୍ଗୀରରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ରାହୁଲ ଗାନ୍ଧୀ । ସେ ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସିଧା ବଲାଙ୍ଗିର ଯିବେ। ବଲାଙ୍ଗିରରେ ଆୟୋଜିତ ବିରାଟ ସାଧାରଣ ସଭାରେ ଯୋଗ ଦେଇ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ସଭା ପରେ ପୁଣି ଭୁବନେଶ୍ୱର ଆସି ଦିଲ୍ଲୀକୁ ଫେରିଯିବେ।
Comments are closed.