Latest Odisha News

ରାହୁଲ, ତେଜସ୍ବୀ କରିବେ ଅଗଷ୍ଟ କ୍ରାନ୍ତି

ନୂଆଦିଲ୍ଲୀ: ବିହାରରେ ୨୦ବର୍ଷ ହେଲା ଆରଜେଡି ଓ ଚାରି ଦଶନ୍ଧୀ ଧରି କଂଗ୍ରେସ କ୍ଷମତାଠୁ ଦୂରରେ ରହିଛି । ଆସନ୍ତା ଅକ୍ଟୋବର ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କ୍ଷମତାର ବନବାସ ସାରି ଫେରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଆରଜେଡି ନେତା ତେଜସ୍ବୀ ଯାଦବ ରଣଭୂମିକୁ ଓହ୍ଲାଇବାକୁ ଯାଉଛନ୍ତି । ରାକ୍ଷୀପୂର୍ଣ୍ଣିମା ପରେ ତେଜସ୍ବୀ ଓ ରାହୁଲ ମହାଗଠବନ୍ଧନ ନେତାଙ୍କ ସହ ନୀତିଶ ସରକାର ବିରୋଧରେ ମାହୋଲ ପ୍ରସ୍ତୁତ କରିବାକୁ ଉଦ୍ୟମ କରିବେ । ରାଜ୍ୟର ସବୁ ପ୍ରମଣ୍ଡଳକୁ ଯାତ୍ରା କରିବା ସହ ରାଲି କରିବେ । ଏନଡିଏକୁ ମାତ୍ ଦେବାକୁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ ।

ରାହୁଲ-ତେଜସ୍ବୀଙ୍କ ଅଗଷ୍ଟ କ୍ରାନ୍ତି

ଏନଡିଏ ବିରୋଧରେ ଭୋଟର ତାଲିକା ସଂଶୋଧନ ବା ଏସଆଇଆରକୁ ଅସ୍ତ୍ର କରିବ ମହାଗଠବନ୍ଧନ । ଯେଉଁଭଳି ଭାବେ ଭୋଟରଙ୍କ ନାଁ ତାଲିକାରୁ କଟା ଯାଉଛି, ସେନେଇ ଜନତାଙ୍କ ପାଖକୁ ଯିବେ ବୋଲି ତେଜସ୍ବୀ ଯାଦବ କହିଛନ୍ତି । ଏଥିରେ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହେବେ । ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, କୃଷିରେ ବିହାର ସବୁଠୁ ପଛରେ ରହିଛି । ସେହିପରି ଗରିବୀ, ବେକାରୀରେ ରାଜ୍ୟ ଆଗରେ ରହିଛି । ତେଣୁ ଜନତାଙ୍କ ପାଖରେ ନିଜର ସମସ୍ତ ପ୍ରସଙ୍ଗ ସ୍ପଷ୍ଟ କରିବେ ବୋଲି ତେଜସ୍ବୀ କହିଛନ୍ତି । ବିହାରରେ ଅପରାଧୀ କ୍ଷମତାରେ ରହିଛନ୍ତି । ଗତ ୧୦ଦିନ ମଧ୍ୟରେ ରାଜ୍ୟରେ ପ୍ରାୟ ଶହେଟି ହତ୍ୟା ମାମଲା ହୋଇଛି । ସିଏଜି ରିପୋର୍ଟରେ ଦୁର୍ନୀତି ସାମନାକୁ ଆସିଛି । ଏସବୁ ପ୍ରସଙ୍ଗ ନେଇ ଜନତାଙ୍କ ପାଖକୁ ଯିବା ସହ ଅଗଷ୍ଟ କ୍ରାନ୍ତି କରିବେ ବୋଲି ତେଜସ୍ବୀ କହିଛନ୍ତି ।

ସରକାରଙ୍କ ବିଫଳତା କହିବ ମହାଗଠବନ୍ଧନ

ରାହୁଲ ଗାନ୍ଧୀ, ତେଜସ୍ବୀ ଯାଦବଙ୍କ ସହ ମହାଗଠବନ୍ଧନର ସବୁ ନେତା ରାଜ୍ୟର ସବୁ ପ୍ରମଣ୍ଡଳକୁ ଯାତ୍ରା କରିବେ । ମହାଗଠବନ୍ଧନ ନେତା ବୁଥସ୍ତରକୁ ଯାଇ ଜନତାଙ୍କୁ ନୀତିଶ ସରକାରଙ୍କ ବିଫଳତା ନେଇ ଜଣାଇବେ । ବିହାରରେ ୯ଟି ପ୍ରମଣ୍ଡଳ ରହିଥିବା ବେଳେ ଗୋଟିଏ ପ୍ରମଣ୍ଡଳରେ ଅନେକ ଜିଲ୍ଲା ରହିଛି । ୨୦୨୦ ବିଧାନସଭା ନିର୍ବାଚନରେ ସାରଣ, ତିରହୁତ ଓ ମଗଧ ପ୍ରମଣ୍ଡଳରେ ମହାଗଠବନ୍ଧନର ପଲ୍ଲା ଭାରି ରହିଥିଲା । ସେହିପରି ଦରଭଙ୍ଗା, ପଟନା, ମୁଙ୍ଗେର, କୋସି, ପୂର୍ଣ୍ଣିଆ ଓ ଭାଗଲପୁର ପ୍ରମଣ୍ଡଳରେ ଏନଡିଏ ଅଧିକ ସିଟ୍ ଜିତିଥିଲା । ତେଣୁ ନିର୍ବାଚନ ପୂର୍ବରୁ ମହାଗଠବନ୍ଧନ ପକ୍ଷରୁ ରାହୁଲ ଓ ତେଜସ୍ବୀଙ୍କ ରାଲି ପ୍ରସ୍ତୁତି କରାଯାଉଛି।

ରାହୁଲ-ତେଜସ୍ବୀ Vs ମୋଦି-ନୀତିଶ

ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଯୋଡିକୁ ଆଗରେ ରଖି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ଏନଡିଏ। ନୀତିଶଙ୍କ ନେତୃତ୍ବରେ ଏନଡିଏ ମେଣ୍ଟ ପୁଣି କ୍ଷମତାକୁ ଫେରିବାକୁ ଗୋଟେ ପରେ ଗୋଟେ ଗୋଟି ଚଳାଉଛି । ମୋଦି ଓ ନୀତିଶଙ୍କ ଚେହେରା ଓ କାମକୁ ନେଇ ନିର୍ବାଚନ ଜିତିବାକୁ ରଣନୀତି କରୁଛି । ସେପଟେ ମୋଦି ଓ ନୀତିଶଙ୍କୁ ମାତ୍ ଦେବାକୁ ମଇଦାନକୁ ଓହ୍ଲାଇବେ ରାହୁଲ ଓ ତେଜସ୍ବୀ। ମହାଗଠବନ୍ଧନର ଏହି ଦୁଇ ଯୁବନେତା ସବୁ ପ୍ରମଣ୍ଡଳକୁ ଯାତ୍ରା କରିବା ସହ ଜନସଭାକୁ ସମ୍ବୋଧନ କରିବେ । ନୀତିଶ ସରକାରର ବିଫଳତାକୁ ଲୋକଙ୍କ ନଜରକୁ ଆଣିବେ ।

ବିହାର ବିଧାନସଭା ନିର୍ବାଚନ ମହାଗଠବନ୍ଧନ ପାଇଁ ଏସିଡ୍ ଟେଷ୍ଟ । ୨୦୨୦ରେ ନୀତିଶଙ୍କୁ ଜବରଦସ୍ତ ଟକ୍କର ଦେଇଥିଲେ ତେଜସ୍ବୀ । କଂଗ୍ରେସ ଭଲ ପ୍ରଦର୍ଶନ କରି ନପାରିବାରୁ ହିଁ କ୍ଷମତାକୁ ଆସିପାରିଲେନି ତେଜସ୍ବୀ । ହେଲେ ଏଥର ରାହୁଲ ଗାନ୍ଧୀ ବେଶ୍ ଆଗରୁ ସକ୍ରିୟ ରହିଛନ୍ତି। ଏହା ମଧ୍ୟରେ ଅନେକ ଥର ବିହାରକୁ ଗସ୍ତ କରି ସାମାଜିକ ନ୍ୟାୟ ପ୍ରସଙ୍ଗ ଉଠାଇଛନ୍ତି ରାହୁଲ । ଦଳିତ, ଓବିସି ଓ ସଂଖ୍ୟାଲଘୁ ଭୋଟରଙ୍କୁ ଫୋକସ୍ କରୁଛନ୍ତି ରାହୁଲ ଓ ତେଜସ୍ବୀ । ଅଗଷ୍ଟରେ ବିହାରର ସମସ୍ତ ଅଞ୍ଚଳକୁ ଗସ୍ତ କରି ରାଲି କରିବା ସହ ନୀତିଶଙ୍କ ବିରୋଧରେ ମାହୋଲ ପ୍ରସ୍ତୁତ କରିବାକୁ ଉଦ୍ୟମ କରିବେ ମହାଗଠବନ୍ଧନ ନେତା । ତେବେ ବିହାର ନିର୍ବାଚନୀ ରଣକ୍ଷେତ୍ରରେ କେତେ ହିଟ୍ ହେବ ରାହୁଲ-ତେଜସ୍ବୀ ଯୋଡି, ତାଉପରେ ନଜର ରହିବ ।

Comments are closed.