Latest Odisha News

BREAKING NEWS

ରାହୁଲଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ : ହେମନ୍ତ କହିଲେ ପାକିସ୍ତାନରୁ ଆରମ୍ଭ କର

ଓଡ଼ିଶା ସମ୍ବାଦ ବ୍ୟୁରୋ : କନ୍ୟାକୁମାରୀରୁ  ଆଜିଠୁ ରାହୁଲ ଗାନ୍ଧୀ ଆରମ୍ଭ କରିବେ ଭାରତ ଯୋଡୋ ଯାତ୍ରା । କଂଗ୍ରେସର ମିଶନ -୨୦୨୪କୁ ବଳ ଦେବା ପାଇଁ ଏହି ଯାତ୍ରା ଆରମ୍ଭ କରିବାକୁ ଦଳ ନିଷ୍ପତ୍ତି ନେଇଛି । ଦଳ ଏଥିପାଇଁ ତାମିଲନାଡୁର କନ୍ୟାକୁମାରୀକୁ ବାଛିଛି । ୨୦୧୪ ପରଠାରୁ କଂଗ୍ରସ ଦୁର୍ବଳ ହେବାରେ ଲାଗିଛି । ଗୋଟେ ପରେ ଗୋଟେ ରାଜ୍ୟରେ କଂଗ୍ରେସର ଭୋଟ ସେୟାର କମି କମି ଚାଲିଛି । ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ସହ କଂଗ୍ରେସରେ ସାମିଲ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଟିମ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହ ବିଜେପି ବିରୋଧୀଙ୍କୁ ମଧ୍ୟ ମେଳି କରିବାରେ ଏହି ଯାତ୍ରା ସହାୟକ ହେବ ବୋଲି କଂଗ୍ରେସ ଚିନ୍ତା କରିଛି ।

ସେପଟେ କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ବିଜେପି କଟାକ୍ଷ କରିଛି ।  ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା କହିଛନ୍ତି ଭାରତ ୧୯୪୭ ମସିହାରେ ବିଭାଜନ ହୋଇଯାଇଛି । କଂଗ୍ରେସ ଯଦି ଯୋଡିବାକୁ ଚାହୁଁଛି ତେବେ ପାକିସ୍ତାନରୁ ଯାତ୍ରା ଆରମ୍ଭ କରିବା ଦରକାର । ତାମିଲନାଡୁଠାରୁ ଆରମ୍ଭ କରି ଜମ୍ମୁକାଶ୍ମୀର ପର‌୍ୟ୍ୟନ୍ତ ଭାରତ ଯୋଡି ହୋଇଅଛି  । ଆଉ ରାହୁଲ କଣ ଯୋଡିବେ ବୋଲି ପ୍ରଶ୍ନ କରିଛନ୍ତି ହେମନ୍ତ ବିଶ୍ବ ଶର୍ମା ।

ସେପଟେ ରାହୁଲ ଗାନ୍ଧୀ ଆଜି ଅପରାହ୍ନରେ ଏହି ଯାତ୍ରାର ଶୁଭାରମ୍ଭ କରିବେ । ଏହି ଯାତ୍ରା ଜମ୍ମୁ କାଶ୍ମୀର ଶ୍ରୀନଗରରେ ଶେଷ ହେବ ।   ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳ ଦେଇ ଭାରତ ଯୋଡୋ ଯାତ୍ରା କରିବେ କଂଗ୍ରେସ କର୍ମୀ । କଂଗ୍ରେସର ସମସ୍ତ ବରିଷ୍ଠ ନେତା ଏହି ପଦଯାତ୍ରାରେ ସାମିଲ ହେବେ । ପ୍ରତିଦିନ ୨୦ କିଲୋମିଟର  ଚାଲିବେ କଂଗ୍ରେସ କର୍ମୀ ଓ ନେତା ।  ଆଜିଠୁ ଆରମ୍ଭ ହେଉଥିବା ଏହି ଯାତ୍ରା ୫ ମାସ ଧରି ଚାଲିବ । ଦୀର୍ଘ ୩ ହଜାର ୫୭୦ କିଲୋମିଟର ରାସ୍ତା ଅତିକ୍ରମ କରିବେ  କର୍ମୀ ଓ ନେତା ।

୨୦୨୪ ଭିତରେ ପୁଣି ଥରେ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବା ପାଇଁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରୁଛି କଂଗ୍ରେସ । କଂଗ୍ରେସ ପ୍ରତି ମୁହଁ ମୋଡିଦେଇଥିବା  କଂଗ୍ରେସ କର୍ମୀ ଓ ସଦସ୍ୟଙ୍କୁ ଯୋଡ଼ିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ । ମୋଦି ସରକାର କଂଗ୍ରେସ ଟାର୍ଗେଟରେ ରହିବେ । ବିରୋଧୀଙ୍କୁ ମେଳି କରିବାକୁ ମଧ୍ୟ ଏହି ଯାତ୍ରା ସୁଯୋଗ ଦେବ ।  ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ ତିରୁଭନନ୍ତପୁରମ, କୋଚି, ନୀଲାମ୍ବୁର, ମହୀଶୁର, ବେଲାରୀ, ରାୟଚୁର, ବିକାରାବାଦ, ନାନ୍ଦେଡ, ଜଲଗା, ଇନ୍ଦୋର, କୋଟା, ଦୌସା, ଅଲଓ୍ୱର, ବୁଲନ୍ଦଶହର, ଦିଲ୍ଲୀ, ଅମ୍ବାଲା, ପଠାନକୋଟ, ଜମ୍ମୁ ହୋଇ ଶ୍ରୀନଗରରେ ଶେଷ ହେବ । ତେବେ ନୀତିଶ କୁମାର, ଅରବିନ୍ଦ କେଜରିଓ୍ବାଲ, ମମତା ବାନାର୍ଜୀ ରାହୁଲଙ୍କୁ ବିରୋଧୀଙ୍କ ନେତା ମାନିବେ କି ନାହିଁ ସେଥିରେ ଆଶଙ୍କା ରହିଛି । ତେବେ ଏହି ଯାତ୍ରା କଂଗ୍ରେସର ଦୁର୍ବଳ ସଂଗଠନକୁ ସବଳ କରିବାରେ କେତେ ଶକ୍ତି ଦେଉଛି ତାହା ସମୟ କହିବ ।

Leave A Reply

Your email address will not be published.