ନବରଙ୍ଗପୁର:ଗୋ ମାଫିଆ ଘରେ ପୋଲିସର ଚଢାଉ। ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଗୋ ମାଫିଆ ଘରେ ଚଢାଉ । ନବରଙ୍ଗପୁର ସହରର ଗାଦବାଗୁଡ଼ାର ମହମ୍ମଦ ଆଜିଜଙ୍କ ଘରେ ସେମଳିଗୁଡ଼ା ଓ ନବରଙ୍ଗପୁର ପୋଲିସ ମିଳିତ ଭାବରେ ଚଢ଼ାଉ କରିଛି। ଶନିବାର ଗୋ-ଚାଲଣ ମାମଲାରେ ସେମଳିଗୁଡ଼ା ପୋଲିସ ମହମ୍ମଦ ଆଜିଜଙ୍କୁ ଗିରଫ କରିଥିଲା। ବୁଧବାର କୋର୍ଟରୁ ଅନୁମତି ଆଣି ପୋଲିସ ତାଙ୍କ ଘରେ ଚଢାଉ କରିଛି।
ମହମ୍ମଦଙ୍କ ଘରୁ ଗୋ-ଚାଲାଣ ସମ୍ପର୍କିତ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମିଳିଛି। ୨୦ରୁ ଉର୍ଦ୍ଧ୍ଵ ବ୍ୟାଙ୍କ ପାସବୁକ୍, ଗୋଟିଏ ଇନୋଭା, ଦୁଇଟି ସ୍କୁଟି, ଜମି ପଟ୍ଟା ଓ ବିଭିନ୍ନ ଦସ୍ତାବିଜ, ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଓ ୨୩ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ଏସଡିପିଓ ସୁମିତ୍ରା ଜେନା ସୂଚନା ଦେଇଛନ୍ତି ।
ଆଜିଜ ନାଁରେ ନବରଙ୍ଗପୁର- କୋରାପୁଟ ଅଞ୍ଚଳରୁ ଆନ୍ଧ୍ର ଅଞ୍ଚଳକୁ ବ୍ୟାପକ ପରିମାଣର ଗୋ-ଚାଲାଣ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ଏହା ପୂର୍ବରୁ ସେ ରାଇଘର ପୋଲିସ ଦ୍ୱାରା ଗିରଫ ହୋଇ ଜାମିନରେ ଆସିଥିଲେ।