Latest Odisha News

BREAKING NEWS

ବୁଧବାର ସକାଳ ସୁଦ୍ଧା ରେଳ ଲାଇନ୍ ସଂଯୋଗୀକରଣ କାମ ଶେଷ ହେବା ସମ୍ଭାବନା: ରେଳମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱରରେ ୩ଟି ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରୁ ଅଧିକ ହୋଇଛି। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ଭାରତୀୟ ରେଳବାଇ ଦୁର୍ଘଟଣାସ୍ଥଳରେ ଅତ୍ୟନ୍ତ ତତ୍ପରତାର ସହ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛି।

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତଖୁଣ୍ଟି ଓ ଟ୍ରାକ ମରାମତି କାମ। ଡାଉନ ଲାଇନ ତୁଳନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଅପଲାଇନ୍। ଖୁବଶୀଘ୍ର ରେଳ ଚଳାଚଳ ସ୍ୱାଭିବିକ୍ ହେବା ସମ୍ଭାବନା ରହିଛି।

ବୁଧବାର ସକାଳୁ ସୁଦ୍ଧା ରେଳଚଳାଚଳ ସ୍ବାଭାବିକ ହୋଇଯିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବ କହିଛନ୍ତି। ମୋଟ୍ ୪ଟି ଟ୍ରାକ ରହିଛି। ସମସ୍ତ ଟ୍ରାକର କାମ ଆଜି ସୁଦ୍ଧା ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ରେଳ ମନ୍ତ୍ରାଳୟର ସୂଚନା ଅନୁସାରେ ୧୦୦୦ରୁ ଅଧିକ ମାନବସମ୍ବଳ ଏହି କାମରେ ନିୟୋଜିତ ହୋଇଛନ୍ତି। ୭ ରୁ ଅଧିକ ପୋକଲେନ୍ ମେସିନ୍, ୨ଟି ଦୁର୍ଘଟଣା ରିଲିଫ୍ ଟ୍ରେନ୍, ୩-୪ଟି ରେଳବାଇ ଓ ରୋଡ୍ କ୍ରେନ୍ ମୁତୟନ କରାଯାଇଛି। ନିଜେ ରେଳମନ୍ତ୍ରୀ ରାତିରେ ଘଟଣାସ୍ଥଳରେ ଉପସ୍ଥିତ ରହି ପୁନରୁଦ୍ଧାର କାମ ଅନୁଧ୍ୟାନ କରିଛନ୍ତି।

ମୃତକ ଓ ଆହତଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଏମ୍ଆଇ-୧୭ ହେଲିକପ୍ଟର ମୁତୟନ କରାଯାଇଥିଲା। ପୂର୍ବାଞ୍ଚଳ କମାଣ୍ଡର କହିବାନୁସାରେ, ଭାରତୀୟ ବାୟୁସେନା ବେସାମରିକ ପ୍ରଶାସନ ଏବଂ ଭାରତୀୟ ରେଳବାଇ ସହିତ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରିଛି।

ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର କହିଛନ୍ତି ଯେ, ଏଣେ ତେଣେ ହୋଇ ଯେଉଁ ବଗିଗୁଡ଼ିକ ପଡିଥିଲା ତାକୁ ହଟାଇ ଦିଆଯାଇଛି ଏବଂ ଗୋଟିଏ ପଟୁ ଟ୍ରାକ୍କୁ ସଂଯୋଗ କରିବା କାମ ଜାରି ରହିଛି।

ମାଲବାହୀ ଟ୍ରେନର ଦୁଇଟି ବଗି ମଧ୍ୟ ହଟାଇ ଦିଆଯାଇଛି ଯାହା ଦୁର୍ଘଟଣାର ଶିକାର ହୋଇଥିଲା। ସଂଯୋଗୀକରଣ ଟ୍ରାକର ଗୋଟିଏ ପଟୁ ଚାଲୁ ରହିଛି। ଯଥାଶୀଘ୍ର କାମ ଶେଷ ହେବ।

ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.