Latest Odisha News

ମହାନାଟକର ଆଦ୍ୟ-ପର୍ବ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”

ଶ୍ରୀମନ୍ଦିରରେ ପୂଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ଯାତ୍ରାରେ ଅନୁପାଳିତ ନୀତିକାନ୍ତିକୁ ଅନୁଧ୍ୟାନ କଲେ ଏହା ମହାପ୍ରଭୁଙ୍କ ଦ୍ୱାରା ରଚିତ ମହାନାଟକ ବୋଲି କୁହାଯାଇପାରେ । ସେ ନାଟକରେ ସ୍ୱୟଂ ମହାପ୍ରଭୁ ମହାନାୟକ ଭାବରେ ଅବତୀର୍ଣ୍ଣ ହୋଇ ଭିନ୍ନଭିନ୍ନ ଚରିତ୍ରରେ ଅଭିନୟ କରିଥାଆନ୍ତି, ଅର୍ଥାତ୍‌ ସେ ହିଁ ସୂତ୍ରଧର, ସେ ହି ସ୍ୱୟଂ ସମ୍ପୂର୍ଣ୍ଣ ଅଭିନେତା ଆଉ ସେ ମଧ୍ୟ ଦିଗ୍‌ଦର୍ଶକ । ସ୍ଥୂଳ ଭାବରେ ଏହି ମହାନାଟକର ଆରମ୍ଭ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ନିଳାଦ୍ରିnବିଜେରେ ଏହାର ଯବନିକା ପଡ଼ିଥାଏ । ଏହି ଅବଧିରେ ରଚିତ ରଙ୍ଗ-ରସଭରା ଲୀଳାକୁ ମହାପ୍ରଭୁଙ୍କ ମହାନାଟକ କହିବାନି ତ ଆଉ କ’ଣ! ତାଙ୍କଠାରୁ ଆଜ୍ଞାମାଳ ଆସି ସବୁ କାର୍ଯ୍ୟର ଭିଆଣ ହୋଇଥାଏ ପରା! ଏହି ମହାନାଟକର ବିିଭିନ୍ନ ଦୃଶ୍ୟରେ ମହାପ୍ରଭୁଙ୍କର ମାନବୀୟ ଲୀଳା ସମ୍ପନ୍ନ ହୁଏ । ଶ୍ରୀମନ୍ଦିର ସମେତ ସମଗ୍ର ନଗର ପାଲଟିଯାଏ ମହା ରଙ୍ଗମଞ୍ଚ । ଆମୋଦପ୍ରମୋଦ, ଜଳକ୍ରୀଡ଼ା, ପ୍ରେମବିବାହ, ଅସୁସ୍ଥତା, ଚିକିତ୍ସା, ଶରୀର ଉପଚାର, ଆତ୍ମୀୟଙ୍କ ସହ ଯାତ୍ରା, ଦାମ୍ପତ୍ୟ କଳହ, ଐଶ୍ୱର୍ଯ୍ୟ ପ୍ରଦର୍ଶନ, ପୁନଃ ଦାମ୍ପତ୍ୟ ମିଳନ ଇତ୍ୟାଦି ସହିତ ଭକ୍ତଜନଙ୍କ ପ୍ରତି ଅନୁରକ୍ତି ତଥା ମିିଳନର ଆବେଗ ଇତ୍ୟାଦି ସବୁ ଅଭିନୀତ ହୋଇଥାଏ ।

ନଟବର ନାଗରଙ୍କ ସ୍ୱଇଚ୍ଛାରେ ସବୁ ଦୃଶ୍ୟଗୁଡ଼ିକ ସଂଯୋଜିତ ହୋଇ ସଫଳ ହୋଇଥାଏ । ବୈଶାଖରେ ବାହାର-ଚନ୍ଦନଯାତ୍ରାରେ ମହାପ୍ରଭୁ ଏକୋଇଶି ଦିନକାଳ ବନ୍ଧୁପରିଜନଙ୍କ ସହିତ ପଟୁଆରରେ ଯାଇ ନୌକା ବିହାର କରିଥାଆନ୍ତି । ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଘରେ ଥିବା କୁଣ୍ଡରେ ଚନ୍ଦନ ଚର୍ଚ୍ଚିତ ହୋଇ ବୁଡ଼ି ରହିଥାଆନ୍ତି । ସେ ଲୀଳା ସମାପନାନ୍ତେ ଆରମ୍ଭ ହୁଏ ଭିତର-ଚନ୍ଦନ ପୁନଃ ଏକୋଇଶି ଦିନ । ସେଥିରେ ମଧ୍ୟ ପାଟଅଗଣାରେ ସ୍ଥିତ ଜଳକ୍ରୀଡ଼ା ମଣ୍ଡପରେ ବିଜେ କରି ଗ୍ରୀଷ୍ମର ଉତ୍ତାପକୁ ପ୍ରତିହତ କରିବା ପାଇଁ ସେଇଭଳି ଚନ୍ଦନ କୁଣ୍ଡରେ ସ୍ନାନ କରନ୍ତି । ମାନବୀୟ ଲୀଳାର ଅନ୍ୟ ଏକ ନମୁନା ଭାବରେ ରତ୍ନ ସିଂହାସନରେ ଶ୍ରୀବିଗ୍ରହମାନଙ୍କୁ ଆଲଟ ସେବାରେ ଆପ୍ୟାୟିତ କରାଯାଏ ।

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ବା ରୁକ୍ମିଣୀ ହରଣ ଏକାଦଶୀରେ ମହାପ୍ରଭୁଙ୍କ ବିବାହୋତ୍ସବ ଦିନଠାରୁ ଏହି ମହାନାଟକର ରୋମାଞ୍ଚକର ପର୍ବ ଆରମ୍ଭ ହୁଏ କହିଲେ ଠିକ୍ ହେବ । କାରଣ ସେହି ଦିନ ଶ୍ରୀମନ୍ଦିର ପାଟଅଗଣାରେ କିଛି କମ୍‌ ନାଟକବାଜି ହୁଏନାହିଁ । ପୂର୍ବଦିନ ଜଣେ ବିପ୍ର ହାତରେ ଶିଶୁପାଳଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇଥିବା ବିଷୟ ଉଲ୍ଲେଖ ଥିବା ରୁକ୍ମିଣୀଙ୍କ ଦ୍ୱାରା ପ୍ରେରିତ ଚିଟାଉ ପାଇ ମହାପ୍ରଭୁ ରୁକ୍ମିଣୀଙ୍କ ପାଣିଗ୍ରହଣ ପାଇଁ ଅଗ୍ରସର ହୁଅନ୍ତି ।

ଚିଟାଉରେ ରୁକ୍ମିଣୀ ଅବିଳମ୍ବେ ତାଙ୍କୁ ହରଣ କରି ନେଇଯିବା ପାଇଁ ଅନୁରୋଧ କରିଥାନ୍ତି । ଦଶମୀ ଦିନ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ପାଳନ କରାଯାଏ । ଏକାଦଶୀ ଦିନ ସାଙ୍କେତିକ ରୀତିରେ ଅଭିନୀତ ଏହି ନାଟକରେ ମା’ ବିମଳା ଗ୍ରାମ ଦେବତୀ ଭାବେ ଉଭା ହୁଅନ୍ତି । ସେଠାରେ ଭିତରଚ୍ଛ ମହାପାତ୍ର କନ୍ୟା ପିତା ଭାବରେ ରୁକ୍ମିଣୀ ଅର୍ଥାତ୍ ଶ୍ରୀଦେବୀଙ୍କ ବିଗ୍ରହ ସହିତ ରହିଥାଆନ୍ତି । ମଣିବିମାନରେ ଶ୍ରୀକୃଷ୍ଣଙ୍କ ପ୍ରତିନିଧି ଭାବରେ ମଦନମୋହନ ଆସି ସେହିଠାରେ ରୁକ୍ମିଣୀଙ୍କୁ ହରଣ କରି ନେବା ବାଟରେ ଶିଶୁପାଳ ସହିତ ଯୁଦ୍ଧ ହୁଏ । ଯୁଦ୍ଧରେ ପରାସ୍ତ ହୋଇ ଶିଶୁପାଳ ଫେରିଯିବା ପରେ ଶ୍ରୀମନ୍ଦିର ପରିସରରେ ବିବାହ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୁଏ । ସମଗ୍ର ଶ୍ରୀମନ୍ଦିର ପରିସର ବିପୁଳ ପୁଷ୍ପମାଲ୍ୟରେ ସଜ୍ଜିତ ହୋଇ ଉତ୍ସବର ପରିବେଶ ସୃଷ୍ଟି କରିଥାଏ । ଭୋଜି ବିନା ବିବାହ କି ସମ୍ପୂର୍ଣ୍ଣ ହୋଇପାରେ! ସାମାଜିକ ବିବାହ ଭଳି ଏହିଦିନ
ଭୋଜିଭାତରେ ବହୁ ସଂଖ୍ୟକ ଭକ୍ତ ଯୋଗ ଦେଇ ମାଜଣା ମଣ୍ଡପରେ ନବଦମ୍ପତ୍ତିଙ୍କୁ ଦର୍ଶନ କରି ମହାପ୍ରସାଦରେ ଆପ୍ୟାୟିତ ହୋଇଥାଆନ୍ତି । ପରଦିନ ଗୁଆଲି ଲୀଳା ମଧ୍ୟ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ବହୁ ବାଦ୍ୟ ଓ ଆତସବାଜି ସହିତ ନବଦମ୍ପତ୍ତି ଶ୍ରୀନହର ଓ ପରେ ଜମେଶ୍ୱର ମନ୍ଦିରକୁ ପଟୁଆରରେ ଯାଇଥାଆନ୍ତି । ଶ୍ରୀନହରରେ ଗଜପତି ନବଦମ୍ପତ୍ତିଙ୍କୁ ବନ୍ଦାପନା କରି କିଛି ଭେଟି ମଧ୍ୟ ଦେଇଥାଆନ୍ତି । ଏହିଭଳି ବହୁ ଲୀଳାର ରୋଚକ ଅବତାରଣା ହୋଇ ଶେଷରେ ଗଇଣ୍ଠାଳ ପଡ଼ିଥିବା ଅବସ୍ଥାରେ ରୁକ୍ମିଣୀ ରୂପରେ ଅବତୀର୍ଣ୍ଣା ଶ୍ରୀଦେବୀଙ୍କୁ ଛାଡ଼ିଦେଇ ମାୟାଧର ଭାଇଭଉଣୀଙ୍କ ସହିତ ଗୁଣ୍ଡିଚା ଯାତ୍ରାରେ ରଥାରୁଢ଼ ହୋଇ ଜନ୍ମବେଦୀକୁ ଯାତ୍ରା କରନ୍ତି । ଏଡ଼େ ଦଗାଦିଆ ସ୍ୱାମୀ ଜଗତେ ନଥିବେ ପରା!

 

ଜ୍ୟେଷ୍ଠମାସରେ ନିଦାଘରେ ଅତିଷ୍ଠ ହେଇ ଅଧିକ ଶୀତଳ ସ୍ପର୍ଶ ଉଦ୍ଦେଶ୍ୟରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ବେଦୀରେ ଉଭା ହୁଅନ୍ତି । ତାଙ୍କ ପାଇଁ ଶୀତଳାଙ୍କ ନିକଟରେ ଥିବା ସୁନା କୂଅଁ ଉଝୁଳା ହୁଏ । ସେ କୂଅଁର ପାଣି ବର୍ଷସାରା
ଅବ୍ୟବହୃତ ରହିଥାଏ । କେବଳ ସ୍ନାନଯାତ୍ରାରେ ସେଥିରୁ ଲାଗି ଉଦ୍ଦେଶ୍ୟରେ ୧୦୮ କଳସ ଜଳ ଅଣାଯାଏ ପୂଜାପଣ୍ଡାଙ୍କ ଦ୍ୱାରା ଅଭିମନ୍ତ୍ରିତ ହୋଇ ଚତୁର୍ଦ୍ଧାମୂତ୍ତିଙ୍କୁ ନିର୍ଦ୍ଦିଷ୍ଟ ସଂଖ୍ୟକ କଳସୀର ଜଳ ଲାଗି କରାଯାଏ । ସ୍ନାନର ଆଧିକ୍ୟ ହେତୁ ଶ୍ରୀଅଙ୍ଗରେ ଜ୍ୱର ଆସିଯାଏ ।

ରତ୍ନ ସିଂହାସନରେ ତ ନିତ୍ୟ ଲୀଳା ଚାଲିଥାଏ, ତେବେ ସ୍ନାନବେଦୀ ଏହି ମହାନାଟକର ପ୍ରମୁଖ ମଞ୍ଚ ବୋଲି ଧରାଯାଇପାରେ । ଯାତ୍ରା ଅବସରରେ ରତ୍ନବେଦୀ ଛାଡ଼ି ପହଣ୍ଡିରେ ଯାଇ ପ୍ରଥମେ ସ୍ନାନବେଦୀରେ ଉପବେଶନ କରନ୍ତି । ଏହାପରେ ରଥ ଉପରେ, ଶ୍ରୀଗୁଣ୍ଡିଚା ଘରେ ଏବଂ ପୁନଃ ରଥ ଉପରେ ପର୍ଯ୍ୟାୟକ୍ରମେ ଉଭା ହୁଅନ୍ତି । ଶ୍ରୀବତ୍ସ ଖଣ୍ଡଶାଳରୁ ବାହାରି ସ୍ନାନବେଦୀକୁ ପହଣ୍ଡି ହେଇ ଆସିବା ବେଳେ ସାତପାହାଚରେ ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗେ ଦିବ୍ୟ ଟାହିଆ । ଘଣ୍ଟମାଦଳର ତାଳେ ତାଳେ କାଳିଆ ହାତୀ ଝୁଲି ଝୁଲି ପାଟ ଅଗଣାରେ ବିଜେ ହେଲା ବେଳକୁ ମସ୍ତକରେ ସୋଲ ଫୁଲ ତଥା ବିଭିନ୍ନ ପ୍ରକାର ଫୁଲ ଓ ତୁଳସୀ ଖଚିତ ମେଢ଼ ସଦୃଶ୍ୟ ଟାହିଆ ମଧ୍ୟ ସମତାଳରେ ଆନ୍ଦୋଳିତ ହୋଇ ଭକ୍ତ ସମୂହଙ୍କୁ ବିମୋହିତ କରିଥାଏ । ରସିକ ନାଗର ସ୍ନାନ ବେଦୀରେ ରୁନ୍ଧା ହେଲା ବେଳକୁ ଆଉ ଟାହିଆର ସେ ସୌନ୍ଦର୍ଯ୍ୟ ନଥାଏ । ସୁନ୍ଦର ଫୁଲ ସବୁ ଭକ୍ତ ତଥା ସେବକମାନଙ୍କ ହାତକୁ ଚାଲିଯାଇଥାଏ ।

ଏହି ସ୍ନାନବେଦୀ ଉପରେ ମହାପ୍ରଭୁ ଅତୀତରେ କେବେ ରଚିଥିଲେ ଅଲୌକିକ ଲୀଳା । ଗଣପତି ଭଟ୍ଟ ନାମକ ଜଣେ ଗଣେଶ-ଭକ୍ତ କାଳେ ମହାପ୍ରଭୁଙ୍କୁ ହାତୀ ବେଶରେ ଶୁଣ୍ଢ ଲମ୍ବାଇ ଥାଳିରୁ ଖେଚୁଡ଼ି ଭୋଗ ଭୋଜନ କରୁଥିବାର ଦେଖିଲେ । କେବଳ ଗଣେଶ ଉପାସନାରେ ଲୟ ରଖିଥିବା ଭକ୍ତ ଜଣକ ଶ୍ରୀଜଗନ୍ନାଥଙ୍କ ଭିତରେ ନିଜର ପୂଜ୍ୟ ଠାକୁରଙ୍କୁ ଦର୍ଶନ କରି ଅଭିଭୂତ ହେଲେ । ପ୍ରମାଣିତ ହେଲା, ଦାରୁ ବିଗ୍ରହଙ୍କଠାରେ ସଂସାରରେ ପୂଜିତ ସମସ୍ତ ଦେବୀ ଦେବତା ସମାହିତ । ସମସ୍ତେ ତାଙ୍କଠାରୁ ସୃଷ୍ଟ । ସକଳ ସୃଷ୍ଟିର ମୂଳ, ଜଗତର ନାଥ – ଶ୍ରୀଜଗନ୍ନାଥ ।

ଐତିହ୍ୟକୁ ସୁଦୃଢ଼ ରଖିବାରେ କିମ୍ବଦନ୍ତୀର ଯଥେଷ୍ଟ ଭୂମିକା ରହିଛି । ସେହି କାଳରୁ ସେହି ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ସ୍ନାନ ମଣ୍ଡପରେ ମହାପ୍ରଭୁ ହାତୀ ବେଶରେ ଦର୍ଶନ ଦିଅନ୍ତି । ଏହା ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚବିଶ ପ୍ରକାରର ବେଶରୁ ହାତୀ ବେଶ ଅନ୍ୟତମ ଯାହା ଗର୍ଭଗୃହ ବାହାରେ ଅନୁଷ୍ଠିତ ହୋଇଥାଏ । ଏହି ବେଶ ପାଇଁ କେତେ ପ୍ରସ୍ତୁତି, କେତେ ଆଡ଼ମ୍ବର । ପ୍ରାୟ ଏକ ମାସ ପୂର୍ବରୁ ହାତୀ ବେଶର ସ୍ୱତନ୍ତ୍ର ସାଜସବୁର ପ୍ରସ୍ତୁତି ଶିଳ୍ପୀମାନଙ୍କ ଦ୍ୱାରା ଶୁଦ୍ଧପୂତ ଭାବରେ ନିର୍ଦ୍ଦିଷ୍ଟ ନିୟମାନୁସାରେ ଆରମ୍ଭ ହୋଇଥାଏ । ଶ୍ରୀବିଗ୍ରହମାନଙ୍କ ଅବୟବକୁ ଚାହିଁ ସାଜରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଲାଗି ଉଦ୍ଦେଶ୍ୟରେ ହସ୍ତୀର ପ୍ରକାଣ୍ଡ ମସ୍ତକ ସଦୃଶ ସାଜ ମୁଖ୍ୟତଃ ସୋଲ ସହିତ ଜରି ଜମ୍ଭୁରା ଆଦି ଲଗାଇ ଆକର୍ଷଣୀୟ ଭାବେ ନିର୍ମିତ ହୋଇଥାଏ । ମା ସୁଭଦ୍ରାଙ୍କୁ ଏକ ମୁକୁଟ ସଦୃଶ ପାନିଁଆ ଓ ସୁଦର୍ଶନଙ୍କୁ ଚନ୍ଦ୍ରିକା ଲାଗି କରାଯାଏ । ହାତୀବେଶରେ ମହାପ୍ରଭୁଙ୍କୁ ଖେଚୁଡ଼ି ଭୋଗ ଅର୍ପଣ କରାଯାଏ । ଏହି ଅପୂର୍ବ ସାଜରେ ବିଗ୍ରହମାନଙ୍କ ଚକ୍ଷୁଯୁଗଳ ମାତ୍ର ଦେଖାଯାଏ ଏବଂ ଅନ୍ୟ ଅଂଶ ଆବୃତ ପ୍ରାୟ ରହିଥାଏ । ଝଲମଲ ଜରି ଜମ୍ବୁରା ଖଚିତ ହାତୀବେଶରେ ସଜ୍ଜିତ ହୋଇ ମହାପ୍ରଭୁ ଭକ୍ତଜନକୁ ଦିବ୍ୟ ଦର୍ଶନ ଦିଅନ୍ତି ।

ମଞ୍ଚ ସଦୃଶ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଏହି ଦିବ୍ୟାଭିନୟ ସଂଦର୍ଶନରେ ସିଂହଦ୍ୱାର ତଥା ବଡ଼ଦାଣ୍ଡରେ ଅଗଣିତ ଭକ୍ତ ଦର୍ଶନ ପାଇ ବିମୋହିତ ହୁଅନ୍ତି । ଭକ୍ତି ଭାବର ଉତ୍ତାଳ ଲହରୀ ଉଠେ ଭାବ ସମୁଦ୍ରରେ । ଭକ୍ତ ଜନେ କଳା ଶ୍ରୀମୁଖ ଦର୍ଶନରେ ଅଧୀର ହେଇ ଆନନ୍ଦରେ ନୃତ୍ୟ ଗୀତ ସଂକୀର୍ତ୍ତନ ଆଦି ପରିବେଷଣ କରନ୍ତି । ଆରାଧ୍ୟ ଓ ଭକ୍ତଙ୍କ ମଧ୍ୟରେ ଭାବର ସଂଯୋଗ ଘଟିଥାଏ । ଏସବୁ ତ ତାଙ୍କର ଅତିପ୍ରିୟ । ନବଧା ଭକ୍ତିର
ଅଂଶବିଶେଷ । ସଂକୀର୍ତ୍ତନ ଆମ ଧର୍ମ ସଂସ୍କୃତିର ଏକ ବଳିଷ୍ଠ ଅଙ୍ଗ । ନିଷ୍ଠା, ଲୟ ଓ ସମର୍ପଣ ଭାବରେ ସମୃଦ୍ଧ ଏହି ସଂକୀର୍ତ୍ତନ ପରମ୍ପରା । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଦଳଗତ ଭାବେ ଆସି ସମତାଳରେ ପଦଚାଳନା କରି, ମୃଦଙ୍ଗର ତାଳ ସହିତ ତାଳ ମିଶାଇ ଯେଉଁ ଭକ୍ତିପୂତ ନିବେଦନ ଏହି ସଂକୀର୍ତ୍ତନ ଦଳମାନେ କରିଥାଆନ୍ତି ତାହା ଷୋଡ଼ଶ ଶତାବ୍ଦୀର ଶ୍ରୀଚୈତନ୍ୟଙ୍କ ଉଦଣ୍ଡ ନୃତ୍ୟର ସ୍ମରଣ କରାଇଦିଏ । କେବଳ ଆମ ରାଜ୍ୟରୁ କାହିଁକି ଅନ୍ୟ ରାଜ୍ୟରୁ ମଧ୍ୟ ବହୁ ଭକ୍ତ ଏକତ୍ର ନିଜସ୍ୱ ଶୈଳୀରେ ଭଜନ କୀର୍ତ୍ତନ ଜରିଆରେ ଭକ୍ତି-ଅର୍ଘ୍ୟ ବାଢ଼ୁଥିବାର ଦେଖାଯାଏ । ଆହୁରି ଓଡ଼ିଶୀ ନୃତ୍ୟ, ଭଜନଗାନ, ବହୁରୂୂପୀ, ଝୋଟିଚିତା ଆଦି କେତେ କ’ଣ ପ୍ରଦର୍ଶନ ଚାଲିଥାଏ ବଡ଼ ଦାଣ୍ଡରେ । ଶ୍ରୀମନ୍ଦିର ଭିତରକୁ ଯାଇ ସ୍ନାନ ବେଦୀରେ ମହାପ୍ରଭୁଙ୍କୁ ସାହାଣ ମେଲା ବେଳେ ଦର୍ଶନ କରନ୍ତି ବହୁ ଭକ୍ତ । ପୁନଶ୍ଚ ସିଂହଦ୍ୱାର ନିକଟସ୍ଥ ବଡ଼ଦାଣ୍ଡ ହୁଏ ଭକ୍ତାରଣ୍ୟ । ପରବର୍ତ୍ତୀ ଗୋଟିଏ ପକ୍ଷ ଅଣସର ଅବସରରେ ମହାପ୍ରଭୁଙ୍କ ଦର୍ଶନ ନମିଳିବାର ଗ୍ଳାନିରେ ଅତିଷ୍ଠ ହୋଇ କରଯୋଡ଼ି ବା ଉର୍ଦ୍ଧ୍ୱ-ବାହୁ ହୋଇ ଚକା ଆଖି ସହିତ ମନ, ଜ୍ଞାନ, ଚୈତନ୍ୟ ସବୁ ମିଶାଇ ଦେବାକୁ ଚେଷ୍ଟା କରନ୍ତି ଅଗଣିତ ଭକ୍ତ । ସେ ଦିନସାରା ଦର୍ଶନ ଦେବା ପରେ ରାତିରେ ପହଣ୍ଡି ହେଇ ବିଗ୍ରହମାନଙ୍କୁ ଭିତରକୁ ନିଆଯିବା ପର୍ଯ୍ୟନ୍ତ ଭକ୍ତଙ୍କ ଗହଳ ଲାଗି ରହିଥାଏ ।

ସ୍ନାନ ପୂର୍ଣ୍ଣମୀ ରାତିରେ ମହାନାଟକର ପରବର୍ତ୍ତୀ ଦୃଶ୍ୟ ପାଇଁ ମଞ୍ଚ ପ୍ରସ୍ତୁତି ଆରମ୍ଭ ହୁଏ । ନିୟୋଜିତ ଚିତ୍ରକାରମାନେ ଶୀତଳ ଷଷ୍ଠୀରୁ କାମ ଆରମ୍ଭ କରି ପଟିଦିଅଁମାନଙ୍କ ଚିତ୍ରସବୁ ଗୁଡ଼ାଇ ଆଣି ଦେଉଳ ଦୁଆରେ ପହଞ୍ଚାଇ ଦିଅନ୍ତି । ବିଗ୍ରହମାନେ ପହଣ୍ଡି ହେଇ ରତ୍ନ ସିଂହାସନ ପରିବର୍ତ୍ତେ ଜଗମୋହନରେ କଳାହାଟ ଦ୍ୱାର ନିକଟରେ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି । ଜଗମୋହନକୁ ବାଉଁଶ ତାଟି ସାହାଯ୍ୟରେ ଭାଗ କରି ପଶ୍ଚିମ ଭାଗରେ ଅଣସର ନୀତି ଓ ପୂର୍ବଭାଗରେ ପଟିଦିଅଁଙ୍କ ସହିତ ଦଶାବତାର ବିଗ୍ରହମାନେ ପୂଜା ପାଆନ୍ତି । ସୂଚନାଯୋଗ୍ୟ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ଚାରି ପ୍ରକାର ବସ୍ତୁ ପ୍ରସ୍ତୁତ ରୂପ ମାଧ୍ୟମରେ ଉପାସିତ ଯଥା ରତ୍ନ ସିଂହାସନରେ ଦାରୁମୂର୍ତ୍ତି, ଚଳନ୍ତି ପ୍ରତିମା ଭାବରେ ଧାତୁ ମୂର୍ତ୍ତି (ମଦନମୋହନ), ଅଣସର ଅବଧିରେ ବିକଳ୍ପ ପାଷାଣ ପ୍ରତିରୂପ (ଅଲାରନାଥ) ତଥା ତାଟି ଦେହରେ ଚିତ୍ର ପ୍ରତିମା (ପଟିଦିଅଁ) । ଏହି ମାଧ୍ୟମ ସବୁ ଉପଚାର ପାଇଁ ପ୍ରଯୁଜ୍ୟ ମାତ୍ର ସେ ଅରୂପକୁ ରୂପ କିଏ ଦେଇପାରେ ବା ସେ ଅନାମକୁ ନାମକରଣ କିଏ ବା କରିପାରେ! ଲୀଳାମୟଙ୍କ ମହାନାଟକର ପରବର୍ତ୍ତୀ ଗୂଢ଼ ପର୍ବ ଆରମ୍ଭ ହୁଏ, ଅଣସର ଲୀଳା, ଯାହା ଜ୍ୟେଷ୍ଠ ପୂର୍ଣ୍ଣମୀ ରାତିରୁ ଆରମ୍ଭ ହୋଇ ଆଷାଢ଼଼ ଶୁକ୍ଳ ପ୍ରତିପଦ ବା ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିଥାଏ ।

କ୍ରମଶଃ…

କୁଣ୍ଢେଇବେଣ୍ଟ ସାହି,
ପୁରୀ , ମୋ: ୯୪୩୭୧୬୬୩୬୯

Leave A Reply

Your email address will not be published.