Latest Odisha News

BREAKING NEWS

ଟ୍ରେନ ରହଣି ଦାବି ନେଇ ବିଶ୍ରାମୁଣ୍ଡା ରେଲୱେ ଷ୍ଟେସନରେ ରେଳ ରୋକ ଅନ୍ଦୋଳନ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାର ବିଶ୍ରାମୁଣ୍ଡା ରେଲୱେ ଷ୍ଟେସନରେ ପାସେଞ୍ଜର ଟ୍ରେନ ରହଣି ଦାବିକୁ ନେଇ ଆନ୍ଦୋଳନ ଜୋରଦାର ଦେଖିବାକୁ ମିଳିଛି। ଏହି ଆନ୍ଦୋଳନ କରିଛି ବିଶ୍ରା ପବ୍ଲିକ ଆକ୍ସନ କମିଟି। ପାସେଞ୍ଜର ଟ୍ରେନ ଷ୍ଟେସନରେ ରହଣୀ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ବିକ୍ଷୋଭ ଜାରି ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ତେବେ ଏହି ରେଳ ରୋକ ଆନ୍ଦୋଳନରେ ବିଶ୍ରା ଅଞ୍ଚଳର ଅନେକ ସାଧାରଣ ଜନତା ମଧ୍ୟ ଯୋଗ ଦେଇଛନ୍ତି। ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, କୋଭିଡ ପୂର୍ବରୁ ବିଶ୍ରା ରେଳ ଷ୍ଟେସନରେ ବହୁ ପାସେଞ୍ଜର ଟ୍ରେନ ରହୁଥିବା ବେଳେ କୋଭିଡ ସମୟରେ ରେଳବାଇ ବିଭାଗ କୋଭିଡ ଗାଇଡ଼ ଲାଇନ ଯୋଗୁଁ ବିଶ୍ରା ରେଳ ଷ୍ଟେସନରେ ରହୁଥିବା ଟ୍ରେନ ଗୁଡିକର ରହଣି ରଦ୍ଦ କରାଗଲା। କେବଳ କୋଭିଡ ପାଇଁ ରହଣି ବନ୍ଦ କରାଯାଇଛି କୁହାଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏଠାରେ ସେହି ପୁରୁଣା ନିୟମ ଜାରି ରହିଛି।

କୋରୋନା ମହାମାରୀ ପୂର୍ବରୁ ବିଶ୍ରା ରେଳ ଷ୍ଟେସନରେ ଉତ୍କଳ ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ, ଇସ୍ପାତ ଏକ୍ସପ୍ରେସ, ତପସ୍ୱିନୀ ଏକ୍ସପ୍ରେସ, ବୋକାରୋ-ଆଲିପି ଏକ୍ସପ୍ରେସ ଆଦି ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣି ଧାର୍ଯ୍ୟ ଥିଲା। ପରେ କୋରୋନା ଆଳରେ ଏହି ଟ୍ରେନର ଷ୍ଟପେଜକୁ ଉଠାଇ ଦିଆ ଯାଇଥିଲା। ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ସ୍ଥିତି ଆଜି ଯାଏ ଜାରି ରହିଛି। କୋରୋନା କଟକଣା ହଟିବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ସେନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ଯେଉଁଥିପାଇଁ ରେଳ ରୋକ କରିଛନ୍ତି ସାଧାରଣ ଲୋକେ। ଶନିବାର ଦିନ ରେଳ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।

Leave A Reply

Your email address will not be published.