ଚଳିତବର୍ଷ ରେଳ ପଥ ମାଧ୍ୟମରେ ନିଶା ଦ୍ରବ୍ୟ ଚୋରା ଚାଲାଣ ରୋକିବାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳବାଇ ଥାନା ପୋଲିସ
ଭୁବନେଶ୍ବର: ବିଭିନ୍ନ ସମୟରେ ନିଶା ବ୍ୟବସାୟୀ ମାନେ ଗଞ୍ଜେଇ, ବ୍ରାଉନ ସୁଗାର, ଅଫିମ, କଫ ସିରପ ଓ ଅନ୍ୟାନ୍ୟ ବେଆଇନ ମାଦକ ଦ୍ରବ୍ୟ ରେଳ ପଥ ମାଧ୍ୟମରେ ଚାଲାଣ କରୁଛନ୍ତି । ରେଳ ପଥ ମାଧ୍ୟମରେ ବଢୁଥିବା ଏହି ନିଶା ଦ୍ରବ୍ୟ ଚୋରାଚାଲାଣ ପ୍ରକ୍ରିୟାକୁ ରୋକିବା ନେଇ ଅନେକ ସମୟରେ ରେଳବାଇ ଥାନା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
୨୦୨୫ରେ ରେଳବାଇ ପୋଲିସ ୩୩୫୨ କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ଏନଡିପିଏସ ମାମଲା ନିୟମ ଅନୁଯାୟୀ ଅଦ୍ୟାବଧି ମୋଟ ୨୦୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୯୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଚଳିତ ବର୍ଷ ରେଳବାଇ ପୋଲିସ, କଟକ ୮୭ ଟି ମାମଲା ରୁଜୁ କରି ୧୪୮୯ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ୧୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେହିପରି ରେଳବାଇ ପୋଲିସ, ରାଉରକେଲା ୧୧୩ ଟି ମାମଲା ରୁଜୁ କରି ୧୮୬୩ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି । ଏହା ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୧୮୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିପରି ୨.୬୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି ।
ତେବେ ଏହି ନିଶା ଦ୍ରବ୍ୟ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ହୋଇଥିବା ଅଭିଯୁକ୍ତ ମାନେ ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, କେରଳ, ମହାରାଷ୍ଟ୍ର ଏବଂ ଗୁଜୁରାଟ ରାଜ୍ୟର ବୋଲି ତଦନ୍ତ ସମୟରେ ଜଣାପଡିଛି ।