ଗେଷ୍ଟହାଉସରୁ ଭଲିବଲ୍ କୋଚଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଇନଫୋସିଟିରେ ଥିବା ଏକ ଗେଷ୍ଟହାଉସରୁ ଜଣେ ଭଲିବଲ ପ୍ରଶିକ୍ଷକ ରାଜେଶ ତିୱାରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।
ସୂଚନା ଅନୁଯାୟୀ, ରାଜେଶ ଭୋପାଳର ବାସିନ୍ଦା ହୋଇଥିଲା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ୬୯ ତମ ସିନିୟର ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ପାଇଁ ରେଳବାଇ ଦଳ ସହ ସେ ଭୁବନେଶ୍ୱର ଆସିଥିଲେ। ସେ ଷ୍ଟାଡିୟମର ନିକଟବର୍ତ୍ତୀ ଏକ ଗେଷ୍ଟ ହାଉସରେ ରହୁଥିଲେ।
ତେବେ କୋଚ୍ ନ ଆସିବାରୁ ସୋମବାର ସକାଳେ ତାଙ୍କ ଟିମ୍ ମେମ୍ବର ଗେଷ୍ଟ ହାଉସକୁ ଯାଇଥିଲେ। ସେମାନେ ବାରମ୍ବାର କବାଟ ବାଡେଇଥିଲେ ମଧ୍ୟ କିଛି ପ୍ରତିକ୍ରିୟା ମିଳି ନଥିଲା। ଯାହା ପରେ ଖେଳାଳିମାନେ ପୋଲିସକୁ ଜଣାଇଥିଲେ।
ପୋଲିସ କବାଟ ଭାଙ୍ଗି ଭିତରକୁ ପଶିଥିଲା ବେଳେ ରାଜେଶ ଛାତରେ ଲାଗିଥିବା ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ।
ମୃତ୍ୟୁ ପଛର କାରଣ ଏଯାବତ୍ ଜଣା ପଡିନଥିବା ବେଳେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ ପାରିବାରିକ କଳହରୁ ତିୱାରୀ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ଘଟଣାର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ସହ ଫୋନରେ ରାଗିକି କଥା ହେଉଥିବା ନେଇ ସୁତ୍ରରୁ ପ୍ରକାଶ।
Comments are closed.