Latest Odisha News

BREAKING NEWS

ହୀରାକୁଦ ଉପରମୁଣ୍ଡରେ ଜାରି ରହିଛି ବର୍ଷା, ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ବର: ଏବେ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହୋଇଛି । ପୁଣି ଆଗକୁ ଯୋଡା ଲଘୁଚାପ ସୃଷ୍ଟି ହେବା ନେଇ ସୂତନା ଦେଇଛି ପାଣିପାଗ ବିଭାଗ । ହୀରାକୁଦ ଉପରମୁଣ୍ଡରେ ୪୧ ମିଲିମିଟର ବର୍ଷା ହୋଇଥିବାବେଳେ ବର୍ଷା ଜାରି ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି ।

ଏବେ ୩ ଲକ୍ଷ ୨୦ ହଜାର କ୍ୟୁସେକ ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି । ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ପାଣି ୬୨୯.୮୯ ଫୁଟରେ ରହିଛି । ୧୨ ଗେଟରେ ପାଣି ନିଷ୍କାସନ ହେଉଛି । ୨୭ ତାରିଖ ସକାଳୁ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ। ଏହାର ପ୍ରଭାବରେ ଶାଖା ନଦୀଗୁଡିକ ମଧ୍ୟ ଫୁଲିବ ବୋଲି ଆଶଙ୍କା କରିଛି ଜଳ ସମ୍ପଦ ବିଭାଗ ।

୬୪ଟି ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ୧୧ଟି ସ୍ଥାନରେ ୧୦୦ ମିଲିମିଟର ବର୍ଷା ହୋଇଛି । ଖଇରମାଳରେ ୮୨ ମିଲିମିଟର ବର୍ଷା ହୋଇଥିବାବେଳେ ତେଲ ନଦୀରେ ୩୩ ମିଲିମିଟର ବର୍ଷା ହୋଇଛି । ମୁଣ୍ଡଳୀରେ ଯଦି ବର୍ଷା ହୁଏ ପାଣି ଅଧିକ ଆସିବ। ଏବେ ସେଠାରେ ୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଶାଖା ନଦୀ କୁଆଖାଇ, ବିରୂପା, କାଠଯୋଡି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏଣୁ ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛି ଜଳ ସମ୍ପଦ ବିଭାଗ ।

ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି । କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଇଛି । କୌଣସି ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ବିଭାଗ କହିଛି । ବନ୍ଧବାଡ଼ର ତଦାରଖ କରାଯାଉଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ତେବେ ବର୍ଷା କେତେ ହେବ ତା ଉପରେ ନଜର ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Comments are closed.